ସାଇକ୍ଲିଷ୍ଟଙ୍କ ଜଳ ଓ ନଦୀ ସଂରକ୍ଷଣ ବାର୍ତା : ସାଇକ୍ଲିଂ କରି ସାରା ଭାରତରେ ନଦୀ ଓ ଜଳ ସଂରକ୍ଷଣ ବାର୍ତା ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି ୨୭ ବର୍ଷୀୟ ଯୁବକ ବରୁଣ ରେଡ୍ଡୀ

ଭୁବନେଶ୍ବର : ପେସା ଆକାଉଣ୍ଟିଂ। ନିଶା କିନ୍ତୁ ସାଇକ୍ଲିଂ କରି ବିଭିନ୍ନ ବିଷୟରେ ଜନ ସଚେତନତା ସୃଷ୍ଟି କରିବା। ପୂର୍ବରୁ ଏଭଳି ଅନେକ କାର୍ଯ୍ୟକ୍ରମ କରି ସାରିଥିବା ବେଙ୍ଗାଲୁରୁର ମୋରମଙ୍ଗଲା ଅଞ୍ଚଳର ୨୭ ବର୍ଷୀୟ ଯୁବକ ବରୁଣ ରେଡ୍ଡୀ ଏବେ ସାଇକ୍ଲିଂ କରି ସାରା ଭାରତରେ ନଦୀ ଓ ଜଳ ସଂରକ୍ଷଣ ବାର୍ତା ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି। ବେଙ୍ଗାଲୁରୁରୁ ନିଜ ଯାତ୍ରା ଆରମ୍ଭ କରି ସିକିମରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ବରୁଣ। ତା’ ଭିତରେ ସେ ପାଖାପାଖି ୨୫୦୦ କିଲୋମିଟର ସାଇକ୍ଲିଂ କରିବେ।

ସହର ଏବଂ ଗ୍ରାମାଞ୍ଚଳରେ ଅଟକି ପ୍ରାକୃତିକ ଜଳ ଉତ୍ସର ସ୍ବଚ୍ଛତା ଏବଂ ଜଳ ସଂରକ୍ଷଣ ବାର୍ତା ଦେବେ। ନଦୀ, ହ୍ରଦ, ଜଙ୍ଗଲ ଏବଂ ବନ୍ୟ ଜୀବନର ସୁରକ୍ଷା ବିଷୟରେ ସାଧାରଣ ଲୋକଙ୍କୁ ବୁଝାଇବେ। ଏବେ ସୁଦ୍ଧା ୧୪୦୦ କିଲୋମିଟର ସାଇକ୍ଲିଂ କରି ସାରିଥିବା ବରୁଣ ବୁଧବାର ଭୁବନେଶ୍ବର ପହଞ୍ଚିଥିଲେ। ପୁରୀ ଯାଇ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ସହ କୋଣାର୍କର ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ନନ୍ଦନ କାନନ ବୁଲି ଦେଖିଛନ୍ତି। ପ୍ରତିଦିନ ପାଖାପାଖି ୭୦ କିଲୋମିଟର ସାଇକ୍ଲିଂ କରୁଥିବା ବରୁଣ ଏହା ପରେ କୋଲକାତା ଗସ୍ତ କରି ଦଶହରା ଅବସରରେ ଜନ ସଚେତନତା ସୃଷ୍ଟି କରିବେ। ସଂପ୍ରତି ପ୍ରଦ୍ୟୁଷଣ ସ୍ତର ହୁ ହୁ ହୋଇ ବଢ଼ୁଛି। ଏହି ଧାରା ଜାରି ରହିଲେ ଆଗକୁ ଆମେ ବହୁ ସମସ୍ୟାର ସମ୍ମୁଖୀନ ହେବା। ଏଣୁ କମ୍ ଦୂରତା ବିଶିଷ୍ଟ ସ୍ଥାନକୁ ଯିବା ଲାଗି ସାଇକେଲ୍ ବ୍ୟବହାର କରିବା ଲାଗି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ସେହିଭଳି ଜଳ ସଂରକ୍ଷଣ, ପ୍ରାକୃତିକ ନଦୀ, ହ୍ରଦକୁ ସଂରକ୍ଷଣ କରିବା ଏବଂ ଏହାକୁ ସ୍ବଚ୍ଛ ରଖିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ବ ବୋଲି ବରୁଣ କହିଛନ୍ତି।

ସମ୍ବନ୍ଧିତ ଖବର