ରାତିରେ ସାଇକ୍ଲିଂ ରୋମାଞ୍ଚ

ଭୁବନେଶ୍ବର: ସାଇକେଲ ଚାଳନାର ଗୁରୁତ୍ବ, ଆବଶ୍ୟକତା ଏବଂ ଉପଯୋଗିତାକୁ ନିରଂତର ସଚେତନ କରାଉଥିବା ଅନୁଷ୍ଠାନ ‘ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍ ଆଡଭ‌େଞ୍ଚର୍ କ୍ଲବ୍’ (ବିସିଏସି) ପକ୍ଷରୁ ‘ସାଇକ୍ଲିଂ ଅଣ୍ଡର୍ ଦ ଷ୍ଟାର୍ସ-ସିଜନ୍‌-୪’ ଗତ ଜୁନ୍‌ ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥାତ୍ ରାତି ବେଳା ତାରା ତଳେ ସାଇକେଲ ଚଳାଇବାର ନିଆରା ପରମ୍ପରାକୁ ନେଇ ନାଇଟ୍ ରାଇଡିଂର ଦୁଃସାହସିକ ଦାୟିତ୍ବକୁ ତୁଲାଉଥିବା ବିସିଏସି ଚତୁର୍ଥ ଋତୁକୁ ସଫଳତାର ସହ ସମ୍ପନ୍ନ କରିଛି। ଫନି ପାଇଁ ଏହାକୁ ଘୁଞ୍ଚାଇବାକୁ ପଡ଼ିଥିଲେ ମଧ୍ୟ ସାଇକ୍ଲିଷ୍ଟଙ୍କ ଉତ୍ସାହକୁ ମାରି ପାରିନଥିଲା। ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ଲଳିତ ଦାସ ଏବଂ ସଂଜୀବ ପଣ୍ଡାଙ୍କ ନେତୃତ୍ବରେ ମୋଟ ୫୩ ଜଣ ସାଇକ୍ଲିଷ୍ଟ୍‌ ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କ ହୋଇ ପୁଣି ଭୁବନେଶ୍ବର ଫେରିଛନ୍ତି। ସଂଧ୍ୟାରେ ଭୁବନେଶ୍ବରରୁ ବାହାରିଥିବା ଏହି ଅଭିଯାତ୍ରୀ ଦଳ ସକାଳେ ଫେରି ଆସିଥିଲେ। ରାତି ତମାମ ତାରା ତଳେ ସାଇକେଲ ଚଳାଇବା ସହିତ ‘ରିବିଲଡ୍ ଓଡ଼ିଶା’ ସଚେତନତା ମଧ୍ୟ ଜାଗ୍ରତ କରାଇଥିଲେ। ଏହି ଦଳରେ ଜଣେ ୧୧ ବର୍ଷୀୟ ବାଳକ ଅଚିନ୍ତ୍ୟ ଅନୁଭବ (ରାମ) ଏବଂ ଏକମାତ୍ର ମହିଳା ଭାବେ ଟ୍ବିଙ୍କଲ୍ ମହାନ୍ତି (ନୂଆ ସ୍କଟ ସ୍ପିଡଷ୍ଟର୍ ୩୦) ମଧ୍ୟ ସାମିଲ ହୋଇଥିଲେ। ୧୬୦ କିଲୋମିଟର୍ ବିଶିଷ୍ଟ ଏହି ଅଭିଯାନ ଯେତିକି ଉପଭୋଗ୍ୟ, ସେତିକି ଆହ୍ବାନଭରା ଥିଲା ବୋଲି କହିଛନ୍ତି ବିସିଏସିର ସମ୍ପାଦକ ଅଜୟ କୁମାର ନନ୍ଦ।

ସମ୍ବନ୍ଧିତ ଖବର