ନୂଆଦିଲ୍ଲୀ: କ୍ରିକେଟ୍ରେ ଟ୍ବେଣ୍ଟି-୨୦ ର ପ୍ରଚଳନ ହେବା ଦିନଠୁ ଏହି ଖେଳର ରୂପରେଖ ବଦଳିବାରେ ଲାଗିଲାଣି। ବ୍ୟାଟରମାନେ ପୂର୍ବାପେକ୍ଷା ଅଧିକ ଉଗ୍ର ଶୈଳୀ ଆପଣାଉଥିଲା ବେଳେ ହାର୍ଡ ହିଟ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଭାରତରେ ହେବାକୁ ଯାଉଥିବା ଦିନିକିଆ ବିଶ୍ବକପ୍ ଆହୁରି ଭୟଙ୍କର ହେବାକୁ ଯାଉଛି। ସମସ୍ତ ପ୍ରତିଦ୍ବନ୍ଦ୍ବୀମାନେ କେହି କାହାଠୁ କମ୍ ନୁହଁନ୍ତି। ଏପରିକି ୫ଦିନିକିଆ ଟେଷ୍ଟ ମ୍ୟାଚ୍ରେ ବି ଆକ୍ରମଣାତ୍ମକ ଶୈଳୀ ଦେଖିବାକୁ ମିଳୁଛି। ତେଣୁ ପ୍ରଥମ ଥର ଭାରତ ଏକୁଟିଆ ବିଶ୍ବକପ୍ ଆୟୋଜକ ହୋଇଥିବାରୁ ବ୍ୟାଟ୍ ଓ ବଲ୍ର ଭଲ ଲଢେଇ ଦେଖିବାକୁ ମିଳିବ ବୋଲି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି। ତାଙ୍କ ମତରେ, ବିଶ୍ବବ୍ୟାପୀ କ୍ରିକେଟ ପ୍ରଶଂସକଙ୍କୁ ରୋମାଞ୍ଚକର ମ୍ୟାଚ୍ ଉପଭୋଗ କରିବା ପାଇଁ ଭଲ ସୁଯୋଗ ଆସିଛି। ମ୍ୟାଚ୍ଗୁଡ଼ିକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ। ଦର୍ଶକଙ୍କୁ ନିରାଶ ନକରିବା ପାଇଁ ଆମେ ମଧ୍ୟ ଭଲ ପ୍ରସ୍ତୁତି କରିଛୁ ବୋଲି ରୋହିତ କହିଛନ୍ତି।
ଭାରତରେ ହେବାକୁ ଯାଉଥିବା ଏହି ବିଶ୍ବକପ୍ ପାଇଁ ତାରକା ବ୍ୟାଟର୍ ବିରାଟ କୋହଲି ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ବିଶେଷ କରି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳିବା ପାଇଁ ସେ ବ୍ୟଗ୍ର ଅଛନ୍ତି। ୨୦୧୧ ବିଶ୍ବକପ୍ ଟ୍ରଫିକୁ ଏହି ଷ୍ଟାଡିୟମ୍ରେ ଭାରତ ହାତେଇଥିଲା। ୱାଙ୍ଖଡ଼େ ପରିବେଶ ସବୁବେଳେ ତାଙ୍କ ପାଇଁ ସ୍ମରଣୀୟ ରହିବ। ଭାରତର ପ୍ରଶଂସକଙ୍କ ପାଇଁ ଏହି ସ୍ଥାନ ସ୍ବତନ୍ତ୍ର। ଏଥିସହ ଘରୋଇ ପରିବେଶ ବିଶ୍ବକପ୍ ହେଉଥିବାରୁ ଦର୍ଶକମାନେ ମଧ୍ୟ ଭାରତ ମ୍ୟାଚ୍କୁ ଚାତକ ଭଳି ଚାହିଁରହିଥିବା କୋହଲି କହିଛନ୍ତି। ୨୦୧୧ ବିଶ୍ବକପ୍ କଥା ମନେପକାଇ ସେ କହିଛନ୍ତି ଯେ, ସେତେବେଳେ ସେ ଭାରତୀୟ ଦଳରେ ଜଣେ ଯୁବ ଖେଳାଳି ଥିଲେ। ବିଶ୍ବକପ୍ ବରିଷ୍ଠ ଖେଳାଳିଙ୍କ ପାଇଁ କେତେ ମୂଲ୍ୟ ରଖୁଥିଲା ତାହା ସେତେବେଳେ ଦେଖିବାକୁ ପାଇଥିଲେ। ସେତେବେଳେ ତାଙ୍କ ଭିତରେ କ’ଣ ଚାଲୁଥିବା ତାହାକୁ ଅନୁଭବ କରିଛନ୍ତି। ଘରୋଇ ପରିବେଶରେ ବିଶ୍ବକପ୍ ମ୍ୟାଚ୍ ଖେଳିବା ପାଇଁ ସମସ୍ତେ କେତେ ଉଲ୍ଲସିତ ଅଛନ୍ତି ତାହା ମୁଁ ଅନୁଭବ କରିଥିଲି ବୋଲି କୋହଲି କହିଥିଲେ।