ଭୁବନେଶ୍ୱର: ମା’ର ବାଟରେ ଝିଅ। କହିବାକୁ ଗଲେ ଯେମିତି ମା’କୁ ସେମିତି ଝିଅ ପାଇଛି ଓଡ଼ିଶା କ୍ରୀଡ଼ା ଦୁନିଆ। ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ (ରାଉତରାୟ)ଙ୍କ ସୁକନ୍ୟା ଅଂଶିକା ରାଉତରାୟ କ୍ରୀଡ଼ା କ୍ଷେତ୍ରରେ ପାଦ ଥାପିବା ଦିନରୁ ଏଭଳି ସଂଯୋଗକୁ ନେଇ ଢ଼େର ଆଶାବାଦୀ ରାଜ୍ୟ ଖେଳ ଦୁନିଆ। ସୁଖ୍ୟାତି ଭିତରେ ହଜିଯିବା ଅପେକ୍ଷା ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି ଆଂଶିକା ରାଉତରାୟ। ନିରାଶ ବି କରିନାହାନ୍ତି ଅଦ୍ୟାବଧି। ମା’କୁ ଟପିଯିବା ପ୍ରତିଭାର ଝଲକ ଦେଖାଇଛନ୍ତି। ପଦାର୍ପଣରୁ ହିଁ ରାଜ୍ୟ କୀର୍ତିମାନ ପ୍ରତିଷ୍ଠା କରି ଆଂଶିକା ଦେଖାଇଛନ୍ତି ଅନେକ ଆଶା ଓ ସମ୍ଭାବନା। କନିଷ୍ଠ ବର୍ଗରେ ଥିବାରୁ ଏବେଠାରୁ କିଛି କହିବା ଅସମ୍ଭବ ଥିଲେ ବି ଯତ୍ନଶୀଳ ଖେଳ ଜୀବନ ଯେ ଆଂଶିକାଙ୍କୁ ଆକାଶଛୁଆଁ କରିପାରିବ ଏଥିରେ କେହି ଦ୍ୱିମତ ହେବାରେ ନାହିଁ।
୨୦୦୦ ମସିହା ସିଡ୍ନି ଅଲିମ୍ପିକ୍ସରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନୁରାଧା ବିଶ୍ୱାଳଙ୍କ ନାମରେ ଦୀର୍ଘ ୧୬ ବର୍ଷ ଧରି ରହିଛି ୧୦୦ ମିଟର୍ ବାଧାଦୌଡ଼ର ଜାତୀୟ କୀର୍ତିମାନ (୧୩.୩୮ ସେକେଣ୍ଡ୍)। ଅଧାଡ଼ଜନରୁ ଊର୍ଧ୍ୱ ଥର ନିଜ କୀର୍ତିମାନକୁ ଭାଙ୍ଗି ଅଲିମ୍ପିକ୍ସରେ ପହଞ୍ଚିଥିଲେ ଅନୁରାଧା। ଏବେ ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ତାଙ୍କ କନ୍ୟା କିମ୍ (ଶ୍ରଦ୍ଧାନାମ) ଦେଖାଇଛନ୍ତି ପ୍ରତିଭାର ଝଲକ। ଫରକ ଏତିକି ଅନୁରାଧା ଥିଲେ ଦୌଡ଼ାଳି, କିମ୍ କିନ୍ତୁ ବନୁଛନ୍ତି ଫିଙ୍ଗାଳି। ମାତ୍ର ୧୦ ବର୍ଷ ବୟସ ହୋଇଥିବାବେଳେ କିମ୍ ୨୦୧୫ ମସିହାରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ୬୩ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ୮.୨୫ ମିଟର୍ ସଟ୍ପୁଟ୍ ଫିଙ୍ଗି ପ୍ରତିଷ୍ଠା କରି ଦେଇଥିଲେ ରାଜ୍ୟ କୀର୍ତିମାନ। ପଦାର୍ପଣ ପ୍ରତିଯୋଗିତାରେ କୀର୍ତିମାନ ସହିତ ସ୍ୱର୍ଣ୍ଣ ପଦକ ଜିତିବା ପରେ କିମ୍ ଆଉ ପଛକୁ ଫେରି ନାହାନ୍ତି। ୬୪ ଏବଂ ୬୫ତମ ରାଜ୍ୟ ପ୍ରତିଯୋଗିତାରେ କିମ୍ଙ୍କ କିମିଆ ମଧ୍ୟ ପ୍ରଷ୍ଫୁଟିତ ହୋଇଥିଲା। ୧୪ ବର୍ଷରୁ କମ୍ ବର୍ଗର ବାଳିକା ସଟ୍ପୁଟ୍ରେ ଏହି ଦୁଇ ଥର ସେ ରୌପ୍ୟ ଓ ସ୍ୱର୍ଣ୍ଣ ଜିତି ନେଇଥିଲେ। ମାତ୍ର ୩/୪ ବର୍ଷର ଯାତ୍ରା ଭିତରେ ଆଂଶିକା ଓରଫ୍ କିମ୍ଙ୍କ ପ୍ରତିଭା ପହଞ୍ଚିଯାଇଛି ଜାତୀୟ ସ୍ତରରେ। ଗତବର୍ଷ ଛତିଶଗଡ଼ର ରାୟପୁରରେ ସିବିଏସ୍ଇ ଜାତୀୟ ଦୌଡ଼କୁଦରେ ସ୍ୱର୍ଣ୍ଣ ଏବଂ ଏହାର ପୂର୍ବାଞ୍ଚଳରେ ଜାତୀୟ କୀର୍ତିମାନ (୧୦.୪୬ ମିଟର୍) ପ୍ରତିଷ୍ଠା କରିଥିଲେ। ସେହିବର୍ଷ ମଧ୍ୟ କୋଲ୍କାତାରେ ୨୯ତମ ଜାତୀୟ ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦରେ ସ୍ୱର୍ଣ୍ଣ ଏବଂ ବିଜୟଓ୍ଵାଡାରେ ୩୩ତମ ଜାତୀୟ କନିଷ୍ଠ ଦୌଡ଼କୁଦରେ କାଂସ୍ୟ ପଦକ ଜିତି ନେଇଛନ୍ତି।
‘ଭବିଷ୍ୟତ ବିଜୟିନୀ’
ନୂଆ ବର୍ଷ ୨୦୧୮ ମଧ୍ୟ ଆଂଶିକାଙ୍କ ପାଇଁ ଭଲ ବିତିଛି। ବିଶେଷ କରି ଟାଟା ଟି ପକ୍ଷରୁ ଆୟୋଜିତ ‘ଚାମ୍ପିଅନ୍ ଅଫ୍ ଟୁମୋରୋ’ର ରାଜ୍ୟସ୍ତରୀୟରେ ସ୍ୱର୍ଣ୍ଣ (୧୦.୫୩ ମିଟର୍) ଏବଂ ନୂଆଦିଲ୍ଲୀରେ ଜାତୀୟ ସ୍ତରରେ କାଂସ୍ୟ (୧୧.୧୫ ମିଟର୍) ଜିତି ଏବେ ବିଦେଶ ଗସ୍ତର ଦ୍ୱାରରେ ପହଞ୍ଚିଛନ୍ତି। ଅଭ୍ୟାସରେ ଆଂଶିକା ୧୧.୮୫ ମିଟର୍ ଫିଙ୍ଗି ସାରିଥିବାରୁ ଜାତୀୟ କୀର୍ତିମାନଠାରୁ ଏହା ଆଗରେ ରହିଛି। ଏବେ ତା’ ଖେଳର ବୈଷୟିକ ଦିଗ ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏଥି ପାଇଁ ଭଲ ପ୍ରଶିକ୍ଷକ ଏବଂ ବ୍ୟବସ୍ଥାର ସନ୍ଧାନରେ ରହିଛୁ। ସରକାରଙ୍କ ସହାୟତା ମିଳିଲେ ଆମେ ଏ ଦିଗରେ ଆଗେଇଯିବୁ ବୋଲି କହିଛନ୍ତି ଅନୁରାଧା। ଆଂଶିକାର ଖେଳ ଜୀବନକୁ ନିଜ ହାତରେ ଗଢ଼ିଥିବା ଅନୁରାଧା ଏବେ ତା’ ମାଧ୍ୟମରେ ନିଜର ଅବଶିଷ୍ଟ ଅଭିଳାଷକୁ ମଧ୍ୟ ପୂର୍ଣ୍ଣ କରିବା ଲକ୍ଷ୍ୟରେ ଅଛନ୍ତି।
ଟେନିସ୍ ଓ କିମ୍ କ୍ଲାଇଷ୍ଟର୍ସ
ଆଂଶିକାଙ୍କ ନାମ ଖ୍ୟାତନାମା ବେଲଜିୟମ୍ ଟେନିସ୍ ଖେଳାଳି କିମ୍ କ୍ଲାଇଷ୍ଟର୍ସଙ୍କ ନାମ ଆଧାରରେ କରାଯାଇଥିବା କଥାକୁ ସ୍ୱୀକାର କରନ୍ତି ଅନୁରାଧା। ଆଂଶିକା ୨୦୦୫ ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସମୟରେ କିମ୍ କ୍ଲାଇଷ୍ଟର୍ସ ଥିଲେ ବିଶ୍ୱ ମହିଳା ଟେନିସ୍ର ଏକ ପରିଚିତ ନାମ। ୨୦୦୩ରେ ସେ ବିଶ୍ୱର ଏନ ନମ୍ବର ହେବା ସହିତ ପରବର୍ତୀ ସମୟରେ ୪ ଥର ମଧ୍ୟ ଗ୍ରାଣ୍ଡ୍ ସ୍ଲାମ ଜିତିଥିଲେ। ଝିଅକୁ ସୁନ୍ଦରୀ କିମ୍ଙ୍କ ଭଳି ଗଢ଼ି ତୋଳିବାକୁ ଅନୁରାଧା ତାଙ୍କ ଶ୍ରଦ୍ଧାନାମ ରଖିଥିଲେ କିମ୍। କେବଳ ଏତିକି ନୁହେଁ, ଆଂଶିକା ବି ମାତ୍ର ୭ ବର୍ଷ ବୟସରେ ପ୍ରଥମେ ଟେନିସ୍ ଖେଳିଥିଲେ। ସନ୍ତୋଷଜନକ ଫଳାଫଳ ନ ପାଇବାରୁ ସେ ଏହି ଲକ୍ଷ୍ୟରୁ ହଟିଯାଇଥିଲେ। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ପଢ଼ୁଥିବାରୁ ସେ କିନ୍ତୁ ଥ୍ରୋ ଇଭେଣ୍ଟ୍ରେ ନିଜ ଅଭ୍ୟାସକୁ ଜାରି ରଖିଥିଲେ। ମା’ ଅନୁରାଧା ଏହି ପ୍ରତିଭାଙ୍କୁ ପ୍ରଥମେ ଅଣଦେଖା କରିଥିଲେ ମଧ୍ୟ ବାପା ପରମାନନ୍ଦ ରାଉତରାୟ ଯୋଗାଇ ଦେଇଥିଲେ ସଟ୍ପୁଟ୍ ସରଞ୍ଜାମ। ସେବେଠୁ କିମ୍ ପାଲଟିଗଲେ ସଟ୍ପୁଟ୍ର ସମ୍ଭାବନାମୟୀ ପ୍ରତିଭା।
ଉନ୍ନତ ତାଲିମ ଆବଶ୍ୟକ
ମୁଁ ମାମା’ର ପ୍ରଶିକ୍ଷଣରେ ପ୍ରସ୍ତୁତି କରୁଛି, କିନ୍ତୁ ଅଧିକ ଉନ୍ନତ ତାଲିମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଂଶିକା। ସଟ୍ପୁଟ୍ରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ ପାଇଁ ଅନେକ କିଛି କରିବାର ଅଛି। ସରକାର ହାତ ବଢ଼ାଇଲେ ମୋ ପ୍ରଦର୍ଶନରେ ଉନ୍ନତି ହୋଇପାରନ୍ତା ବୋଲି ଅନୁଭବ କରିଛନ୍ତି ଆଂଶିକା। ସାଇ ଇଣ୍ଟରନ୍ୟାସନାଲ୍ରେ ଲଗାତାର ୩ ବର୍ଷ ଧରି ସ୍କଲାର୍ ବ୍ୟାଚ୍ ସମ୍ମାନ ପାଉଥିବା ଆଂଶିକା ପାଠ ପଢ଼ାରେ ମଧ୍ୟ ଭଲ। କିନ୍ତୁ ଜାତୀୟ କନିଷ୍ଠ ବର୍ଗରେ ଥିବା କୀର୍ତିମାନ (୧୧.୬୪ ମିଟର୍) ତାଙ୍କ ପ୍ରଥମ ଲକ୍ଷ୍ୟ। ଏହା ପରେ ପାଦେ ପାଦେ ମୁଁ ଆଗକୁ ବଢ଼ିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଆଂଶିକା।
ଯେମିତି ମା’ ସେମିତି ଝିଅ:ଅନୁରାଧା-ଆଂଶିକା
/sambad/media/post_attachments/wp-content/uploads/2018/02/4-Anuradha-Anshika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)