ଗେଲ୍‌ ଯେକୌଣସି ସ୍ଥାନରେ ବ୍ୟାଟି˚ କଲେ ବି ପ୍ରତିପକ୍ଷଙ୍କ ପାଇଁ ବିପଜ୍ଜନକ: ରାହୁଲ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ କ୍ରିକେଟର କ୍ରିସ୍‌ ଗେଲ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଗୁରୁବାର ପ୍ରଥମ ମ୍ୟାଚ୍‌ ଖେଳିଥିଲା ବେଳେ ନିଜର ବିସ୍ଫୋରକ ପାଳି ସହାୟତାରେ ଦଳକୁ ଜିତାଇ ପାରିଥିଲେ। ଏଥିପୂର୍ବରୁ ପଞ୍ଜାବ ୭ ମ୍ୟାଚ୍‌ରୁ ୬ଟିରେ ପରାଜିତ ହୋଇଥିଲା। ଦୁଇ ସଫଳ ପ୍ରାରମ୍ଭିକ ଯୋଡ଼ି କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରଵାଲଙ୍କୁ ନେଇ କୌଣସି ପରିବର୍ତ୍ତନ କରାଯାଇନଥିବାରୁ ଗେଲ୍‌ଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟି˚ ପାଇଁ ଛଡ଼ାଯାଇଥିଲା। ଯଦିଓ ଏହା ଏକ କଠିନ ନିଷ୍ପତ୍ତି ଥିଲା, ତଥାପି ଦଳ ପାଇଁ ଏହା ଭଲ କାମ ଦେଇଥିଲା। ତେବେ ଗେଲ୍‌ଙ୍କୁ ଏହି ସ୍ଥାନରେ ଛଡ଼ାଯିବା ନିଷ୍ପତ୍ତି ଉପରେ ଅଧିନାୟକ ରାହୁଲ କହିଛନ୍ତି ଯେ ଗେଲ୍‌ ଯେକୌଣସି ସ୍ଥାନରେ ବ୍ୟାଟି˚ କଲେ ବି ସେ ପ୍ରତିପକ୍ଷଙ୍କ ପାଇଁ ବିପଜ୍ଜନକ ହୋଇଥା’ନ୍ତି। ସେ ପ୍ରତ୍ୟେକ ସୁଯୋଗକୁ ଆହ୍ବାନ ରୂପେ ସ୍ବୀକାର କରିଥା’ନ୍ତି ବୋଲି ରାହୁଲ କହିଛନ୍ତି।

ଗତ କିଛି ସପ୍ତାହ ଧରି ଗେଲ୍‌ ଅସୁସ୍ଥ ଅନୁଭବ କରୁଥିଲେ। ତଥାପି ୪୧ ବର୍ଷ ବୟସରେ ବି ସେ ରନ୍‌ ପାଇଁ ଭୋକିଲା ଅଛନ୍ତି। ତେଣୁ ପ୍ରଥମ ଦିନରୁ ହିଁ ସେ ଖେଳିବାକୁ ଚାହୁଁଥିଲେ। ତେଣୁ ତାଙ୍କୁ ପ୍ରଥମ କିଛି ମ୍ୟାଚ୍‌ ନଖେଳାଇବା କଠିନ ନିଷ୍ପତ୍ତି ଥିଲେ ବି ତାଙ୍କୁ ରନ୍‌ ପାଇଁ ଅଧିକ ଭୋକିଲା ରଖାଯିବା ଆବଶ୍ୟକ ଥିଲା ବୋଲି ରାହୁଲ କହିଛନ୍ତି। ତେବେ ଦଳର ବିଜୟ ଉପରେ ସେ କହିଛନ୍ତି ଯେ ପ୍ରତ୍ୟେକ ସ୍ଥାନରେ ହାର‌୍‌ଜିତ୍‌ ଅଛି। ଏକାଧିକ ମ୍ୟାଚ୍‌ ହାରିବା ପରେ ଖେଳାଳିଙ୍କ ଆତ୍ମବିଶ୍ବାସ ଫେରାଇବାକୁ ଏହି ମ୍ୟାଚ୍‌ ଜିତିବା ଜରୁରି ହୋଇପଡ଼ିଥିଲା। ପ୍ରଥମ ଥର ପାଇଁ ଅଧିନାୟକ ହୋଇଥିବାରୁ ପ୍ରତ୍ୟେକ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରାଯାଉଥିବା ସେ ପ୍ରକାଶ କରିଛନ୍ତି। ପଞ୍ଜାବର ପରବର୍ତ୍ତୀ ମ୍ୟାଚ୍‌ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ ହେବ।

‘ଦ ବସ୍‌’ ସଙ୍କେତର ସଫେଇ
ଦୁବାଇ : ଚଳିତ ଆଇପିଏଲ୍‌ରେ ଗୁରୁବାର ରାତିରେ ପ୍ରଥମ ମ୍ୟାଚ୍‌ ଖେଳିଥିବା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍‌ ୪୫ ବଲରୁ ୫୩ ରନ୍ କରିଥିଲେ। ଅର୍ଧଶତକ ହାସଲ ପରେ ଏହି ଆତ୍ମଘୋଷିତ ‘ୟୁନିଭର୍ସାଲ୍ ବସ୍‌’ ନିଜ ବ୍ୟାଟରେ ଲାଗିଥିବା ‘ଦ ବସ୍‌’ ଷ୍ଟିକରକୁ ବାରମ୍ବାର ଟିପ ଦେଖାଇଥିଲେ। ଏଭଳି ଆଚରଣ ପାଇଁ ମ୍ୟାଚ୍‌ ପରେ ପଚରାଯିବାରୁ ଟି-୨୦ ଇତିହାସର ଏହି ଅଗ୍ରଣୀ ରନ୍‌ ସ୍କୋରର କହିଥିଲେ ‘ଲେଖାଥିବା ନାମକୁ ମୁଁ ସମ୍ମାନ ଜଣାଇବା ପାଇଁ ଏଭଳି କରିଥିଲି, କେବଳ ଏତିକି ମାତ୍ର’। ୩ ନମ୍ବର ସ୍ଥାନରେ ବ୍ୟାଟିଂ ସମ୍ପର୍କରେ ପ୍ରଶ୍ନ ହେବାରୁ ଗେଲ୍‌ କହିଥିଲେ, ‘ପିଚ୍‌ କଷ୍ଟକର ଥିଲା, କିନ୍ତୁ ଦ୍ବିତୀୟରେ ବ୍ୟାଟିଂ କରିବା ଉନ୍ନତ ଥିଲା। ଦଳ ମୋତେ ୩ ନମ୍ବରରେ ବ୍ୟାଟିଂ କରିବାକୁ କହିଥିଲା, ଏହା ଏକ ପ୍ରସଙ୍ଗ ନୁହେଁ। ପ୍ରତିଯୋଗିତାର ପ୍ରାରମ୍ଭରୁ ଓପ୍‌ନର୍‌ମାନେ ଭଲ କରି ଆସୁଥିଲେ। ସେମାନଙ୍କୁ ବଦଳାଇବାକୁ ଆମେ ଚାହୁଁନଥିଲୁ। ମୋତେ ମିଳିଥିବା ଭୂମିକାକୁ ମୁଁ ତୁଲାଇଲି’। ଗେଲଙ୍କୁ ରବିବାର ପୁଣି ଦେଖିବାକୁ ମିଳିବ। ସେଦିନ ପଞ୍ଜାବ-ମୁମ୍ବାଇ ମୁକାବିଲା ରହିଛି।

ସମ୍ବନ୍ଧିତ ଖବର