ପ୍ରୀତିଙ୍କ କିଙ୍ଗ୍‌ ଇଲେଭେନ୍‌ରେ କଶ୍ମୀର ‘ସିକସ୍‌ରମ୍ୟାନ୍‌’, ଦିନ ମଜୁରିଆ ହୋଇ ରୋଜଗାର କରୁଥିଲେ ୬୦ ଟଙ୍କା

ନିଲାମୀ ଟଙ୍କାରେ ମା’ଙ୍କ ଚିକିତ୍ସା କରିବେ ଡାର, ଅର୍ଦ୍ଧନିର୍ମିତ ଘର କରିବେ ସଂପୂର୍ଣ୍ଣ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପ୍ରୀତିଜିଣ୍ଟାଙ୍କ ଆଇପିଏଲ୍‌ ଟିମ୍‌ ‘କିଙ୍ଗ୍‌ ଇଲେଭେନ୍‌ ପଞ୍ଜାବ’କୁ ଜଣେ କଶ୍ମୀର ‘ସିକସ୍‌ରମ୍ୟାନ’ ମିଳିଛି। ଏକଦା ଦିନ ମଜୁରିଆ ଭାବରେ ୬୦ ଟଙ୍କା ରୋଜଗାର କରୁଥିବା ଯୁବକ ମଞ୍ଜୁର ଡାର ଆଜିର ଦିନରେ ଲକ୍ଷପତି ହୋଇପାରିଛନ୍ତି। ମଞ୍ଜୁରାକୁ ୨୦ ଲକ୍ଷ ଟଙ୍କାରେ କିଣିଛି ପଞ୍ଜାବ ଟିମ୍‌।

ଲମ୍ବା ସର୍ଟ(୧୦୦ ମିଟରରୁ ଅଧିକ) ଖେଳିବାରେ ସିଦ୍ଧହସ୍ତ ମଞ୍ଜୁରା କହିଛନ୍ତି, ମୁଁ ଆହ୍ଲାଙ୍କୁ ଧନ୍ୟବାଦ କରୁଛି। କିଙ୍ଗସ୍‌ ଇଲେଭେନ୍‌ ଓ ପ୍ରୀତି ଜିଣ୍ଟାଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବି। ମୋର ଜୀବନ ସଂଘର୍ଷପୂର୍ଣ୍ଣରେ ବିତିଛି ଓ ମୋତେ କୌଣସି ଟିମ୍‌ କିଣିବ ତାହା କଳ୍ପନା କରି ନ ଥିଲି। ଧୂରନ୍ଧର ବ୍ୟାଟସ୍‌ମ୍ୟାନ କହିଛନ୍ତି, ନିଲାମୀ ସମୟରେ ମୁଁ ମୋ ଗାଁ କଥା ମନେ ପକାଉଥିଲି, ଶ୍ରମ କାମ କରି ଦିନକୁ ୬୦ଟଙ୍କା ରୋଜଗାର କରୁଥିଲି।

 

ଡାର ଆଇପିଏଲ୍‌ ନିଲାମୀରେ ଚୟନ ହେବାରେ ପ୍ରଥମ କଶ୍ମୀରୀ କ୍ରିକେଟର। ସେଥିପାଇଁ କେବଳ ସେ ନୁହେଁ, ବରଂ ପୁରା ଜମ୍ମୁ କଶ୍ମୀର ଗର୍ବ କରୁଛି। ଆସନ୍ତା ଫେବ୍ରୁଆରିରେ ଜମ୍ମୁରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି, ଅଭିନନ୍ଦନ ଜଣାଇବା ପାଇଁ ପାଖାପାଖି ୩୦ ହଜାର ଲୋକ ମୋ ପାଖକୁ ଆସିଥିଲେ। ଏମିତ ଭଲ ପାଇବା ମୋ ଜୀବନରେ ନିଆର ଅନୁଭୂତି ବୋଲି ସେ କହିଛନ୍ତି।

ଲକ୍ଷ୍ୟ ଥିଲା ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବା

କ୍ରିକେଟ ଖେଳିବା ସ୍ୱପ୍ନ ପୂରା କରିବା ପାଇଁ ଡାର ରାତିରେ ସୁରକ୍ଷାକର୍ମୀ କାମ କରୁଥିଲେ। ରାତିରେ ଉଜାଗର ଥିବା ସତ୍ତ୍ୱେ, ଦିନରେ କ୍ରିକେଟ ଖେଳୁଥିଲେ। ପାଣ୍ଡବ ନାମରେ ଜଣାଶୁଣା ଡାର କହିଛନ୍ତି, ଏହା ଏକମାତ୍ର ଉପାୟ ଥିଲା, ଯାହାଦ୍ୱାରା କି ମୁଁ କ୍ରିକେଟ ଖେଳି ପାରୁଛି। ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରାତିରେ ସୁରକ୍ଷାକର୍ମୀ ଥିଲି। ଏହି ସମୟରେ କ୍ଲବ କ୍ରିକେଟ ଖେଳିବା ଆରମ୍ଭ କରି ଦେଇଥିଲି ବୋଲି ଡାର କହିଛନ୍ତି। ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବା ଲକ୍ଷ୍ୟ କରିଥିଲି। ସେଥିବାଇଁ ଟଙ୍କା ରୋଜଗାର କରିବାକୁ ପଡୁଥିଲା। ମୋର ମନେ ପଡୁଛି ଯେ, ମୁଁ ଯେତେବେଳେ ପ୍ରଥମେ କ୍ରିକେଟ ଖେଳୁଥିଲି, ସେଇ ସମୟରେ ପାଖରେ ଜୋତା କି କ୍ରିକେଟ ପାଇଁ ଆବଶ୍ୟକ ଅନ୍ୟ ସାମଗ୍ରୀ ନଥିଲା। ଗତ ବର୍ଷ ଜାନୁଆରିରେ ରାଜ୍ୟ ଟିମ୍‌ରେ ସାମିଲ ହୋଇ ୪ଟି ମ୍ୟାଚ୍‌ ଖେଳିଥିବା ଡାର ୯ଟି ଟି-୨୦ କ୍ରିକେଟ ମ୍ୟାଚ୍‌ ଖେଳିଛନ୍ତି।

୨୦ ଲକ୍ଷ ଟଙ୍କା ବଡ଼ ନୁହେଁ: ଡାର

ଆଜିକାଲିର କ୍ରିକେଟରେ ୨୦ଲକ୍ଷ ଟଙ୍କା ବଡ଼ କଥା ନୁହେଁ କିନ୍ତୁ ମୋ ପାଇଁ ବଡ଼। ସେ କହିଛନ୍ତି, ଗତ ୩ ବର୍ଷ ହେଲା ମୁଁ ଘର ନିର୍ମାଣ କରୁଛି, ଯାହାକି ପୁରା ହୋଇ ପାରୁନାହିଁ। ଆଶା କରୁଛି ଯେ, ଏବେ ଏହା ସଂପୂର୍ଣ୍ଣ ହୋଇଯିବ। ସେ କହିଛନ୍ତି, ଏହି ଟଙ୍କାକୁ ବ୍ୟବହାର କରି ରୋଗୀଣୀ ମା’ର ଚିକିତ୍ସା କରିବି।

ସମ୍ବନ୍ଧିତ ଖବର