୨୦୨୨ ଟି-୨୦ ବିଶ୍ୱକପ୍‌: ୮ଟି ଟିମ୍‌ ସିଧାସଳଖ କରିଛନ୍ତି ଯୋଗ୍ୟତା ଅର୍ଜନ, ଜାଣନ୍ତୁ କେଉଁ ୭ଟି ଭେନ୍ୟୁରେ ହେବ ମ୍ୟାଚ୍?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବାର ୨ ଦିନ ବିତିନାହିଁ, କ୍ରିକେଟପ୍ରେମୀଙ୍କୁ ଆଉ ଏକ ଖୁସି ଖବର ଭେଟି ଦେଇଛି ଆଇସିସି । ୨୦୨୨ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କରିଛି ଆଇସିସି । ଆଉ ଏହାସହ ଫଟାଫଟ କ୍ରିକେଟର ମହାକୁମ୍ଭ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ହାତରେ ବର୍ଷକରୁ କମ ସମୟ ରହିଛି, ପୁଣିଥରେ ଫଟାଫଟ କ୍ରିକେଟର ରୋମାଞ୍ଚକୁ ଚାହିଁ ବସିଛି ପୂରା ବିଶ୍ୱ । ୨୦୨୧ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି । ଆଉ ୨୦୨୨ ଟି-୨୦ ବିଶ୍ୱକପର ଆୟୋଜକ ଭାବେ ଅଷ୍ଟ୍ରେଲିଆକୁ ସୁଯୋଗ ମିଳିଛି । ତେଣୁ ହୋମଗ୍ରାଉଣ୍ଡରେ ଟାଇଟଲ ବଜାୟ ରଖିବାର ସୁଯୋଗ ଅଷ୍ଟ୍ରେଲିଆ ପାଖରେ ରହିଛି । ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା ସହ କେଉଁ କେଉଁ ସହରରେ ମ୍ୟାଚ୍ ଖେଳାଯିବ ତାହା ସ୍ପଷ୍ଟ କରାଯାଇଛି ।

ଆଇସିସି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ୧୬ ଅକ୍ଟୋବରରୁ ଆରମ୍ଭ ହୋଇ ୧୩ ନଭେମ୍ବରରେ ଶେଷ ହେବ । ଏହି ସମୟରେ ଚଳିତବର୍ଷ ଭଳି ୪୫ଟି ମ୍ୟାଚ୍ ଖେଳାଯିବ । ଆଉ ସମସ୍ତ ମ୍ୟାଚ୍ ୭ଟି ଭେନ୍ୟୁରେ ଖେଳାଯିବ । ଟି-୨୦ ବିଶ୍ୱକପ୍ ପାଇଁ ଆଡିଲେଡ, ବ୍ରିସବେନ, ଜିଲଙ୍ଗ, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ, ସିଡନି ଭଳି ଭେନ୍ୟୁକୁ ବଛାଯାଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ସେହିଭଳି ନଭେମ୍ବର ୯ ଓ ୧୦ ତାରିଖରେ ସିଡନି ଓ ଆଡିଲେଡରେ ଯଥାକ୍ରମେ ସେମିଫାଇନାଲର ଦୁଇଟି ମୁକାବିଲା ଖେଳାଯିବ ।

ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଯେଉଁ ଫର୍ମାଟରେ ଖେଳାଯାଇଥିଲା ଅଷ୍ଟ୍ରେଲିଆରେ ମଧ୍ୟ ସେହି ଫର୍ମାଟରେ ଟି-୨୦ ବିଶ୍ୱକପ ଖେଳାଯିବ । ଅଥାର୍ତ ସୁପର-୧୨ ପର୍ଯ୍ୟାୟରେ ଥିବା ଟିମ୍ ଟାଇଟଲ ଲଢେଇକୁ ଓହ୍ଲାଇବେ । ତେବେ ସୁପର-୧୨ ପର୍ଯ୍ୟାୟ ମୁକାବିଲା ପାଇଁ ୮ଟି ଟିମ୍ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ବେଳେ ରାଉଣ୍ଡ-୧ରୁ ୪ଟି ଟିମ୍ ସୁପର-୧୨ ପର୍ଯ୍ୟାୟରେ ସାମିଲ ହେବେ । ୨୦୨୦ ଟି-୨୦ ବିଶ୍ୱକପ ପାଇଁ ଯେଉଁ ୮ଟି ଟିମ୍ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ଚାମ୍ପିୟନ ଅଷ୍ଟ୍ରେଲିଆ, ରନର୍ସ ଅପ ନ୍ୟୁଜିଲାଣ୍ଡ ସମେତ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ ଓ ଇଂଲଣ୍ଡ ଦଳ ରହିଛି ।

ତେବେ ଦୁଇ ପୂର୍ବତନ ଚାମ୍ପିୟନ ଦଳ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ଅଥାର୍ତ ଏହି ୨ ଟିମ ପାଖରେ ରାଉଣ୍ଡ-୧ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ସୁପର-୧୨ ପର୍ଯ୍ୟାୟରେ ସ୍ଥାନ ପାଇବାର ସୁଯୋଗ ରହିଛି । ଏହି ଦୁଇଟି ଟିମ୍ ସହ ନାମିବ୍ୟା, ସ୍କଟଲାଣ୍ଡ ମଧ୍ୟ ରାଉଣ୍ଡ-୧ରେ ସ୍ଥାନ ପାଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪ଟି ଟିମ୍ ଯୋଗ୍ୟତା ରାଉଣ୍ଡରୁ ଚୟନ କରାଯିବ । ଟି-୨୦ ବିଶ୍ୱକପରେ ପୁଣିଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଚଳିତ ବିଶ୍ୱକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ଅଷ୍ଟ୍ରେଲିଆରେ ଭାରତ  ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଚମ୍ପିଅନ ହେଉ ଏହା ଚାହିଁବେ ଭାରତୀୟ କ୍ରିକେଟପ୍ରେମୀ ।

ସମ୍ବନ୍ଧିତ ଖବର