ଭୁବନେଶ୍ବର: ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ଆରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ କନ୍ୟା ଆରାଧ୍ୟା ଧମାକାଦାର ଢଙ୍ଗରେ ଦୁଃସାହସିକ କ୍ରୀଡ଼ା ଦୁନିଆକୁ ପ୍ରବେଶ କରିଛନ୍ତି। ୯ ବର୍ଷୀୟ ଆରାଧ୍ୟା ମାତ୍ର ୬ ଦିନ ଭିତରେ ୬ଟି ପର୍ବତାରୋହଣ କରିବା ସହ ଟ୍ରେକିଂ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପ୍ରଶଂସନୀୟ ପଦାର୍ପଣ କରିଛନ୍ତି। ଭୁବନେଶ୍ବରର ଏହି ଚତୁର୍ଥ ଶ୍ରେଣୀ ଛାତ୍ରୀ ଜୁନ୍ ୧୭ରୁ ୧୨ ତାରିଖ ମଧ୍ୟରେ ହିମାଚଳପ୍ରଦେଶର ଜିପ୍ସାର ୧୨,୩୨୨ ଫୁଟ ପର୍ଯ୍ୟନ୍ତ, ବାରାଳାଚଳର ୧୬,୨୫୦ ଫୁଟ ପର୍ଯ୍ୟନ୍ତ, ଭରତପୁର ବେସ୍ କ୍ୟାମ୍ପ୍ରେ ୧୫,୩୭୭ ଫୁଟ ପର୍ଯ୍ୟନ୍ତ, ୟୁନୁମ ଆଡଭାନ୍ସ କ୍ୟାମ୍ପ୍ରେ ୧୭,୬୬୭ ଫୁଟ୍ ପର୍ଯ୍ୟନ୍ତ, ଲଦାଖର ସର୍ଚୁରେ ୧୩,୮୯୭ ଫୁଟ ପର୍ଯ୍ୟନ୍ତ, ବାରାଲଥଲାରେ ୧୬,୩୫୮ ଫୁଟ ପର୍ଯ୍ୟନ୍ତ ଚଢ଼ିପାରିଥିଲେ। କୌଣସିଟିରେ ଶିଖରକୁ ଚଢ଼ି ପାରିନଥିଲେ ମଧ୍ୟ ଖୁବ୍ କମ୍ ଦିନ ଓ ଏତେ କମ୍ ବୟସରେ ଏଭଳି କୃତିତ୍ବ ଅର୍ଜନ କରି ଏକ ବିରଳ କୀର୍ତ୍ତିମାନ କରିଥିବାର ଦାବି କରିଛନ୍ତି। ପିତାଙ୍କ ଏଭେରେଷ୍ଟ୍ ସଫଳତା ଆରାଧ୍ୟାଙ୍କୁ ପ୍ରେରିତ କରିଥିବାରୁ ସେ ଭବିଷ୍ୟତରେ ଦେଶର ସର୍ବକନିଷ୍ଠା ଏଭେରେଷ୍ଟର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଆରାଧ୍ୟାଙ୍କ ଅଭିଯାନରେ ପିତା ଗଣେଶ ଚନ୍ଦ୍ର ଜେନା ମଧ୍ୟ ଏସ୍କର୍ଟ ଭାବେ ଯୋଗ ଦେଇଥିଲେ। ମଙ୍ଗଳବାର ଓଡ଼ିଶା ଫେରିବା ପରେ ଉଭୟ କନ୍ୟା-ପିତାଙ୍କୁ ଭୁବନେଶ୍ବର ରେଳଷ୍ଟେସନ୍ରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୧ ମସିହାରେ ଗଣେଶ ଚନ୍ଦ୍ର ଜେନା ଏଭେରେଷ୍ଟ୍ ଆରୋହଣ କରିବା ପରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ। ତାଙ୍କ ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ କଳ୍ପନା ଦାଶ ଏଭେରେଷ୍ଟ ଆରୋହଣ କରିଥିଲେ। ୨୦୧୯ ମସିହାରେ ଦ୍ବିତୀୟ ପ୍ରୟାସ ବେଳେ ସେ ଟ୍ରାଫିକ୍ ଜାମରେ ଫସି ଏଭେରେଷ୍ଟ୍ ଶିଖରରେ ହିଁ ପ୍ରାଣ ହରାଇଥିଲେ।
ବାପାଙ୍କ ଦୁଃସାହସିକ ପଥରେ କନ୍ୟା: ୬ ଦିନରେ ୬ ପର୍ବତ ଚଢ଼ିଲେ ଆରାଧ୍ୟା
/sambad/media/post_attachments/wp-content/uploads/2022/06/65f4h654fh65fhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)