କଟକ ଜିତିଲା ସାହାଣୀ କପ୍‌

ହୀରାକୁଦ: ସୁନ୍ଦରଗଡ଼କୁ ୨-୦ ଗୋଲ୍‌ରେ ହରାଇ କଟକ ଅନ୍ତଃଜିଲ୍ଲା ଫୁଟ୍‌ବଲ୍ ପ୍ରତିଯୋଗିତା ସାହାଣୀ କପ୍‌ ଜିତି ନେଇଛି। ପ୍ରଥମାର୍ଧ ସୁଦ୍ଧା ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିଥିଲା। ମ୍ୟାଚ୍‌ର ୭୪ ମିନିଟ୍‌ରେ ବରିନ୍ଦର ସିଂହ କଟକ ପକ୍ଷରୁ ପ୍ରଥମ ଗୋଲ୍‌ କରିଥିଲେ। ୭୭ ମିନିଟ୍‌ରେ ଭାବଗ୍ରାହୀ ପଢ଼ିହାରୀଙ୍କ ଗୋଲ୍‌ ବଳରେ କଟକ ୨-୦ରେ ଆଗୁଆ ହୋଇ ବିଜୟ ପକ୍କା କରିଥିଲା। ସୁନ୍ଦରଗଡ଼ର କିଶୋର ଖଡ଼ିଆ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, କଟକର ଶେଖର ବେହେରା ଶ୍ରେଷ୍ଠ ଗୋଲ୍‌କିପର, ଡି ଶ୍ରୀନାଥ ଶ୍ରେଷ୍ଠ ରକ୍ଷଣ, ମହେଶ୍ବର ପ୍ରଧାନ ଶ୍ରେଷ୍ଠ ପୁରୋଭାଗ ଏବଂ ଫ୍ରାନ୍‌ସିସ ଲାକ୍ରା ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର. ଦୀପକ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଫାଓ ଉପସଭାପତି ରବି ନାରାୟଣ ପଣ୍ଡା, ସୁନ୍ଦରଗଡ଼ କ୍ରୀଡ଼ା ସଂଘ ସାଧାରଣ ସଂପାଦକ ପ୍ରଦୀପ ଭୋଳ, ବରଗଡ଼ କ୍ରୀଡ଼ା ସଂଘ ସାଧାରଣ ସଂପାଦକ ଯୁଗଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ହୀରାକୁଦ କ୍ରୀଡ଼ା ସଂଘର ଗଣେଶ ପୋଲାଇ, ସଚ୍ଚୀକାନ୍ତ ମିଶ୍ର, ପ୍ରତାପ ତାଣ୍ଡି, ସୁନୀଲ ସାହୁ, କାର୍ତ୍ତିକ କଲେତ, କ୍ଷୀରୋଦ ନାଏକ, ସୁଦେଶ ନାଗ, ରାଇଫଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମ୍ୟାଚ୍‌ କମିସନର୍‌ ଦୁର୍ଗାମାଧବ ନାୟକ, କାର୍ତିକ ଦାସ, ଅରୁଣ ନାଏକ, ସୁଦୀପ ଦାସ, ସୁଜିତ ପାତ୍ର ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର