ଲାହୋର: ମନ୍ଥର ପିଚ୍‌ରେ ଲଢ଼ୁଆ ଶତକ ଅର୍ଜନ କରି ଭାରତକୁ ବିଜୟୀ କରାଇବା ପରେ ପାକିସ୍ତାନର ଘରେଘରେ ଏବେ କିଙ୍ଗ୍ କୋହଲିଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ପାକିସ୍ତାନ ରବିବାର ଚାମ୍ପିଅନ୍ସ ଟ୍ରଫିର ସବୁଠାରୁ ପ୍ରତୀକ୍ଷିତ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ ସେଠାକାର ଗଣମାଧ୍ୟମ ନିଜ ଦଳର ପରାଜୟ ଅପେକ୍ଷା କୋହଲିଙ୍କ ବିରାଟ ଶତକକୁ ନେଇ ଅଧିକ ଚର୍ଚ୍ଚା‌ କରୁଛି। ପ୍ରତିଟି ପାକିସ୍ତାନୀ ଗଣମାଧ୍ୟମରେ କୋହଲି ମୁଖ୍ୟ ଶିରୋନାମା ପାଲଟିଛନ୍ତି। ତାଙ୍କ ଫିଟ୍‌ନେସ୍, ଏକାଗ୍ରତା, ସଟ୍ ଚୟନ ଓ ଦୃଢ଼ ମାନସିକତାର ପାକିସ୍ତାନୀ ଯେମିତି ପ୍ରଶଂସକ ପାଲଟି ଯାଇଛନ୍ତି। କିଛିକିଛି ପାକିସ୍ତାନୀ ପ୍ରଶଂସକ ବାବରଙ୍କୁ ନେଇଯାଅ, ଆମକୁ କୋହଲି ଦେଇଦିଅ ଭଳି ଅଜବ ଓ ଆଶ୍ଚର୍ଯ୍ୟଜନକ ସ୍ଲୋଗାନ୍‌ ମଧ୍ୟ ଦେଇଛନ୍ତି। 
ପାକିସ୍ତାନୀ ଗଣମାଧ୍ୟମ ନିଜ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଥିଲା ବେଳେ କୋହଲିଙ୍କୁ ପ୍ରଶଂସାରେ ପୋତି ଦେଇଛି। ସେଠାକାର ୟୁଟ୍ୟୁବର୍‌ କୋହଲିଙ୍କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାରେ ଲାଗି ପଡ଼ିଛନ୍ତି। ପାକିସ୍ତାନ କ୍ରିକେଟ୍ ଉପରେ କୋହଲିଙ୍କ ପ୍ରଭାବ ଯେମିତି ପଡ଼ିଛି, ସମ୍ଭବତଃ ସେହି ଦେଶର କିବଂଦନ୍ତି ୱାସିମ ଆକ୍ରମ ଓ ଇମ୍ରାନ ଖାନ୍‌ ପକାଇପାରି ନଥିଲେ ବୋଲି କେହିକେହି ଖୋଲାଖୋଲି ଭାବେ କହିଛନ୍ତି। ମଜାଦାର କଥା ହେଲା ପାକିସ୍ତାନ କ୍ରିକେଟ୍ ଦଳକୁ ହରାଇଥିଲେ ମଧ୍ୟ କୋହଲି ଏବେ ପାକିସ୍ତାନ‌ରେ ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ତାରକା ପାଲଟି ଯାଇଛନ୍ତି। 

