ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ୨୦ ବର୍ଷୀୟ ଲକ୍ଷ୍ୟ ସେନ୍

ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନଟି ଭାରତ ପାଇଁ ସ୍ମରଣୀୟ ଦିନରେ ପରିଣତ ହେବାକୁ ଯାଉଛି । ଆଜି ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ । ନିଜର ପ୍ରଥମ ରାଜ୍ୟଗୋଷ୍ଠୀ ପଦାର୍ପଣରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ସେ ଭାରତ ପାଇଁ ନୂଆ ଆଶା ସୃଷ୍ଟି କରିଛନ୍ତି ।

ସୋମବାର ଖେଳାଯାଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଲକ୍ଷ୍ୟ ସେନ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ ହରାଇଥିଲେ । ମ୍ୟାଚର ପ୍ରଥମ ଗେମଟିକୁ ହାରିଯିବା ସତ୍ତ୍ବେ ପରବର୍ତ୍ତୀ ୨ଟି ଗେମରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଯାଇଥିଲେ ଲକ୍ଷ୍ୟ ।

ପ୍ରଥମ ଗେମରେ ସେ ୧୯-୨୧ ସେଟରେ ହାରିଯାଇଥିଲେ । ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ  ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ବର୍ଣ୍ଣ ହାତେଇଥିଲେ ।

ପୂର୍ବରୁ ପ୍ରକାଶ ପାଦୁକୋନ (୧୯୭୮),ସୟେଦ ମୋଦୀ (୧୯୮୨) ଓ ପାରୁପାଲି କଶ୍ୟପ (୨୦୧୪)ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡମିଣ୍ଟନରେ ସିଙ୍ଗଲ୍ସ ସୁନା ଜିତିଥିଲେ ।

 

ସମ୍ବନ୍ଧିତ ଖବର