‘ଦଙ୍ଗଲ’ ସିନେମା ଝିଅମାନଙ୍କୁ କୁସ୍ତି ପ୍ରତି ଅଧିକ ଆକର୍ଷିତ କରିଛି: ପପୁ

କଟକ: ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୀତା ଫୋଗତ କୁସ୍ତିରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶରେ ମହିଳା କୁସ୍ତିର ଚିତ୍ର ବଦଳି ଯାଇଛି। ବିଶେଷକରି ବଲିଉଡ ସିନେମା ‘ଦଙ୍ଗଲ’ ଆସିବା ପରେ ଝିଅମାନେ କୁସ୍ତି ପ୍ରତି ଆଗ୍ରହ ଦେଖାଇଲେଣି। ଘର ଭିତରେ ରହିବା ଅପେକ୍ଷା ଝିଅମାନଙ୍କୁ ଆଖଡ଼ାରେ ଦେଖିବାକୁ ମିଳୁଛି। ଏପରିକି ପୁଅଙ୍କ ଅପେକ୍ଷା ଏବେ ଝିଅମାନେ ଆନ୍ତର୍ଜାତିକ କୁସ୍ତିରେ ଦବ୍‌ଦବା ରଖିବାରେ ସମର୍ଥ ହେଲେଣି ବୋଲି ଅଲମ୍ପିଆନ୍‌ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ପୂର୍ବତନ କୁସ୍ତି ଖେଳାଳି ପପୁ ଯାଦବ ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଉପକନିଷ୍ଠ କୁସ୍ତିରେ ସେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲା ବେଳେ, ବର୍ତ୍ତମାନର ପରିବର୍ତ୍ତନଶୀଳ କୁସ୍ତିକୁ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି। ୧୯୮୮ ମସିହାରେ ଏହିଠାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତା ଆୟୋଜନ ହୋଇଥିଲାବେଳେ ପପୁ ସେଥିରେ ଗ୍ରିକୋ ରୋମାନ ଓ ଫ୍ରି ଷ୍ଟାଇଲ୍‌ରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ପୁଣିଥରେ ୩୦ ବର୍ଷ ପରେ ଇଣ୍ତୋର ଷ୍ଟାଡିୟମକୁ ଆସିଥିବାରୁ ପୁରୁଣା ସ୍ମୃତିକୁ ସେ ମନେ ପକାଇଛନ୍ତି। ଷ୍ଟାଡିୟମର ରୂପରେଖ କିଛିଟା ବଦଳି ଯାଇଥିଲା ବେଳେ ପାରିପାଶ୍ବିକ ପରିବେଶରେ ଅନେକ ଫରକ ଆସିଛି। ଖେଳାଳିମାନଙ୍କ ଉନ୍ନତି ପାଇଁ ଯାହା ବ୍ୟବସ୍ଥା ଦରକାର ସବୁକିଛି ଏଠାରେ ମିଳିପାରୁଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ଖେଳାଳିମାନେ ରାଜ୍ୟ ସ˚ଘରେ ରହିଲେ ଏହା ଉଭୟ ଖେଳ ଓ ଖେଳାଳିଙ୍କ ପାଇଁ ଫାଇଦା ହେବ। ସେମାନେ ଖେଳାଳିଙ୍କ ଦୁଃଖ ଓ ସମସ୍ୟାକୁ ହୃଦ୍‌ବୋଧ କରିପାରିବେ। ଯାହାକି ଏବେ ଚାରିଆଡ଼େ କମିଗଲାଣି। ତଥାପି ଏହି ସମୟରେ ପ୍ରାୟୋଜକଙ୍କ ସ୍ବାର୍ଥକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବନି। ସବୁ ସ୍ତରରେ ମିଳିତ ଉଦ୍ୟମ ହେଲେ କୁସ୍ତି ଆଗେଇଯିବ ବୋଲି ପପୁ କହିଛନ୍ତି। ପପୁ ଯାଦବ ମଧ୍ୟପ୍ରଦେଶକୁ ପ୍ରତିନିଧିତ୍ବ କରି ଜାତୀୟ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ଏଥିସହିତ ଏସୀୟ ଓ ବିଶ୍ବ କନିଷ୍ଠ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୯୯୨ ବାର୍ସେଲୋନା ଅଲିମ୍ପିକ୍ସ ଓ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍‌ସରେ ସେ ଦୁଇଥର ଭାରତକୁ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ପ୍ରଦର୍ଶନକୁ ଆଧାରକରି ୧୯୯୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ବର୍ତ୍ତମାନ ପପୁ ମଧ୍ୟପ୍ରଦେଶ କୁସ୍ତି ସ˚ଘର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର