ଦିନିକିଆ ଶୃଙ୍ଖଳା: ଚେନ୍ନାଇରେ ଆଜି ନିର୍ଣ୍ଣାୟକ ମୁକାବିଲା

ଭାରତୀୟ ବ୍ୟାଟରଙ୍କ ଆଗରେ ଷ୍ଟାର୍କଙ୍କ ସୁଇଂ ଆହ୍ବାନ, ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଦଳକୁ ଫେରିପାରନ୍ତି ୱାର୍ଣ୍ଣର

ଚେନ୍ନାଇ: ଆନ୍ତର୍ଜାତିକ କ୍ରିକେଟ୍‌ର ଦୁଇ ଶ୍ରେଷ୍ଠ ଦଳ ଚଳିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଭାରତ ଗସ୍ତର ଶେଷ ମ୍ୟାଚ୍‌ ଚେନ୍ନାଇରେ ହେବାକୁ ଥିବା ବେଳେ ଏହାକୁ ଜିତିବା ଉଭୟ ଦଳର ଲକ୍ଷ୍ୟ ରହିବ। କାରଣ ଏଥିପୂର୍ବରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସ୍ଥିତି ୧-୧ରେ ବରାବର ରହିଛନ୍ତି। କିନ୍ତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ଦର୍ଶକମାନଙ୍କ ମନୋରଂଜନ ହୋଇପାରିନଥିବାରୁ ଚେନ୍ନାଇରେ ତାହା ପୂରଣ ହୋଇପାରୁଛି କି ନାହିଁ, ତାହା ଦେଖିବାର କଥା। କାରଣ ପୂର୍ବ ଦୁଇ ମ୍ୟାଚ୍‌ କମ୍‌ ରନ୍‌ ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୦୦ ରନ୍‌ ବି ଛୁଇଁ ପାରୁନଥିଲେ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ ପିଚ୍‌ରେ ମଧ୍ୟ ରନ୍‌ ବାହାର କରିବାରେ ବ୍ୟାଟରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ଶେଷ ଥର ପାଇଁ ୨୦୧୭ରେ ଉଭୟ ଦଳ ଖେଳିଥିବା ମ୍ୟାଚ୍‌ରେ ଭାରତର ବ୍ୟାଟିଂକ୍ରମ ଆରମ୍ଭରୁ ବିପର୍ଯ୍ୟୟମୁହାଁ ହୋଇଥିଲା। ତେବେ ଧୋନି, ହାର୍ଦ୍ଦିକ ଓ କେଦାର ଯାଦବଙ୍କ ଯୋଗୁଁ ଘରୋଇ ଦଳ ୨୮୧ ରନ୍‌ କରିଥିଲା। ତେବେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୬୪ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଅଷ୍ଟ୍ରେଲିଆ ମାତ୍ର ୧୩୭ ରନ୍‌ କରିପାରିଥିଲା।

ଏପରିକି ହାଇସ୍କୋରିଂ ପଡ଼ିଆ ଭାବେ ଏହାକୁ ପରିଗଣିତ କରାଯାଉନାହିଁ। ତେଣୁ ବୁଧବାର ମ୍ୟାଚ୍‌ ଦର୍ଶକଙ୍କୁ କେତେ ରୋମାଞ୍ଚ ଦେଇପାରିବ ତାହା ପିଚ୍‌ର ବ୍ୟବହାରରୁ ଜଣାପଡ଼ିବ। ଚେନ୍ନାଇରେ ୨୦୧୯ ପରଠୁ ଆଉ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳାଯାଇନି। ତେଣୁ ଏହା ମଧ୍ୟରେ ପିଚ୍‌କୁ ହୁଏତ ନୂତନ ଭାବେ ପ୍ରସ୍ତୁତ କରାଯାଇଥାଇପାରେ। କିନ୍ତୁ ବିଶ୍ବକପ୍‌ ପ୍ରସ୍ତୁତିକୁ ନଜରରେ ରଖିଲେ ଭାରତ ପାଖରେ ଘରୋଇ ପଡ଼ିଆକୁ ପରୀକ୍ଷା କରିବାର ଏହା ଶେଷ ସୁ‌ଯୋଗ ରହିବ। ବିଶାଖାପାଟଣାରେ ଭାରତ ୩ ସ୍ପିନରଙ୍କୁ ନେଇ ପରୀକ୍ଷା କରିଥିଲା। କିନ୍ତୁ ବ୍ୟାଟରଙ୍କ ବିଫଳତା ଯୋଗୁଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଗୋଡ଼ ଉପରକୁ ଆସୁଥିବା ମିଚେଲ୍‌ ଷ୍ଟାର୍କଙ୍କ ସିଧା ବଲ୍‌କୁ ଖେଳିବାରେ ଭାରତୀୟ ବ୍ୟାଟର ସେତିକି ସଫଳ ହୋଇପାରୁନଥିଲା ବେଳେ ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି ସମାନ ଧରଣର ଆଉଟ ହେଉଛନ୍ତି। ତେଣୁ ସମୟ ପୂର୍ବରୁ ଏହି ତ୍ରୁଟିକୁ ସୁଧାରିନେବା ଜରୁରି ହୋଇପଡ଼ିଛି। କେବଳ ଭାରତ ନୁହେଁ, ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଶ୍ବକପ୍‌ ପୂର୍ବରୁ ଭାରତରେ ଏହା ଶେଷ ମ୍ୟାଚ୍‌ ହେବ। ଯଦିଓ ଅକ୍ଟୋବରରେ ଅଭ୍ୟାସ ମ୍ୟାଚ୍‌‌ ଖେଳିବାକୁ ଅଷ୍ଟ୍ରେଲୀୟ ‌ଖେଳାଳି ଭାରତ ଆସିପାରନ୍ତି, ତଥାପି ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ସହିତ କଙ୍ଗାରୁ ଦଳ ଶେଷ ପ୍ରସ୍ତୁତି କରିବ। ଏହାସତ୍ତ୍ବେ ଅଷ୍ଟ୍ରେଲୀୟ ମଧ୍ୟକ୍ରମ ବ୍ୟାଟର ଏପର୍ଯ୍ୟନ୍ତ ‌ଭାରତୀୟ ପରିବେଶରେ ଖାପ୍‌ଖୁଆଇ ପାରିନାହାନ୍ତି।

ନଜରରେ ସୂର୍ଯ୍ୟକୁମାର ଓ ୱାର୍ଣ୍ଣର
ଦୁଇଟି ମ୍ୟାଚ୍‌ରେ ଗୋଟିଏ ଲେଖାଏଁ ବଲ୍‌ ଖେଳି ଆଉଟ୍‌ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ। ଷ୍ଟାର୍କଙ୍କ ଇନ୍‌ସୁଇଂକୁ ବୁଝିପାରୁନାହାନ୍ତି ଏହି ୧ ନମ୍ବର ମାନ୍ୟତାପ୍ରାପ୍ତ ଟ୍ବେଣ୍ଟି-୨୦ ବ୍ୟାଟର। ତଥାପି ରୋହିତ ଶର୍ମା ତାଙ୍କୁ ଏହି ଫର୍ମାଟ୍‌ରେ ସେଟ୍‌ ହେବା ପାଇଁ ୭ରୁ ୧୦ ପାଳିରେ ଖେଳାଇବାକୁ ଚାହୁଁଛନ୍ତି। ଏପରିକି ପ୍ରଥମ କିଛି ବଲ୍‌ରେ ସେ ସେଟ୍‌ ହୋଇପାରିବେ ବୋଲି ଅଷ୍ଟ୍ରେଲୀୟ କ୍ରିକେଟର ଆରୋନ୍‌ ଫିଞ୍ଚ୍‌ ମଧ୍ୟ ବିଶ୍ବାସ କରୁଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସେ ଆରମ୍ଭରୁ ସୁଇଂ ବଲ୍‌ ଖେଳିବା ଅବସର ଖୁବ୍‌ କମ୍‌ ପାଇଛନ୍ତି। ଗତ ୬ ପାଳି ମଧ୍ୟରେ ତିନିଥର ତୃତୀୟ ଓଭର ପୂର୍ବରୁ ବ୍ୟାଟିଂ କରିବାକୁ ସେ ସୁଯୋଗ ପାଇଥିଲେ ବି ଦୁଇଥର ସ୍ପିନରଙ୍କ ହାବୁଡ଼ରେ ପଡ଼ିଛନ୍ତି। କିନ୍ତୁ ଟ୍ବେଣ୍ଟି-୨୦ର ନୂଆ ବଲ୍‌ ଓ ଦିନିକିଆର ନୂଆ ବଲ୍‌ ଭିତରେ ଅନେକ ଫରକ ରହୁଛି। ଏବେ ଦିନିକିଆରେ ତିନି ଓଭର ଭିତରେ ତାଙ୍କୁ ଦୁଇ ଥର ବ୍ୟାଟିଂ କରିବାକୁ ପଡ଼ିଛି। ‌ହେଲେ ସବୁଥର ଷ୍ଟାର୍କଙ୍କ ଇନ୍‌ ସୁଇଂ ତାଙ୍କୁ ଅସୁବିଧାରେ ପକାଉଛି। ତେଣୁ ନିର୍ଣ୍ଣାୟକ ମ୍ୟାଚ୍‌ରେ ତାଙ୍କୁ ପୁଣି ସୁଯୋଗ ମିଳୁଛି ନା ଈଶାନ କିଶନ ପ୍ରତ୍ୟାବର୍ତ୍ତନ କରିବେ ତାହା ଅପେକ୍ଷା କରିବାକୁ ହେବ।

