ରାଜ୍ୟଗୋଷ୍ଠୀ ହ୍ବିଲଚେୟାର ଅସିଚାଳନା: ମାଳତୀ, ରାଖାଲ-ରମେଶଙ୍କୁ ରୌପ୍ୟ

ଭୁବନେଶ୍ବର : ଲଣ୍ଡନରେ ଆୟୋଜିତ ରାଜ୍ୟଗୋଷ୍ଠୀ ହ୍ବିଲଚେୟାର ଅସିଚାଳନାରେ ୩ ଓଡ଼ିଆ ମାଳତୀ ପାନାଉରେ, ରାଖାଲ‌ କୁମାର ସେଠୀ, ରମେଶ ରାଓ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ବ୍ୟକ୍ତିଗତ ଫଏଲ ବର୍ଗ ଫାଇନାଲ୍‌ରେ ମାଳତୀ ୪-୧୫ରେ ଇଂଲଣ୍ଡର ଜେମା କଲମେନଙ୍କଠୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେମିଫାଇନାଲ୍‌ରେ ସେ ୧୫-୧୨ରେ ନିଜ ଦେଶର ରେଖା ତନୱାରଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ।

ହ୍ବିଲଚେୟାର ପୁରୁଷ ଇପି ଦଳ ରୌପ୍ୟ‌ରେ ସନ୍ତୁଷ୍ଟ ରହିଥିଲା। ଏହି ଦଳରେ ରାଖାଲ ଓ ରମେଶ ରହିଥିଲେ। ଏହି ପ୍ରତିଯୋଗିତାରେ ଦୁଇଟି ଦଳ ଇଂଲଣ୍ଡ ଓ ଭାରତ ଖେଳିଥିଲେ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବ‌ା ଫାଇନାଲ୍‌ରେ ଭାରତ ୩୭-୪୫ରେ ଇଂଲଣ୍ଡଠୁ ହାରି ଯାଇଥିଲା। ଏହି ପ୍ରତିଯୋଗିତାରେ ଭାରତରୁ ୧୦ ଜଣ ଭାଗନେଇଥିଲା ବେଳେ ଏଥିରେ ଓଡ଼ିଶାରୁ ୩ ଜଣ ରମେଶ, ରାଖାଲ ଓ ମାଳତୀ ସ୍ଥାନ ପାଇଥିଲେ। ଏହି ରୌପ୍ୟ ବିଜେତାଙ୍କୁ ଭାରତୀୟ ହ୍ବିଲଚେୟାର ଅସିଚାଳନା ଆମ୍ପୁଟି କ୍ରୀଡ଼ା ସଭାପତି ଜେ ଚନ୍ଦ୍ରଶେଖର, ଓଡ଼ିଶା ହ୍ବିଲଚେୟାର ଅସିଚାଳନା ସଭାପତି ବେଲା ଜସ୍ବାଲ, ପାରା କ୍ରୀଡ଼ା ସଂଘ ସଭାପତି କମଳାକାନ୍ତ ରଥ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର