ଚେନ୍ନାଇ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ଚତୁର୍ଦ୍ଦଶ ସଂସ୍କରଣ ଆଉ ମାତ୍ର ଦିନକ ପରେ ଆରମ୍ଭ ହେବ। ହେଲେ କରୋନା ମହାମାରୀ ଆତଙ୍କ ଏବେ ବି ଆଇପିଏଲ୍ ଉପରେ ଛାଇ ହୋଇରହିଛି। ୱାଙ୍ଖ୍ଡେର ଏକାଧିକ ଗ୍ରାଉଣ୍ଡ୍ସମ୍ୟାନ୍, ଇଭେଣ୍ଟ ମ୍ୟାନେଜମେଣ୍ଟ୍ ଅଧିକାରୀଙ୍କ ସାଙ୍ଗକୁ କିଛି ଖେଳାଳି (ଅକ୍ଷର ପଟେଲ, ନୀତିଶ ରାଣା, ଦେବଦତ୍ତ ପଡ଼ିକଲ) ଓ ମୁମ୍ବାଇ ଇଣ୍ଡିଆନ୍ସ ୱିକେଟ୍ରକ୍ଷକ ପରାମର୍ଶଦାତା କିରଣ ମୋରେ କରୋନା ଆକ୍ରାନ୍ତ ହେବା ପରେ ବୁଧବାର ରୟାଲ ଚ୍ୟାଲଞ୍ଜେର୍ସ ବାଙ୍ଗାଲୋର (ଆର୍ସିବି)ର ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଡାନିଏଲ୍ ସାମ୍ସଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ଫଳରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବୀଦତ୍ତ ପଡ଼ିକଲଙ୍କ ପରେ ସାମ୍ସ ଦ୍ବିତୀୟ ଆର୍ସିବି ଖେଳାଳି ଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି।
ଏନେଇ ଆର୍ସିବି ନିଜ ଟ୍ବିଟର ହ୍ୟାଣ୍ଡଲରେ ବିବୃତି ଜାରି କରିଛି। ଏହି ୨୮ ବର୍ଷ ବୟସ୍କ ଅଲ୍ରାଉଣ୍ଡର ଗତ ୩ ତାରିଖରେ ଭାରତରେ ପହଞ୍ଚିବା ବେଳେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ରହିଥିଲା। ହେଲେ ବୁଧବାର ତାଙ୍କର ଦ୍ବିତୀୟ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କଠାରେ ଏବେ କରୋନା ଲକ୍ଷଣ ଦେଖାଯାଇଛି ଏବଂ ସେ ସ୍ବୀକୃତିପ୍ରାପ୍ତ ହସ୍ପିଟାଲରେ ଏକାନ୍ତବାସରେ ରହିଛନ୍ତି। ଆର୍ସିବିର ଡାକ୍ତରୀ ଦଳ ମଧ୍ୟ ତାଙ୍କ ସହ ନିୟମିତ ଯୋଗାଯୋଗରେ ରହି ସ୍ବାସ୍ଥ୍ୟାବସ୍ଥା ବୁଝୁଛନ୍ତି।
ସାମ୍ସ ଚଳିତ ଋତୁରେ ଦିଲ୍ଲୀ କ୍ୟାପିଟାଲ୍ସରୁ ଆର୍ସିବିକୁ କିଣାବିକା ଜରିଆରେ ଆସିଥିଲେ। ଆର୍ସିବି ଚଳିତ ସଂସ୍କରଣରେ ଶୁକ୍ରବାର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ହେଲେ ସାମ୍ସ ସେହି ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବେ। ସାମ୍ସ ଏବେ ସୁଦ୍ଧା ମାତ୍ର ୩ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି।