କ୍ୟାଚ୍ ଅଭ୍ୟାସରେ ବାପା ମୋତେ ସହାୟତା କରୁଛନ୍ତି: ରିଦ୍ଧିମାନ

ନୂଆଦିଲ୍ଲୀ: ସଂପ୍ରତି କୋଭିଡ୍‌-୧୯ ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍ ଚାଲିଥିଲା ‌ବେଳେ ଭାରତୀୟ ୱିକେଟ୍‌ରକ୍ଷକ ରିଦ୍ଧିମାନ ସାହାଙ୍କ ଦକ୍ଷିଣ କୋଲ୍‌କାତାସ୍ଥିତ ବାସଭବନ‌ରେ ଅଭ୍ୟାସରତ ଅଛନ୍ତି। ନିକଟରେ ଦ୍ବିତୀୟ ସନ୍ତାନର ପିତା ହୋଇଥିବା ରିଦ୍ଧିମାନଙ୍କୁ ବିଶେଷକରି କ୍ୟାଚ୍ ଅଭ୍ୟାସ ବେଳେ ତାଙ୍କ ବାପା ପ୍ରଶାନ୍ତ ସହାୟତା କରୁଛନ୍ତି। ସଂପ୍ରତି କରୋନା ଯୋଗୁଁ ପ୍ରତିଯୋଗିତା ସବୁ ବନ୍ଦ ଥିବାରୁ ହାତ ଓ ଆଖିର ସନ୍ତୁଳନ ରକ୍ଷା ଲାଗି ରିଦ୍ଧିମାନ ଘରେ ଅଭ୍ୟାସ କରୁଛନ୍ତି। ଅଭ୍ୟାସ ପାଇଁ ନିଜ‌େ ତାଙ୍କ ପିତାଙ୍କ ସହାୟତା ପାଉଥିଲା ବେଳେ ରିଦ୍ଧିମାନ ମଧ୍ୟ ତାଙ୍କ ପୁଅର ଖିଆଲ ରଖୁଛନ୍ତି। ସେ ନିଜ ନବଜାତ ପୁତ୍ର ଆନ୍‌ଭେଙ୍କୁ ସମୟ ଦେଉଛନ୍ତି।

ଆପାର୍ଟମେଣ୍ଟ୍‌ରେ ସମ୍ଭବ ହେଲା ଭଳି ଡ୍ରିଲ୍ କରୁଛି। ୱିକେଟ୍‌ରକ୍ଷକଙ୍କ ପାଇଁ ଜରୁରି ହେଲା ହାତ-ଆଖିର ସନ୍ତୁଳନ ଡ୍ରିଲ୍‌। ଏହାକୁ ବେଶୀ କରୁଛି। ନରମ ବଲ୍‌କୁ କାନ୍ଥକୁ ‌ଫିଙ୍ଗି କ୍ୟାଚ୍ ଅଭ୍ୟାସ କରୁଛି। ‌ଏହି ସମୟରେ ମୋ ବାପା ଫ୍ଲାଟ୍‌ ଭିତରେ କ୍ୟାଚ୍‌ ଅଭ୍ୟାସରେ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି ବୋଲି ଏକ ସାକ୍ଷାତକାରରେ ରିଦ୍ଧିମା‌ନ ପ୍ରକାଶ କରିଛନ୍ତି। ୨୦୧୮-୧୯ରେ କାନ୍ଧ ଅସ୍ତ୍ରୋପଚାର ଯୋଗୁଁ ବାଧ୍ୟତାମୂଳକ ବିରତି ନେଇଥିଲେ ରିଦ୍ଧିମାନ। ଏହି ସମୟରେ କିଭଳି ଅଭ୍ୟାସ କରୁଥିଲେ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଅସ୍ତ୍ରୋପଚାରର ମାସେ ପର୍ଯ୍ୟନ୍ତ ଅଭ୍ୟାସ କରିନଥିଲି। କିନ୍ତୁ କିପିଂ ଡ୍ରିଲ୍ କରିବାକୁ ଚାହୁଁଥିଲି। ଲକ୍‌ଡାଉନ୍‌ ବେଳେ କେବଳ ଦୌଡ଼ିବା ବନ୍ଦ ରହିଛି। ହେଲେ ଆପାର୍ଟମେଣ୍ଟ୍‌ରେ ସଂଧ୍ୟାରେ କିଛି ସମୟ ଚାଲିଥାଏ। ଆମ ଦଳୀୟ ପ୍ରଶିକ୍ଷକ ନିକ୍‌ ୱେବ୍‌ ଆମକୁ ଅଭ୍ୟାସ ସାରଣୀ ଦେଇଛନ୍ତି। ହେଲେ ତାଙ୍କ କହିବା ଅନୁଯାୟୀ ଆମ ପାଖରେ ସେଭଳି ଉପକରଣ ନାହିଁ। ‌ତଥାପି ତାଙ୍କ ସାରଣୀ ଅନୁଯାୟୀ ସାଧାରଣ ଉପକ‌ରଣରେ ଅଭ୍ୟାସ କରୁଛି ବୋଲି ଭାରତ ପାଇଁ ୩୭ ଟେଷ୍ଟ୍‌‌ ଖେଳିଥିବା ୩୫ ବର୍ଷୀୟ ତାରକା ରିଦ୍ଧିମାନ କହିଛନ୍ତି।

ପ୍ରତିଯୋଗିତାମୂଳକ ମ୍ୟାଚ୍‌କୁ ଫେରିବା ପାଇଁ ଦରକାର ହେଉଥିବା ଫିଟ୍‌ନେସ୍‌ ଲାଗି ପ୍ରାୟ ୭-୮ ସପ୍ତାହ ସମୟ ଲାଗିବ ବୋଲି ପ୍ରଶିକ୍ଷକମାନେ କହିଛନ୍ତି। ଏହା ଉପରେ ମତ ରଖି ରିଦ୍ଧିମାନ କହିଛନ୍ତି ଯେ ବୋଲର, ବିଶେଷ କରି ଦ୍ରୁତ ବୋଲରଙ୍କ ପାଇଁ ଏହା ଠିକ୍‌। ସେମାନଙ୍କୁ ଉପଯୁକ୍ତ ରନିଂ, ‌ଲେନ୍ଥ ଏବଂ ଗତି ପାଇବା ଲାଗି ନିଶ୍ଚିତ ସମୟ ଲାଗିବ। ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଆବଶ୍ୟକ ପଡ଼ିବ ନାହିଁ। କିଛି ଦିନର ବିରତି ପରେ ଫେରିବାକୁ ଯାଉଛନ୍ତି। ଏହି ସମୟରେ ୧୪୦ ‌କିମି ବେଗରେ ପଡ଼ୁଥିବା ବଲ୍‌ କି ସ୍ପିନରଙ୍କୁ ୱିକେଟ୍‌ରକ୍ଷଣ କରିବାକୁ ଅସୁବିଧା ହେବ? ଏହାର ଉତ୍ତରରେ ‌ରିଦ୍ଧିମାନ କହିଛନ୍ତି ଯେ ଏହା ନିଜର ମାନସିକ ସନ୍ତୁଳନ ଉପରେ ନିର୍ଭର କରେ। ଭାବୁଛି ସ୍ପିନରଙ୍କ ବିପକ୍ଷରେ କିଛି ଅସୁବିଧା ହେବନି। ତଥାପି ପ୍ରଥମ ଦିନରେ କିଛିଟା ହୋଇପାରେ। କିଛି ବଲ୍‌ ଧରି ନେଲେ ଲୟ ପାଇଯିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର