ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ବୁଧବାର ଓଡ଼ିଶାକୁ ୩ ରୌପ୍ୟ (୧ ସାଇକ୍ଲିଂ, ୨ ରୋଇଂ) ପଦକ ମିଳିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୨୦ (୫ ସ୍ବର୍ଣ୍ଣ, ୬ ରୌପ୍ୟ, ୯ କାଂସ୍ୟ)ରେ ପହଞ୍ଚିଛି। ସାଇକ୍ଲିଂରେ ଗତ କାଲି ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିବା ସ୍ବସ୍ତି ସିଂହଙ୍କ ସହ ରେଜିଆ ଦେବୀ, ବର୍ଷାରାଣୀ ବାରିକ ଓ ଉର୍ମିଳା ବେହେରାଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ପର୍ସ୍ୟୁଟ୍ ଦଳ ରୌପ୍ୟ ପଦକ ଜିତିଛି। ହରିୟାଣା ଓ ମହାରାଷ୍ଟ୍ର ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ କରାୟତ୍ତ କରିଛନ୍ତି। ଏହି ରୌପ୍ୟ ସହ ସ୍ବସ୍ତିଙ୍କ ପଦକ ସଂଖ୍ୟା ୩ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ଜିତିଥିଲା ବେଳେ ରେଜିଆଙ୍କ ପଦକ ସଂଖ୍ୟା ୨ (୧ ରୌପ୍ୟ, ୧ କାଂସ୍ୟ)ରେ ପହଞ୍ଚିଛି।
ରୋଇଂରେ ରୌପ୍ୟ ଦୁଇଟି ମହିଳା କକ୍ସଲେସ୍ ଫୋର୍ ଦଳ ଏବଂ ପୁରୁଷ ଯୁଗଳ ସ୍କଲ୍ ଦଳ ଜିତିଥିଲେ। ମହିଳା ଦଳରେ ଅଭିନାଶ କୌର, ଝରଣା ହସ୍ତି, ସୋନାଲି ସ୍ବାଇଁ ଓ ନିକିତା ଦ୍ୟାନେଶ୍ବର ଗାଭାନେ ରହିଥିଲା ବେଳେ ପୁରୁଷ ଯୁଗଳରେ ପରମିନ୍ଦର ସିଂହ ଓ ସତ୍ନମ୍ ସିଂହ ଥିଲେ। ପୁରୁଷ ହକି ଦଳ ଗ୍ରୁପ୍ ମ୍ୟାଚ୍ରେ ମଧ୍ୟପ୍ରଦେଶକୁ ୧-୦ ଗୋଲ୍ରେ ପରାସ୍ତ କରିଛି।
କନ୍ଦନ ବୈଷୟିକ ଅଧିକାରୀ
ଓଡ଼ିଶାର କନ୍ଦନ ମୁର୍ମୁଙ୍କୁ ଭାରତୀୟ ଜୁଡ଼ୋ ମହାସଂଘ ଚଳିତ ଜାତୀୟ କ୍ରୀଡ଼ାରେ ବୈଷୟିକ ଅଧିକାରୀ ଭାବେ ନିଯୁକ୍ତ କରିଛି। କନ୍ଦନ ସଂପ୍ରତି ବରିଷ୍ଠ ଜୁଡ଼ୋ ପ୍ରଶିକ୍ଷକ ଭାବେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଏଥିସହ ଏହି ତୃତୀୟ ଡାନ୍ ବ୍ଲାକ୍ ବେଲ୍ଟଧାରୀ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା) ବୈଷୟିକ ଅଧ୍ୟକ୍ଷ ଅଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଏକାଧିକ ଜୁଡ଼ୋକା ଜାତୀୟ ଓ ଅନ୍ତର୍ଜାତୀୟସ୍ତରେ ଅନେକ ପଦକ ଜିତିଛନ୍ତି। ବୈଷୟିକ ଅଧିକାରୀ ଭାବେ ସ୍ଥାନ ପାଇଥିବାରୁ ତାଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ‘ଓସ୍ଜା’ ସଭାପତି ଅସିତ ପ୍ରଧାନ, ଉପସଭାପତି ପିସି ମିଶ୍ର, ସମ୍ପାଦକ ଗୀତାଞ୍ଜଳି ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି।