ଡାନିଲ ନୂଆ ଗ୍ରାଣ୍ଡ ସ୍ଲାମ୍‌ ବିଜେତା: ଜୋକୋଭିକ୍‌ଙ୍କ କ୍ୟାଲେଣ୍ଡର ସ୍ଲାମ୍‌ ସ୍ବପ୍ନ ଅଟକିଲା

ପତ୍ନୀଙ୍କୁ ବିବାହ ବାର୍ଷିକୀ ଉପହାର

ନ୍ୟୁୟର୍କ: ସର୍ବିଆ ତାରକା ତଥା ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ପ୍ରଥମ କ୍ୟାଲେଣ୍ଡର ସ୍ଲାମ୍‌ ଏବଂ ସର୍ବାଧିକ ୨୧ ଗ୍ରାଣ୍ଡ୍ ସ୍ଲାମ୍‌ ଟ୍ରଫି ସ୍ବପ୍ନ ଅଟକିଛି। ‌ଚଳିତ ବର୍ଷ ୩ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତି ଥିବା ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ପହଞ୍ଚି ଏହି ଆଶା ଉଜ୍ଜୀବିତ ରଖିଥିଲେ ସେ। ହେଲେ ରବିବାର ଫାଇନାଲ୍‌ରେ ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଜୋକୋଭିକ୍‌ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦେଭଙ୍କଠୁ ହାରି ଯାଇଥିଲେ। ରୁଷିଆର ମେଦଭେଦେଭ ସିଧାସଳଖ ୬-୪, ୬-୪, ୬-୪ ସେଟ୍‌ରେ ୩୪ ବର୍ଷୀୟ ଜୋକୋଭିକ୍‌ଙ୍କୁ ହରାଇ ନିଜ ନାମରେ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍‌ ଟ୍ରଫି କରି‌ ନେଇଥିଲେ। ଏଥିସହ ୨୫ ବର୍ଷୀୟ ମେଦେଭେଦେଭ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଜୋକୋଭିକ୍‌ଙ୍କଠୁ ନେଇଥିଲେ। ସେ ମଧ୍ୟ ଜୋକୋ‌ଭିକ୍‌ଙ୍କ ୨୭-୦ ଗ୍ରାଣ୍ଡ ସ୍ଲାମ୍‌ ମ୍ୟାଚ୍‌ ବିଜୟ ଧାରା‌ରେ ମଧ୍ୟ ଭାଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ଜୋକୋଭିକ (୨୦) ପୂର୍ବ ପରି ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବାରେ ରୋଜର ଫେଡେରର୍‌ ଓ ରାଫେଲ ନାଦାଲଙ୍କ ସମକକ୍ଷ ରହିଛନ୍ତି। ଏବେ ମଧ୍ୟ କ୍ୟାଲେଣ୍ଡର ସ୍ଲାମ୍‌ ଜିତିବାରେ ରଡ୍‌ ଲାଭରଙ୍କ ନାମରେ ଅତୁଟ ରହିଲା। ଲାଭର ୧୯୬୨ ଓ ୧୯୬୯ରେ ଦୁଇଥର କ୍ୟାଲେଣ୍ଡର ସ୍ଲାମ୍‌ ହାସଲ କରିଥିଲେ। ମହିଳାରେ ୧୯୮୮ରେ ଷ୍ଟେଫି ଗ୍ରାଫ୍‌ଙ୍କ ନାମରେ ଏହି କୀର୍ତ୍ତିମାନ ରହିଛି। ତେବେ ବର୍ଷର ପ୍ରଥମ ୩ ଗ୍ରାଣ୍ଡ ସ୍ଲାମ୍‌ ଜିତି ୟୁଏସ୍‌ ଓପନ୍‌ ହାରିବାରେ ଜ୍ୟାକ୍‌ କ୍ରଫୋର୍ଡ (୧୯୩୩) ଏବଂ ଲିଉ ହୋଡ (୧୯୫୬)ଙ୍କ କ୍ଲବ୍‌ରେ ଯୋଗ ଦେଇଛନ୍ତି।

ପତ୍ନୀଙ୍କୁ ବିବାହ ବାର୍ଷିକୀ ଉପହାର

ରୁଷିଆର ଡାନିଲ ମେଦଭେଦେଭ ରବିବାର ନୋଭାକ ଜୋକୋଭିକଙ୍କୁ ହରାଇ ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିଲେ। ୩ ବର୍ଷ ତଳେ ଏହି ତାରିଖରେ (୧୨ ସେପ୍ଟେମ୍ବର ୨୦୧୮) ମେଦଭେଦେବ ପ୍ରେମିକା ଡାରିଆଙ୍କୁ ବିବାହ କରିଥିଲେ। ବିବାହ ବାର୍ଷିକୀ ସହ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ବିଜୟ ୧୨ ସେପ୍ଟେମ୍ବରରେ ହୋଇଥିବାରୁ ତାଙ୍କ ପାଇଁ ଏହି ଦିନ ସ୍ବତନ୍ତ୍ର ହୋଇଛି। ବିଜୟ ପରେ ମେଦଭେଦେଭ ନିଜର ମତ ରଖି ପତ୍ନୀଙ୍କ ପାଇଁ ସୁନ୍ଦର ଭାଷଣ ଦେଇଥିଲେ। ଏହି ଭିଡିଓକୁ ୟୁଏସ୍‌ ଓପନ୍‌ ଆୟୋଜକଙ୍କ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରାଯାଇଛି। ସେମାନେ ଏହାର ‌ଶିରୋନାମା ରଖିଛନ୍ତି ‌‘‘ପତ୍ନୀଙ୍କ ପାଇଁ ବିବାହ ବାର୍ଷିକୀରେ ଡାନିଲ ମେଦଭେଦେଭ ଶ୍ରେଷ୍ଠ ଉପହାର ଲାଭ କରିଛନ୍ତି’’। ପ୍ରକାଶିତ ଭିଡିଓରେ ମେଦଭେଦେଭ କହିଛନ୍ତି, ‘‘ମୁଁ ମୋର ବକ୍ତୃତା ଶେଷ କରିବା ପୂର୍ବରୁ ଏକ ଅତି ସ୍ବତନ୍ତ୍ର କଥା କହିବାକୁ ଚାହୁଁଛି। ଆଜି ମୋ ପାଇଁ ସ୍ବତନ୍ତ୍ର ଦିନ। ୟୁଏସ୍‌ ଓପନ୍‌ ଜିତିବା ସହ ମୋର ତୃତୀୟ ବିବାହ ବାର୍ଷିକୀ। ପ୍ରତିଯୋଗିତା ଚାଲିଥିବାରୁ ମୁଁ ମୋ ପତ୍ନୀଙ୍କୁ କ’ଣ ଉପହାର ଦେବି ଭାବିପାରିନଥିଲି। ଯେତେବେଳେ ମୁଁ ଫାଇନାଲ୍‌ରେ ପହଞ୍ଚିଗଲି, ଭ‌ାବିଲି ମୋତେ ପ୍ରଥମେ ଏକ ଉପହାର ଖୋଜିବା ଆବଶ୍ୟକ। ତେଣୁ କେବଳ ଜିତିବା ପାଇଁ ହିଁ ଚାହୁଁଥିଲି। ଯଦି ହାରିବି ତେବେ ଉପହାର ଖୋଜିବାକୁ ସମୟ ପାଇବିନି। ତେଣୁ ମ୍ୟାଚ୍‌ ଜିତିଲି। ଆଇ ଲଭ୍‌ ୟୁ’ ଡାସା।’’

ସମ୍ବନ୍ଧିତ ଖବର