Advertisment

ପାକିସ୍ତାନର ପ୍ରମୁଖ ଦୈନିକ ଇଂରାଜୀ ଖବରକାଗଜ ‘ଡନ୍’ ନିଜ ଦଳର ଲଜ୍ଜା‌ଜନକ ପରାଜୟର ଶିରୋନାମ ରଖିଛି ‘ଚାମ୍ପିଅନ୍ସ ଟ୍ରଫି: କୋହଲିଙ୍କ ବିରାଟ ଶକ୍ତିରେ ପାକିସ୍ତାନ ବିପକ୍ଷ‌ରେ ଭାରତର ସହଜ ବିଜୟ’। ଏହି ରିପୋର୍ଟରେ ପାକିସ୍ତାନୀ ଖେଳାଳିଙ୍କୁ ଭର୍ତ୍ସନା କରାଯିବା ସହ ପାକିସ୍ତାନର ଏକଦିବସୀୟ ଦୁର୍ବଳତାକୁ ଭାରତ ପଦାରେ ପକାଇ ଦେଲା ବୋଲି କୁହାଯାଇଛି। କୋହଲିଙ୍କୁ ‘ଡନ୍’ ଭାରତ-ପାକିସ୍ତାନ କ୍ରିକେଟ୍ ଲଢ଼େଇର ସର୍ବକାଳୀନ ପ୍ରଭାବଶାଳୀ କ୍ରିକେଟର୍ ଭାବେ ବର୍ଣ୍ଣନା କରିଛି। ‘ଡନ୍‌’ ମଧ୍ୟ ଭାରତୀୟ ସ୍ପିନର୍‌ କୁଲଦୀପ ୟାଦବଙ୍କୁ କ୍ରିକେଟ୍ ପଡ଼ିଆରେ ପାକିସ୍ତାନର ଅନ୍ୟତମ ପରମ ଶତ୍ରୁ ଭାବେ ବର୍ଣ୍ଣନା କରିଛି।  

ଜିଓ ନ୍ୟୁଜ୍ ଭାରତର ପଶ୍ଚାତ୍‌ଧାବନରେ କୋହଲିଙ୍କ ପାଳିର ପ୍ରଭାବକୁ ବ୍ୟାଖ୍ୟା କରିଛି। ଅନ୍ୟପକ୍ଷରେ ‘ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍‌’ ଭାରତ-ପାକିସ୍ତାନ ମ୍ୟାଚ୍‌ର ଫଳାଫଳ ଉପରେ ଅଧିକ ଜୋର ଦେଇଛି। ଅନ୍ୟଏକ ଗଣମାଧ୍ୟମ ଲେଖିଛି, କୋହଲି ଯେବେବି ଫର୍ମରେ ନଥିବେ, ସେତେବେଳେ ଭାରତକୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ଉଚିତ। ସେ ତୁରନ୍ତ ଫର୍ମକୁ ଆସିଯିବେ। ସବୁ ପାକିସ୍ତାନ ଗଣମାଧ୍ୟମ କିନ୍ତୁ ଏକ ସ୍ବରରେ ମହମ୍ମଦ ରିଜୱାନଙ୍କ ଦୁର୍ବଳ ନେତୃତ୍ବକୁ କଡ଼ା ସମାଲୋଚନା କରିଛନ୍ତି। ସେହିଭଳି ବାବର ଆଜମଙ୍କ ମନ୍ଥର ବ୍ୟାଟିଂ ଓ ଖରାପ ସଟ୍ ଚୟନକୁ ସେମାନେ ଆଦୌ ପସନ୍ଦ କରିନାହାନ୍ତି। ଇସ୍‌ଲାମାବାଦରେ କିଛି ପାକିସ୍ତାନୀ ପ୍ରଶଂସକ କୋହଲିଙ୍କ ଶତକ ବେଳେ ଉତ୍ସବ ପାଳନ କରିବାର ଭିଡିଓ ବି ଭାଇରାଲ୍‌ ହୋଇଛି। 