ଦିଲ୍ଲୀ ଟେଷ୍ଟ ପରଠୁ ଡେଭିଡ୍‌ ୱାର୍ଣ୍ଣର ମଧ୍ୟ ଖେଳି ପାରିନାହାନ୍ତି। ୱାର୍ଣ୍ଣରଙ୍କ କହୁଣୀରେ ଆଘାତ ଲାଗିଥିବାରୁ ମାର୍ଶ ତାଙ୍କ ସ୍ଥାନ ନେଇ ଜବରଦସ୍ତ ପ୍ରଦର୍ଶନ ଦେଇଛନ୍ତି। ୱାର୍ଣ୍ଣର ଓ ହେଡ୍‌ ଅଷ୍ଟ୍ରେଲିଆ ପାଇଁ ପାଳି ଆରମ୍ଭ କରୁଥିଲା ବେଳେ ୭ରୁ ୩ ପାଳିରେ ଦ୍ରୁତ ରନ୍‌ ବାହାରକରୁଥିଲେ। କିନ୍ତୁ ୱାର୍ଣ୍ଣରଙ୍କ ଟେଷ୍ଟ ପ୍ରଦର୍ଶନ ଆଉ ଭଲ ନଥିଲା ବେଳେ ଧଳାବଲ୍‌ରେ ସେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗକୁ ଅଷ୍ଟ୍ରେଲିଆର ଦୁଇ ବିଶ୍ବକପ୍‌ (ଦିନିକିଆ ଓ ଟ୍ବେଣ୍ଟି-୨୦) ଖେଳିବାକୁ ଚାହିଁଛନ୍ତି। ତେଣୁ ତୃତୀୟ ଦିନିକିଆରେ ସେ ଦଳକୁ ଫେରିବା ପାଇଁ ନେଟ୍ସରେ ଅଧଘଣ୍ଟା ବ୍ୟାଟିଂ ଅଭ୍ୟାସ କରିଛନ୍ତି। ଯଦି ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତାହେଲେ ଶୀର୍ଷ କ୍ରମରେ ବ୍ୟାଟିଂ ପାଇଁ ସେ ପ୍ରଥମ ଦାବିଦାର ବୋଲି ପ୍ରମାଣିତ କରିପାରିବେ।

ପିଚ୍‌ ଓ ପାଣିପାଗ
ଚେନ୍ନାଇରେ ସୋମବାର ବର୍ଷା ହୋଇଛି। ଯାହାଫଳରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସର ଅଭ୍ୟାସ ବାଧାପ୍ରାପ୍ତ ‌ହୋଇଥିଲା। କିନ୍ତୁ ବୁଧବାର ସୁଦ୍ଧା ଆକାଶ ସଫା ହୋଇଯିବା ଅନୁମାନ କରାଯାଉଛି। ଗରମ ପାଗ ଓ ଅଧିକ ଆଦ୍ରତା ଅନୁଭୂତ ହେବା ସମ୍ଭାବନା ଥିବାରୁ ବଲ୍‌ ଅଧିକ ସୁଇଂ ହେବ ଓ ସିମ୍‌ ଅଧିକ ହଲଚଲ୍‌ କରିବ। ଯଦିଓ ଏହି ଷ୍ଟାଡିୟମ୍‌ ସ୍ପିନ୍‌କୁ ସୁହାଇ ଆସୁଥିବା ବିଗତ ଆଇପିଏଲ୍‌ ମ୍ୟାଚ୍‌ଗୁଡ଼ିକରେ ଦେଖାଯାଇଛି। କିନ୍ତୁ ଦିନିକିଆ ବେଳକୁ ପ୍ରଥମ ଭାଗ ଦ୍ରୁତ ବୋଲରଙ୍କ ସପକ୍ଷରେ ଯିବା ସମ୍ଭାବନା ରହୁଛି।

