ନୂଆଦିଲ୍ଲୀ: ଶୁକ୍ରବାରଠାରୁ କୌନ ବନେଗା କରୋଡ଼ପତି (କେବିସି)ର ତ୍ରୟୋଦଶ ଋତୁ ପ୍ରସାରିତ ହୋଇଥିବା ବେଳେ ଏଥିରେ ଭାରତୀୟ କ୍ରିକେଟ୍ ଦଳର ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ବୀରେନ୍ଦ୍ର ସେହବାଗ ଅଂଶଗ୍ରହଣ କରି ଚର୍ଚାକୁ ଆସିଛନ୍ତି। ଏହି ଦୁଇ ମହାନ କ୍ରିକେଟର୍ ପରସ୍ପରର ପାଦ ଟାଣିବା ଭଳି କଥା କହି ମଜା ଉଠାଇବା ସହ ଏକ ଗୁରୁତ୍ବପୂର୍ଣ୍ଣ ଇତିହାସ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଯାଇଛନ୍ତି। ୫୦ ଲକ୍ଷ ଟଙ୍କା ପୁରସ୍କାର ପାଇଁ ପ୍ରଦାନ କରାଯିବାକୁ ଥିବା ପ୍ରଶ୍ନ ବେଳକୁ ହୁଟର୍ ବାଜିଯିବାରୁ ଏଥିରୁ ବଞ୍ଚିତ ହୋଇଛନ୍ତି। ତେବେ ୨୫ ଲକ୍ଷ ଟଙ୍କା ପୁରସ୍କାର ବେଳକୁ କି ପ୍ରଶ୍ନ ଥିଲା ଏବେ ଚର୍ଚ୍ଚାରେ ରହିଛି। ଦାଦା-ବୀରୁଙ୍କୁ ବିଗ୍ ବି’ ପ୍ରଶ୍ନ କରିଥିଲେ କେଉଁ ଦେଶରେ ୧୯୪୨ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ପ୍ରଥମ ରେଡିଓ ସେବା ‘ଆଜାଦ ହିନ୍ଦ ରେଡିଓ’ ଆରମ୍ଭ କରାଯାଇଥିଲା? ଉତ୍ତରର ବିକଳ୍ପ ଥିଲା: ଜାପାନ, ଜର୍ମାନି, ସିଙ୍ଗାପୁର ଓ ବର୍ମା। ସଠିକ୍ ଉତ୍ତର ଥିଲା ଜର୍ମାନି।
କେବିସିର ଏହି ସ୍ବତନ୍ତ୍ର ଅଧ୍ୟାୟରେ ବିଗ୍ ବି’ ଅମିତାଭ ବଚ୍ଚନ ମଧ୍ୟ କହିଥିଲେ ସୌରଭ ଗାଙ୍ଗୁଲି କିଭଳି କେବିସିର ବେଙ୍ଗଲୀ ରୂପାନ୍ତର ପରିଚାଳନା କରିଥିଲେ। ‘କେ ହୋବେ ବେଙ୍ଗଲର କୋଟିପତି’ ସେ ପରିଚାଳନା କରିଥିଲେ। ମୋ ଚାକିରି ବିପଦରେ ପଡ଼ିଯିବ ବୋଲି ସେ ମଧ୍ୟ ମଜାଳିଆ ଢଙ୍ଗରେ ପ୍ରକାଶ କରିଥିଲେ। ସୌରଭ ଏହି ସମୟରେ ଏକ ସଚ୍ଚୋଟ ସତ୍ୟ ସ୍ବୀକାର କରି କହିଥିଲେ, ‘ମୁଁ ଯେତେବେଳେ ପ୍ରଥମେ ପରିଚାଳନା କଲି ସେତେବେଳେ ରିହରସଲ୍ ବେଳେ ଆପଣଙ୍କ (ଅମିତାଭ) କେବିସି ଭିଡିଓ ଦେଖୁଥିଲି’। ଏହି ସମୟରେ ବୀରୁ ମଜାରେ କହିଥିଲେ ‘ସୌରଭ ମୋତେ କେବେ ବି ନିମନ୍ତ୍ରଣ କରିନଥିଲେ’।