କୋହଲି କୋହିନୂର
ପାକିସ୍ତାନ ବିପକ୍ଷ ଜବରଦସ୍ତ ପାଳି ପରେ କୋହଲିଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର୍ ନଭଜ୍ୟୋତ ସିଂହ ସିଦ୍ଧୁ କୋହିନୂର ହୀରା ସହ ତୁଳନା କରିଛନ୍ତି। ‘‘କୋହଲିଙ୍କ ଭଳି କ୍ରିକେଟର୍‌ ବିରଳ। ଏଭଳି କ୍ରିକେଟର୍‌ ୧୦୦ବର୍ଷରେ ଥରେ ଆସିଥା’ନ୍ତି। ଯେ କୌଣସି ଖେଳର ପ୍ରଚାର ଓ ପ୍ରସାରରେ ଆଦର୍ଶ ତାରକାଙ୍କର ଢେର୍‌ ଭୂମିକା ରହିଥାଏ। କ୍ରିକେଟ୍ ପାଇଁ କୋହଲି ହେଉଛନ୍ତି ସେହି ଆଦର୍ଶ। ଗତ ୬ମାସ ହେବ ତାଙ୍କ ଜୀବନରେ ଅନେକ କିଛି ଘଟିଛି। ତେବେ ସେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲାଗି ଭାରତ-ପାକିସ୍ତାନ ମ୍ୟାଚ୍ ଭଳି ବଡ଼ ମଞ୍ଚକୁ ବାଛିଲେ। କୋହଲିଙ୍କ ଏହି ପାଳିକୁ ପ୍ରଶଂସକ ବହୁବର୍ଷ ପର୍ଯ୍ୟନ୍ତ ଭୁଲି ପାରିବେନି। ମୋ କଥା ଆପଣ ଲେଖି ରଖନ୍ତୁ, କୋହଲି ଆହୁରି ୨ରୁ ୩ବର୍ଷ ‌ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବେ ଏବଂ ଆଉ ୧୦ରୁ ୧୫ ଶତକ ଅର୍ଜନ କରିବେ’’ ବୋଲି ସିଦ୍ଧୁ ଏକ ସାକ୍ଷାତକାର ଅବସରରେ କହିଛନ୍ତି। କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତ ବିଜୟ ପରେ କୋହଲିଙ୍କ ପାଖକୁ ପ୍ରେମଭରା ପତ୍ର ଲେଖିଛନ୍ତି।

ବହିଷ୍କୃତ ହେବେ ପାକ୍ ପ୍ରଶିକ୍ଷକ ଆକିବ ଜାଭେଦ
ଲଗାତାର ଦୁଇଟି ପରାଜୟ ବରଣ କରି ଚାମ୍ପିଅନ୍ସ ଟ୍ରଫିରୁ ଅକାଳ ବିଦାୟ ନେବାର ଦ୍ବାର ଦେଶରେ ଥିବା ପାକିସ୍ତାନ କ୍ରିକେଟ୍ ଦଳର ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ ତଥା ପୂର୍ବତନ ଦ୍ରୁତ ବୋଲର୍‌ ଆକିବ ଜାଭେଦଙ୍କ ସହ ତାଙ୍କ ପ୍ରଶିକ୍ଷକ ମଣ୍ଡଳିର ଅନ୍ୟ ସଦସ୍ୟମାନେ ବହିଷ୍କୃତ ହେବେ। ମାର୍ଚ୍ଚ ୧୬ରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ହଟାଇ ଦେବ। ସେହିଭଳି ଚାମ୍ପିଅନ୍ସ ଟ୍ରଫି ପରେ ପାକିସ୍ତାନ ଜାତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା ମଧ୍ୟ ନିଜ ଚାକିରି ହରାଇବେ। ଏଭଳି ଖବର ପାକିସ୍ତାନ କ୍ରିକେଟ୍ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ‌ଗୋପନ ରଖି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌ ଗ୍ୟାରି କର୍ଷ୍ଟେନଙ୍କ ସହ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜାସନ ଗିଲେସ୍ପି ପାକିସ୍ତାନର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡର ମାତ୍ରାଧିକ ହସ୍ତକ୍ଷେପ ସହ ପରିଚାଳନାଗତ ସମସ୍ୟା ପାଇଁ ଉଭୟ ନିଜନିଜ ପଦ ଛାଡ଼ି ଦେଇଥିଲେ। ଫଳରେ ଜାଭେଦଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ମୋହସିନ ନକ୍‌ଭି ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ବାଧ୍ୟ ହୋଇଥିଲେ।