ପରିସଂଖ୍ୟାନ
ଉଭୟ ଭାରତ ଓ ‌ଅଷ୍ଟ୍ରେଲିଆ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଦୁଇଥର ଭେଟାଭେଟି ହୋଇଛନ୍ତି। ପ୍ରଥମେ ୧୯୮୭ ମସିହା ବିଶ୍ବକପ୍‌ ବେଳେ ମାର୍ସଙ୍କ ବାପା ଜିଓଫ୍‌ ମାର୍ଶ ୧୧୦ ରନ୍‌ର ପାଳି ଖେଳିଥିଲେ। ୨୦୧୭ରେ ଶେଷ ଥର ପାଇଁ ଉଭୟ ଦଳ ଏଠାରେ ଖେଳିଥିଲେ। ତେବେ ଚେନ୍ନାଇରେ ଅଷ୍ଟ୍ରେଲିଆ ମୋଟ ୫ ମ୍ୟାଚ୍‌‌ ଖେଳିଥିଲା ବେଳେ‌ ଶେଷ ମ୍ୟାଚ୍‌କୁ ଛାଡ଼ିଦେଲେ ୪ଥର ବିଜୟୀ ହୋଇଛି। ଚଳିତ ଶୃଙ୍ଖଳାରେ ଯଦିଓ ପଛରେ ବ୍ୟାଟିଂ କରୁଥିବା ଦଳ ଫାଇଦାରେ ରହୁଛି, କିନ୍ତୁ ଚେନ୍ନାଇରେ ୨୨ ଦିନିକିଆରୁ ୧୩ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ (୨୦୧୯)ରେ ୱେଷ୍ଟଇଣ୍ଡିଜ୍‌ ପଛରେ ବ୍ୟାଟିଂ କରି ଭାରତ ବିପକ୍ଷରେ ବିଜୟୀ ହୋଇଥିଲା। ଭାରତୀୟ ବ୍ୟାଟର କେଏଲ୍‌ ରାହୁଲ ୫୦ ଦିନିକିଆରୁ ୧୯୫୪ ରନ୍‌ ସଂଗ୍ରହ କରିଛନ୍ତି। ଯଦି ଏଠାରେ ସେ ଆଉ ୪୬ ରନ୍‌ ସଂଗ୍ରହ କରନ୍ତି, ତାହେଲେ ୨୦୦୦ ରନ୍‌ ମାଇଲ୍‌ଖୁଣ୍ଟ ଛୁଇଁବାରେ ଶିଖର ଧାୱନ (୪୮ ପାଳି)ଙ୍କ ପରେ ଦ୍ବିତୀୟ ଦ୍ରୁତତମ ବ୍ୟାଟର ହୋଇପାରିବେ। ସ୍ମିଥ୍‌ ମଧ୍ୟ ଏହି ଫର୍ମାଟ୍‌ରେ ୫୦୦୦ ରନ୍‌ ମାଇଲ୍‌ଖୁଣ୍ଟ ଛୁଇଁବାଠୁ ୬୧ ରନ୍‌ ଦୂରରେ ଅଛନ୍ତି। ଚେନ୍ନାଇରେ ‌ଏହାକୁ ହାସଲ କରିପାରିଲେ ଅଷ୍ଟ୍ରେଲିଆ ପାଇଁ ଯୁଗ୍ମ ଦ୍ବିତୀୟ ଦ୍ରୁତତମ ଖେଳାଳି ହୋଇପାରିବେ।

ସମ୍ଭାବ୍ୟ ଭାରତୀୟ ୧୧: ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ୧୧: ଡେଭିଡ୍‌ ୱାର୍ଣ୍ଣର, ଟ୍ରାଭିସ୍‌ ହେଡ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ୍‌ ମାର୍ଶ, ଆଲେକ୍ସ କ୍ୟାରି, କାମେରନ ଗ୍ରିନ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କସ ‌ଷ୍ଟାଇନିସ୍‌, ସିନ୍‌ ଆବୋଟ୍‌/ଅଷ୍ଟନ ଅଗର/ନାଥନ ଇଲିସ୍‌, ମିଚେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର