ଉଜୁଡ଼ି ଗଲାଣି ବାଲେଶ୍ବର କ୍ରୀଡ଼ା ଭିତ୍ତିଭୂମି: ପିଚୁ ରାସ୍ତାରେ ଚାଲିଛି ଦୌଡ଼କୁଦ ଅଭ୍ୟାସ

କ୍ରିକେଟ୍‌ ପାଇଁ ଅଛି, ଖେଳକୁଦ ପାଇଁ ପଡ଼ିଆ ନାହିଁ, ନିଜ ଶିଙ୍ଗରେ ମାଟି ତା‌ଡ଼ୁଛନ୍ତି ବାଲେଶ୍ବରର ଯୁବ କ୍ରୀଡ଼ାବିତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବ୍ୟବସ୍ଥା ଯାହା ସେଥିରେ ନିଜ ଶିଙ୍ଗରେ ମାଟି ତା‌ଡ଼ିବା ନୀତି ଧରିଛନ୍ତି ବାଲେଶ୍ବରର ଏକାଧିକ ଯୁବ କ୍ରୀଡ଼ାବିତ୍‌। ଯାହାର ସାମର୍ଥ୍ୟ ଅଛି ସେ ଭୁବନେଶ୍ବର ଯାଇ ନିଜ ଉଦ୍ୟମରେ ଅଭ୍ୟାସ ଜାରି ରଖୁଛି। ଆଉ ଯାହାର ନାହିଁ, ସେ କାଦୁଅ ଘାସବଣ ପଡ଼ିଆରେ ଦୌଡ଼ି ଦୂତି ଚାନ୍ଦ, ନୀରଜ ଚୋପ୍ରା, ପ୍ରମୋଦ ଭଗତଙ୍କ ପରି ଖେଳାଳି ହେବାର ସ୍ବପ୍ନ ଦେଖୁଛି।

ବାଲେଶ୍ବର ଜିଲ୍ଲାର ପ୍ରଜ୍ଞା ପ୍ରଶାନ୍ତି ସାହୁ, ସତ୍ୟଜିତ ସିଂହ, ଜଗନ୍ନାଥ ମୁର୍ମୁ, ସୁବିର ନାୟକଙ୍କ ପରି ଅନେକ କ୍ରୀଡ଼ାବିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଯଶକୀର୍ତ୍ତି ଅର୍ଜନ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କ୍ରୀଡ଼ା କ୍ଷେତ୍ରରେ ସେମିତି କିଛି ଆଖିଦୃଶିଆ ବିକାଶ ହୋଇ ପାରିଲାନାହିଁ। ଏମିତିକି ଯେଉଁ କିଛି ଯୁବ ପ୍ରତିଭା ଜିଲ୍ଲାର ଟେକ ରଖିଥିଲେ ପ୍ରୋତ୍ସାହନ ଓ ଭିତ୍ତିଭୂମି ଅଭାବରୁ ସେମାନେ ମଧ୍ୟ ଖେଳ ଦୁନିଆ ଛାଡ଼ିଦେଲେଣି। ଅଭ୍ୟାସ ପାଇଁ ସର୍ବନିମ୍ନ ମୌଳିକ ଭିତ୍ତିଭୂମି କୁହାଯାଉଥିବା ଉନ୍ନତମାନର ପଡ଼ିଆଟିଏ ଆଜିର ଦିନରେ ବାଲେଶ୍ବରରେ ଖୋଜି ପାଇବା ସ୍ବପ୍ନ। ଯାହା ବି ଅଛି, ସେଥିରେ ଅଭ୍ୟାସ କରି ଆଗକୁ ବଢ଼ିବା ସମ୍ଭବପର ନୁହେଁ। ତଥାପି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅନେକ ଯୁବ ପ୍ରତିଭା ଏଠାରେ ଅଭ୍ୟାସ ଜାରି ରଖିଛନ୍ତି। ବର୍ଷାଦିନେ କିନ୍ତୁ କ୍ରୀଡ଼ାବିତଙ୍କ ପାଇଁ ସବୁ ବାଟ ବନ୍ଦ। ୪ ମାସ ବର୍ଷା, ଆଉ ତା ପରେ ପଡ଼ିଆ ଠିକ୍‌ ହେବାକୁ ଆଉ ୨ ମାସ; ଏମିତିରେ ୬ ମାସ ଲାଗିଯାଏ। ଯାହାଫଳରେ ବର୍ଷର ଅଧା ସମୟ କ୍ରୀଡ଼ା ପ୍ରତିଭାରେ କୋଲପ ଲାଗିଯାଉଛି। ବର୍ଷ ତମାମ ଅଭ୍ୟାସ ପାଇଁ ଇନ୍‌ଡୋର ଷ୍ଟାଡିୟମ୍‌ଟିଏ ନିହାତି ଜରୁରୀ। ହେଲେ ସେତକ ହୋଇ ପାରୁନଥିବାରୁ ଖେଳାଳିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରେ ଯାହା କିଛି କ୍ରୀଡ଼ା ଭିତ୍ତିଭୂମି ରହିଛି ତାହା କେବଳ କ୍ରିକେଟ୍‌ ପାଇଁ ସୀମିତ। ଦୌଡ଼କୁଦ (ଆଥଲେଟିକ୍ସ), ଫୁଟବଲ, ହକି, ବ୍ୟାଡ୍‌ମିଣ୍ଟନ, ଲନ୍‌ ଟେନିସ୍‌, ଟେବୁଲ୍‌ ଟେନିସ୍‌ ପରି କ୍ରୀଡ଼ା ପାଇଁ ସୁବିଧା ଶୂନ।

ବହୁ ଯୁବ କ୍ରୀଡ଼ାବିତ ପୁଲିସ ଲାଇନ୍‌ ପଡ଼ିଆ, ରେମୁଣା କ‌ଲେଜ ପଡ଼ିଆ, ଇଶାଣି ପଡ଼ିଆରେ ଅଭ୍ୟାସ କରୁଛନ୍ତି। ସରକାରୀ ନିଯୁକ୍ତି, ପୁଲିସ କର୍ମଚାରୀଙ୍କ ଶାରୀରିକ ଅଭ୍ୟାସ (ପିଇଟି), ତାଲିମ୍ ଆଦି ପାଇଁ ବର୍ଷର ଅଧିକାଂଶ ସମୟ ପୁଲିସ ଲାଇନ୍‌ ପଡ଼ିଆ ବନ୍ଦ ରହୁଛି। ସେହିପରି ବର୍ଷା ହେଲେ ପଡ଼ିଆରେ ପାଣି ଜମି ରହୁଥିବାରୁ କ୍ରୀଡ଼ାବିତମାନେ ଆଇଟିଆଇ ଛକରୁ ଷ୍ଟେସନ୍‌କୁ ଯାଇଥିବା ପିଚୁରାସ୍ତାରେ ଅଭ୍ୟାସ କରୁଛନ୍ତି, ଯାହାକି ଲଜ୍ଜାଜନକ ଓ ଦୁଃଖଦାୟକ। ପିଚୁରାସ୍ତାରେ ଅଭ୍ୟାସ କରୁଥିବା ବେଳେ ଆଜିମାବାଦ ଅଞ୍ଚଳର ସିଦ୍ଧାର୍ଥ ଗୌତମ ଜେନା ତଳେ ପଡ଼ିଯିବାରୁ ପାଖାପାଖି ବର୍ଷେ କାଳ ତାଙ୍କୁ ଘରେ ରହିବାକୁ ପଡ଼ିଲା ବୋଲି କହିଛନ୍ତି। ଇନଡୋର ଷ୍ଟାଡିୟମ୍‌ ନହେଲା ନାହିଁ, ସି‌ନ୍ଥେଟିକ୍‌ ଗ୍ରାଉଣ୍ଡର ସୁବିଧା କରାଗଲେ ବହୁ ଖେଳାଳି ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ରିଲାଏନ୍ସ ଏକାଡେମୀ ପକ୍ଷରୁ ଭୁବନେଶ୍ବରରେ ରହି ଦୌଡ଼ ଅଭ୍ୟାସ କରୁଥିବା ଜାତୀୟସ୍ତରୀୟ କ୍ରୀଡ଼ାବିତ ଚାନ୍ଦିପୁରର କୁନା ମାରାଣ୍ଡି।

ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ବିକାଶ ଜେନା ବି ସମାନ ପ୍ରତିକ୍ରିୟା ରଖିଛନ୍ତି। ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଜିଲ୍ଲାର କିଛି ଉଦୀୟମାନ କ୍ରୀଡ଼ାବିତ ଭୁବନେଶ୍ବରରେ ଘରଭଡ଼ା ନେଇ ଅଭ୍ୟାସ କରୁଛନ୍ତି। ତେବେ ସବୁ ଖେଳାଳିଙ୍କ ପକ୍ଷରେ ଏହା ସମ୍ଭବ ହେଉନଥିବାରୁ ଅନେକ ଖେଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅବଶ୍ୟ ଦୀର୍ଘ ଦିନର ଦାବି ପରେ ଜିଲ୍ଲାରେ ୪ଟି ଇନ୍‌‌ଡୋର ଷ୍ଟାଡିୟମ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ନିକଟରେ ମଞ୍ଜୁରୀ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ସହର ଅଙ୍ଗାରଗଡ଼ିଆ ଅଞ୍ଚଳରେ ୨.୮୦ ଏକର ଜାଗା ଚିହ୍ନଟ ହୋଇଛି। ଏଥିପାଇଁ ୯ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ବୋଲି କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା। ତେବେ ଅନ୍ୟ ପ୍ରକଳ୍ପ ପରି ଏହି ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ ହେଉଛି, ନା ଏହା ଘୋଷଣା ସର୍ବସ୍ବ ହୋଇ ରହିଯାଉଛି, ସେ କଥା ସମୟ କହିବ।

ସମ୍ବନ୍ଧିତ ଖବର