ଭୁବନେଶ୍ବର/କଟକ: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍ ମଙ୍ଗଳବାର ଶେଷ ହୋଇଛି। ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ରେ ଇକୋର୍ସାକୁ ୭ ରନ୍ରେ ପରାସ୍ତ କରି କଟକ-ଏ ଦଳ ବିଜେତା ହୋଇଛି। ଜୋନ୍-୧ରୁ ଫାଇନାଲ୍ ଆସିଥିବା କଟକ ଦଳ ଛାଡ଼ିଥିବା ୧୩୧ ରନ୍ର ପିଛା କରିଥିବା ଜୋନ୍-୪ରୁ ଫାଇନାଲ୍ ଆସିଥିବା ଇକୋର୍ସା ଅଲ୍ରାଉଣ୍ଡର ରାଜେଶ ମହାନ୍ତି (୩୫*), ଅଙ୍କିତ ଯାଦବ (୨୮) ଏବଂ କାମେଶ୍ବର ବାରିକ (୨୨)ଙ୍କ ବଳରେ ଲଢ଼ିଥିଲେ ମଧ୍ୟ ବିଜୟଠୁ ୮ ରନ୍ ଦୂରରେ ଅଟକି ଯାଇଥିଲା। ଇକୋର୍ସାର ପରାଜୟ ସତ୍ତ୍ବେ ରାଜେଶ ମହାନ୍ତି ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରାଜେଶ ଏବଂ ଜୟନ୍ତ ବେହେରା ମଧ୍ୟ ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ।
ଟସ୍ ଜିତି ଇକୋର୍ସା ଦଳ ପ୍ରଥମେ ବ୍ୟାଟିଂ ପାଇଁ କଟକ ଦଳକୁ ଆମନ୍ତ୍ରଣ କରିଥିଲା। ଆଲୋକ ମଙ୍ଗାରାଜ (୨/୩୪), ସୂର୍ଯ୍ୟକାନ୍ତ ପ୍ରଧାନ (୨/୨୬), ଜୟନ୍ତ ବେହେରା (୨/୧୫), ଲଗ୍ନଜିତ ସାମଲ (୧/୪), ଅଙ୍କିତ ଯାଦବ (୧/୧୨) ଏବଂ ରାଜେଶ ମହାନ୍ତି (୧/୩୦)ଙ୍କ ମିଳିତ ବୋଲିଂ ଆକ୍ରମଣ ନିକଟରେ ହାର୍ମାନି କଟକ ଦଳ ପୂରା ଓଭର ଖେଳିପାରିନଥିଲା। ତଥାପି ରାମଚନ୍ଦ୍ର ବେହେରା (୩୪ ରନ୍, ୨୬ ବଲ୍, ୫ ଚୌକା, ୧ ଛକା), ଅଧିନାୟକ ବିପ୍ଲବ ସାମନ୍ତରାୟ (୩୨ ରନ୍, ୨୧ ବଲ୍, ୪ ଚୌକା, ୧ ଛକା) ଓ ଦୀପକ ରଂଜନ ବେହେରା (୨୩ ରନ୍, ୨୪ ବଲ୍, ୨ ଚୌକା, ୧ ଛକା)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ବଳରେ ଦଳ ୧୯.୫ ଓଭରରେ ୧୩୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ରାମଚନ୍ଦ୍ର ଓ ବିପ୍ଲବଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍ରେ ୪୯ ରନ୍ର ଭାଗୀଦାରି କଟକ ପାଳିର ଉଲ୍ଲେଖନୀୟ ଥିଲା। ତେବେ ଏକଦା ୭୧ ରନ୍ରେ ୨ ୱିକେଟ୍ ହରାଇଥିବା ଦଳ ପରବର୍ତୀ ୧୧ ରନ୍ ମଧ୍ୟରେ ୪ ୱିକେଟ୍ ହରାଇବା ପରେ ୧୩ ରନ୍ ମଧ୍ୟରେ ଶେଷ ୪ ୱିକେଟ୍ ହରାଇବାରୁ ବଡ଼ ସ୍କୋର୍ ସୁଯୋଗ ହାତଛଡ଼ା କରିଥିଲା। ରାଜେଶ ଧୂପର ଖାତା ଖୋଲି ପାରିନଥିଲେ।
ଜବାବରେ ସୁଜିତ ଲେଙ୍କାଙ୍କ ଇକୋର୍ସା ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଶିଷ ରାଏ ଓ ସୁନୀଲ ରାଉଲଙ୍କ ଦମ୍ଦାର ବୋଲିଂ ଯୋଗୁଁ ଇକୋର୍ସା ୩୦ ରନ୍ରେ ୩ ୱିକେଟ୍ ହରାଇ ସଂକଟରେ ପଡିଯାଇଥିଲା। ଅଭିଷେକ ଯାଦବ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ଜିରିଜା ରାଉତ ୩ ଏବଂ ଅଧିନାୟକ ସୁଜିତ ୧୩ ରନ୍ରେ ପାଭିଲିୟନ୍ ଫେରିଯାଇଥିଲା। ତେବେ ରାଜେଶ, ଅଙ୍କିତ, କାମେଶ୍ବର ଲଢ଼ିଥିଲେ ମଧ୍ୟ ଦଳର ବିଜୟ ପାଇଁ ତାହା ଯଥେଷ୍ଟ ହୋଇନଥିଲା। ଇକୋର୍ସା ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୩ ରନ୍ କରିପାରିଥିଲା। ବିଜେତା କଟକ ଦଳ ପକ୍ଷରୁ ସୁନିଲ କୁମାର ରାଉଳ (୨/୧୮), ଆଶିଷ ରାଏ (୨/୨୨), ଦୀପକ ବେହେରା (୧/୨୪), ଅରବିନ୍ଦ ସିଂହ (୧/୬) ଓ ଅଭିଷେକ ରାଉତ (୧/୧୧) ସଫଳ ବୋଲର ରହିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଫାଓର ସମ୍ପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ଥିଲେ।
ସଂକ୍ଷିପ୍ତ ସ୍କୋର୍: କଟକ-ଏ ୧୯.୫ ଓଭରରେ ୧୩୦/୧୦ (ରାମଚନ୍ଦ୍ର ବେହେରା-୩୪, ବିପ୍ଳବ ସାମନ୍ତରାୟ-୩୨, ଦୀପକ ବେହେରା-୨୩, ଆଲୋକ ମଙ୍ଗରାଜ-୨/୩୪, ସୁର୍ଯ୍ୟକାନ୍ତ ପ୍ରଧାନ-୨/୨୬, ଜୟନ୍ତ ବେହେରା-୨/୧୫)। ଇକୋର୍ସା ୨୦ ଓଭରରେ ୧୨୩/୭ (ରାଜେଶ ମହାନ୍ତି-୩୫*, ଅଙ୍କିତ ଯାଦବ-୨୮, କାମେଶ୍ବର ବାରିକ-୨୨, ସୁନିଲ କୁମାର ରାଉଳ-୨/୧୮, ଆଶିଷ ରାଏ-୨/୨୨)।