ଡାଡ୍‌ସେ୍ଵଲ୍‌ ଏକା ୪୯୦: ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦିନିକିଆ ବିଶ୍ୱ କୀର୍ତିମାନ

ଓ୍ଵିଟ୍‌ରାଣ୍ଡ୍‌ ଓଭାଲ୍‌: ଶନିବାର (ନଭେମ୍ବର ୧୮ ତାରିଖ) ଥିଲା ତାଙ୍କର ୨୦ତମ ଜନ୍ମଦିନ। ଆଉ ଏହି ଦିନକୁ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍‌ସମ୍ୟାନ୍‌ ସେନ୍‌ ଡାଡ୍‌ସେ୍ଵଲ୍‌ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରି ସ୍ମରଣୀୟ କରିଛନ୍ତି। ବିଶ୍ୱାସ କରନ୍ତୁ ବା ନକରନ୍ତୁ ଏହି ୨୦ ବର୍ଷ ବୟସ୍କ ଡାଡ୍‌ସେ୍ଵଲ୍‌ ଶନିବାର ଏଠାରେ ଖେଳାଯାଇଥିବା ଏକ ଦିନିକିଆ (୫୦ ଓଭର ବିଶିଷ୍ଟ) କ୍ଲବ୍‌ ମ୍ୟାଚ୍‌ରେ ବ୍ୟକ୍ତିଗତ ୪୯୦ ରନ୍‌ର ଅବିଶ୍ୱସନୀୟ ପାଳି ଖେଳି ବିଶ୍ୱ କୀତିମାନର ଅଧିକାରୀ ହୋଇଛନ୍ତି। ଏନ୍‌ଡବ୍ଲୁୟୁ ପୁକେ କ୍ଲବ୍‌ ପକ୍ଷରୁ ଖେଳିଥିବା ଅଲ୍‌ରାଉଣ୍ଡର ଡାଡ୍‌ସେ୍ଵଲ୍‌ ପୋଚ୍‌ ଡ୍ରପ୍‌ ପ୍ରଥମ କ୍ଲବ୍‌ ବିପକ୍ଷରେ ଏକାକି ୪୯୦ ରନ୍‌ ସଂଗ୍ରହ କରିଥିଲେ। ବିପକ୍ଷ ଦଳର ବୋଲରଙ୍କୁ ନିର୍ଦୟ ପ୍ରହାର କରି ଡାଡ୍‌ସେ୍ଵଲ୍‌ ୧୫୧ ବଲ୍‌ରୁ ଏହି ବିଶ୍ୱ କୀର୍ତିମାନ ଭରା ସ୍କୋର୍‌ କରିଥିଲା ବେଳେ ତାଙ୍କ ପାଳିରେ ୫୭ ଛକା ଓ ୨୭ ଚୌକା ସାମିଲ ଥିଲା। ଆଉ ତାଙ୍କର ଏହି ଧମାକାଦାର ପାଳି ବଳରେ ଏନ୍‌ଡବ୍ଲୁୟୁ ପୁକେ ଦଳ ନିର୍ଧାରିତ ୫୦ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ସଂଗ୍ରହ କରିଥିଲା ୬୭୭ ରନ୍‌। ଏହି ମୋଟ ଦଳୀୟ ସ୍କୋର୍‌ ମଧ୍ୟରେ କେବଳ ଛକା (୬୩) ଓ ଚୌକା (୪୮)ରୁ ମିଳିଥିଲା ୫୭୦ ରନ୍‌। ଡାଡ୍‌ସେ୍ଵଲ୍‌ଙ୍କୁ ଉପଯୋଗୀ ସହାୟତା ଦେଇ ସାଥୀ ଖେଳାଳି ରୁଆନ୍‌ ହାସ୍‌ବ୍ରୋକ୍‌ ୫୪ ବଲ୍‌ରୁ ୧୦୪ (୬ ଛକା ଓ ୧୨ ଚୌକା) ରନ୍‌ର ଅବଦାନ ରଖିଥିଲେ। ପୋଚ୍‌ ଡ୍ରପ୍‌ ପକ୍ଷରୁ ୪ ବୋଲର ୧୦୦ରୁ ଅଧିକ ଏବଂ ୨ ବୋଲର ୯୦ରୁ ଅଧିକ ରନ୍‌ ବ୍ୟୟ କରିଥିଲେ। ଜବାବରେ ପୋଚ୍‌ ଡ୍ରପ୍‌ ଦଳ ପୂରା ୫୦ ଓଭର ଖେଳିଥିଲେ ମଧ୍ୟ ୯ ଓ୍ଵିକେଟ୍‌ ହରାଇ ୨୯୦ ରନ୍‌ କରିପାରିଥିଲା। ଫଳରେ ଡାଡ୍‌ସେ୍ଵଲ୍‌ଙ୍କ ଦଳ ଏହି ମ୍ୟାଚ୍‌କୁ ୩୮୭ ରନ୍‌ରେ ଜିତିଯାଇଥିଲା। ବ୍ୟାଟିଂ ବିଶ୍ୱ କୀର୍ତିମାନ ପରେ ଡାଡ୍‌ସେ୍ଵଲ୍‌୍‌ ବୋଲିଂରେ ବି କମାଲ ଦେଖାଇଥିଲେ। ସେ ୭ ଓଭର ବୋଲିଂ କରି ୩୨ ରନ୍‌ରେ ୨ ଓ୍ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର