ବ୍ରାବେକ ଜିତିଲେ ଡାକାର ରାଲି

ଭୁବନେଶ୍ବର: ହୋଣ୍ଡା ମୋନଷ୍ଟର ଏନର୍ଜି ଦଳର ଚାଳକ ରିକି ବ୍ରାବେକ ସମ୍ମାନଜନକ ଡାକାର ରାଲି (ଫ୍ୟାକ୍ଟ୍ରି ସିଆରଏଫ୍ ୪୫୦ ବର୍ଗ) ଜିତି ନେଇଛନ୍ତି। ୩୧ ବର୍ଷ ପରେ ହୋଣ୍ଡା କଂପାନିର ଏହା ପ୍ରଥମ ଡାକାର ରାଲି ବିଜୟ। ଶେଷ ଥର ପାଇଁ ହୋଣ୍ଡାର କୌଣସି ଚାଳକ ୧୯୮୯ ମସିହାରେ ଏହି ଲୋକପ୍ରିୟ ରାଲି ଜିତିଥିଲେ। ୨୮ ବର୍ଷୀୟ ବ୍ରାବେକ ୨୦୧୬ ମସିହାରେ ଡା‌କାର ରାଲିରେ ପଦାର୍ପଣ କରିଥିଲେ। ପଞ୍ଚମ ଉଦ୍ୟମରେ ସେ ବିଜେତା ହେବାର ଅନନ୍ୟ ସଫଳତା ଲାଭ କରିଛନ୍ତି। ଚଳିତ ବର୍ଷ ସଂସ୍କରଣର ତୃତୀୟ ପର୍ଯ୍ୟାୟ ଜିତିବା ପରେ ବ୍ରାବେକ ପରବର୍ତୀ ପର୍ଯ୍ୟାୟଗୁଡ଼ିକରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ସାଥୀ ଚାଳକ ଜୋସ୍ ଇଗ୍ନାସିଓ ଚତୁର୍ଥ ଏବଂ ଜନ୍ ବୋରେଡ଼ା ସପ୍ତମ ସ୍ଥାନରେ ରହିଛନ୍ତି। ଫଳରେ ମୋନଷ୍ଟର ଏନର୍ଜି ହୋଣ୍ଡା ଦଳର ୩ ଚାଳକ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅଭିଯାନ ଶେଷ କରିଛନ୍ତି। ହୋଣ୍ଡା ପ୍ରଥମ ଥର ପାଇଁ ୧୯୮୧ ମସିହାରେ ଡାକାର ରାଲିରେ ଅଂଶଗ୍ରହଣ କରିଥିଲା। କଂପାନି ତା’ର ପ୍ରଥମ ବିଜୟ ୧୯୮୬ରେ ପାଇଥିଲା ଏବଂ ଏହା ପରର ଦୁଇ ରେସ୍ ଜିତି ହ୍ୟାଟ୍ରିକ୍ କରିଥିଲା। ଦୀର୍ଘ ବ୍ୟବଧାନ ପରେ ୨୦୧୩ରେ ହୋଣ୍ଡା ଦଳ ପୁଣି ଥରେ ଡାକାର ରାଲିକୁ ଫେରିଥିଲା। ୨୦୧୫ ଏବଂ ୨୦୧୮‌ରେ ଉପବିଜେତା ହେବା ପରେ ଚଳିତ ବର୍ଷ କଂପାନି ବିଜେତା ହେବାର ଗୌରବ ଅର୍ଜନ କରିଛି। ବିଶ୍ବର ଅନ୍ୟତମ ଦୁଃସାହସିକ ମୋଟର ରେସ୍ ଚାଳନାର ମାନ୍ୟତା ଲାଭ କରିଥିବା ଡାକାରା ରେସ୍ ଚଳିତ ବର୍ଷ ଚାଳକମାନେ ୧୩ ଦିନରେ ୧୨ ପର୍ଯ୍ୟାୟରେ ୭,୦୦୦ରୁ ଅଧିକ କିଲୋମିଟର ପଥ ଯାତ୍ରା କରିଥିଲେ। ସେଥିମଧ୍ୟରେ ୭୫ ପ୍ରତିଶତ ରାସ୍ତା ମରୁଭୂମି ଥିଲା। ଏହି ବିଜୟ ପାଇଁ ହୋଣ୍ଡା ରେସିଂ କର୍ପୋରେସନର ଉପସଭାପତି ୟସିସିଗେ ନୋମୁରା ବ୍ରାବେକଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର