ଶୁକ୍ରବାରରୁ ଦିନିକିଆ ଶୃଙ୍ଖଳା: ସ୍ମିଥ୍ ଅଷ୍ଟ୍ରେଲିଆର ନେତୃତ୍ବ ନେବେ
କମିନ୍ସ ସ୍ବଦେଶରୁ ଫେରିବେନି; ୱାର୍ଣ୍ଣର ଓ ଅଗର ଫେରିବେ
ମୁମ୍ବାଇ: ଅଷ୍ଟ୍ରେଲିଆ ଦଳର ବରିଷ୍ଠତମ ସଦସ୍ୟ ଷ୍ଟିଭେନ୍ ସ୍ମିଥ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ନେତୃତ୍ବ ନେବେ। ନିଜ ମା’ଙ୍କ ଦେହାନ୍ତ କାରଣରୁ ଟେଷ୍ଟ୍ ଶୃଙ୍ଖଳା ଅଧାରୁ ସ୍ବଦେଶ ଫେରିଯାଇଥିବା ପ୍ୟାଟ୍ କମିନ୍ସ ଆଉ ଭାରତ ଫେରିବେ ନାହିଁ ବୋଲି ପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକ୍ଡୋନାଲ୍ଡ ସ୍ପଷ୍ଟ କରିଛନ୍ତି। ଶୁକ୍ରବାରଠାରୁ ମୁମ୍ବାଇରୁ ଏହି ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ସ୍ମିଥ୍ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଅଧାରୁ ଦାୟିତ୍ବ ନେଇ ଅପରାଜେୟ ରହିଥିଲେ। ପ୍ରଥମ ଦୁଇ ଟେଷ୍ଟ ହାରିଯିବା ପରେ ସ୍ମିଥ୍ଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଇନ୍ଦୋରରେ ଜିତିବା ସହ ଅହମବାଦାବରେ ଡ୍ର’ ରଖି ସମ୍ମାନ ରଖିଥିଲା। କମିନ୍ସଙ୍କ ବଦଳରେ କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ ବଦଳ ଖେଳାଳି ଘୋଷଣା କରିନାହିଁ।
ଟେଷ୍ଟ୍ ଶୃଙ୍ଖଳାରେ ସଂଘର୍ଷ କରିବା ପରେ ବାଦ୍ ପଡ଼ିଥିବା ଡେଭିଡ୍ ୱାର୍ଣ୍ଣର ଦିନିକିଆ ଦଳକୁ ଫେରିବେ। ପୂର୍ବରୁ ଆହତ କାରଣରୁ ଝେ ରିଚାର୍ଡସନ୍ଙ୍କ ବଦଳରେ ନାଥନ୍ ଏଲିସ୍ଙ୍କୁ ସାମିଲ କରାଯାଇଥିଲା। ଅଷ୍ଟନ୍ ଅଗର ମଧ୍ୟ ପ୍ରତ୍ୟାବର୍ତନ କରି ଆଦାମ ଜାମ୍ପାଙ୍କ ସ୍ପିନ୍ ପାର୍ଟନର ଭୂମିକା ତୁଲାଇବେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଗମ୍ଭୀର ଆହତ ସମସ୍ୟା କାରଣରୁ ଦଳଠାରୁ ଦୂରେଇ ରହିଥିବା ଦୁଇ ବରିଷ୍ଠ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ସ ମଧ୍ୟ ଏହି ଶୃଙ୍ଖଳା ଅବସରରେ ଦଳକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଆରୋନ୍ ଫିଞ୍ଚ୍ ଅବସର ନେବା ପରଠାରୁ କମିନ୍ସ ଦିନିକିଆ ନେତୃତ୍ବ ଭାର ସମ୍ଭାଳିଥିଲେ ମଧ୍ୟ ବିଭିନ୍ନ କାରଣରୁ ମାତ୍ର ୨ଟି ମ୍ୟାଚ୍ରେ ଦାୟିତ୍ବ ତୁଲାଇପାରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ବକପ୍ ଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ଗୁରୁତ୍ବ ରଖିଛି।
ଅଷ୍ଟ୍ରେଲିଆ ଦଳ: ଡେଭିଡ ୱାର୍ଣ୍ଣର, ଟ୍ରାଭିସ ହେଡ୍, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ମାର୍ନସ ଲବୁସାନ, ମିଚେଲ ମାର୍ସ, ମାର୍କସ ଷ୍ଟୋଇନିସ, ଆଲେକ୍ସ କାରି (ୱିକେଟ୍ରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ୍, କାମେରନ ଗ୍ରିନ୍, ଜୋସ୍ ଇଙ୍ଗଲିସ, ସିନ୍ ଆବୋଟ, ଆଷ୍ଟନ ଅଗର, ମିଚେଲ ଷ୍ଟାର୍କ, ନାଥନ ଏଲିସ, ଆଦାମ ଜାମ୍ପା।