ଭୁବନେଶ୍ବର: ଚଳିତ ଅନ୍ତଃଜିଲ୍ଲା ବରିଷ୍ଠ ଫୁଟ୍ବଲ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। ଦୁଇ ଚରଣ ବିଶିଷ୍ଟ ଫାଇନାଲ୍ରେ ମୋଟ ୩-୨ (୨-୧ ଓ ୧-୧) ଗୋଲ୍ ବ୍ୟବଧାନରେ ଆଗୁଆ ରହି କଟକ ଦଳ ବିଜେତା ହୋଇଛି। ରବିବାର ପ୍ରଥମ ଚରଣ ଫାଇନାଲ୍ରେ କଟକ ଦଳ ୨-୧ ଗୋଲ୍ରେ କନ୍ଧମାଳକୁ ପରାସ୍ତ କରିଥିଲା। ବୁଧବାର ଦ୍ବିତୀୟ ତଥା ଅନ୍ତିମ ଚରଣ ଫାଇନାଲ୍ କିନ୍ତୁ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। କନ୍ଧମାନ ପକ୍ଷରୁ ବିଜୟ ମୁଖୀ (୪୦ ମିନିଟ୍) ପ୍ରଥମ ଗୋଲ୍ କରି ଦଳକୁ ଅଗ୍ରଣୀ ଦେଇଥିଲେ ମଧ୍ୟ ଦୀନବନ୍ଧୁ ଦାସ (୪୫ ମିନିଟ) କଟକ ପକ୍ଷରୁ ଗୋଲ୍ ଶୁଝି ଦେଇଥିଲେ। ଫଳରେ କନ୍ଧମାଳ ଦଳ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ବିଜେତା ସ୍ବରୂପ କଟକ ଦଳ ଟ୍ରଫି ସହିତ ୧ ଲକ୍ଷ ଏବଂ ଉପବିଜେତା କନ୍ଧମାଳ ଟ୍ରଫି ସହ ୫୦ ହଜାର ଟଙ୍କା ପୁରସ୍କାର ରାଶି ପକେଟସ୍ଥ କରିଥିଲା। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନ ଦଳକୁ ଯଥାକ୍ରମେ ୨୫ ଓ ୧୫ ହଜାର ଲେଖାଏଁ ଟଙ୍କାର ପୁରସ୍କାର ରାଶି ମିଳିଥିଲା।
ବୁଧବାର ଉଦ୍ଯାପନୀ ଉତ୍ସବରେ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ଓଡ଼ିଶା ସରକାରଙ୍କ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ସଂପାଦକ ଆଶୀର୍ବାଦ ବେହେରା, ଉପସଭାପତି ବିଜୟ ଦାସ, ଦିଲିପ କୁମାର ସାହୁ ଓ ହୃଦୟ ରଞ୍ଜନ ବେହେରା, ଯୁଗ୍ମ ସଂପାଦକ ବିଶ୍ବରଞ୍ଜନ ଘଡ଼େଇ, ଅଭିଜିତ ପଲ୍ ଓ ମହମ୍ମଦ ସାହିଦ ଜବାର, ଫାଓ ସଦସ୍ୟ କମଳାକାନ୍ତ ପାଣ୍ଡେ, ଶିବପ୍ରସାଦ ତ୍ରିପାଠୀ, ତଡ଼ିତ କୁମାର ରାଉତ, ବିଜୟ କୁମାର ଦାସ, ଅମିତ କୁମାର ବେହେରା, ଶିବବ୍ରତ ମଲ୍ଲିକ, ଫାଓ ମହିଳା କମିଟି ଅଧ୍ୟକ୍ଷ ସହଦେବ ରାଉତ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଏସ୍ଡି ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କିସ୍ ଓ କିଟ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବିଜେତା ଦଳ ପାଇଁ ୨ ଲକ୍ଷ ଏବଂ ଉପବିଜେତା ଦଳ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।