ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ସିରିଜରେ ୩ଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ କବଜା କରିଛି ଅଷ୍ଟ୍ରେଲିଆ । ତେବେ ସିରିଜ କବଜା କରିବା ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ୱାର୍ଣ୍ଣର ବଡ ବୟାନ ଦେଇଛନ୍ତି । ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପ୍ରଶ୍ନରେ ୱାର୍ଣ୍ଣର କହିଛନ୍ତି ଯେ, ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ସେ ନିଜର ୨ଟି ଇଚ୍ଛା ପୂରା କରିବାକୁ ଚାହୁଁଛି । ପ୍ରଥମତଃ ୨୦୨୩ରେ ହେବାକୁ ଥିବା ଆସେସ ସିରିଜ ଜିତିବା ଲକ୍ଷ୍ୟ ରହିଛି ଆଉ ଅନ୍ୟପଟେ ଭାରତରେ ଭାରତକୁ ହରାଇ ସିରିଜ ଜିତିବାକୁ ଆଶା ରଖିଛନ୍ତି ଡେଭିଡ ୱାର୍ଣ୍ଣର ।
ୱାର୍ଣ୍ଣର କହିଛନ୍ତି, ଏବେ ମୋ କାମ ପୂରା ହୋଇନାହିଁ । ଏବେ ସୁଦ୍ଧା ମଧ୍ୟ ଆମ ଟିମ୍ ଭାରତରେ ଭାରତକୁ ହରାଇ ପାରିନାହିଁ । ଆଗକୁ ଭାରତରେ ଭାରତକୁ ହରାଇବା ଆମର ଲକ୍ଷ୍ୟ ରହିବ । ସେହିଭଳି ୨୦୧୯ରେ ଆସେସ ସିରିଜ ଡ୍ର ହୋଇଥିଲା କିନ୍ତୁ ଆଗାମୀ ବର୍ଷ ଇଂଲଣ୍ଡରେ ଆସେସ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛୁ ।
ତେବେ ଇଂଲଣ୍ଡ ଓ ଭାରତରେ ୱାର୍ଣ୍ଣରଙ୍କ ରେକର୍ଡ ସେତେଟା ଭଲ ନାହିଁ । ଇଂଲଣ୍ଡରେ ୱାର୍ଣ୍ଣର ଏଯାବତ ୩ଟି ଟେଷ୍ଟ ସିରିଜରେ ୧୩ଟି ମ୍ୟାଚ୍ ଖେଳିଛନ୍ତି ଓ ଭାରତରେ ୨ଟି ଟେଷ୍ଟ ସିରିଜରେ ୮ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି । ଏପରିକି ଏହି ଦୁଇ ଦେଶରେ ୱାର୍ଣ୍ଣର ଏଯାଏଁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିପାରିନାହାନ୍ତି ।
ୱାର୍ଣ୍ଣର ଆଗାମୀ ଆସେସ ସିରିଜ ବେଳକୁ ୩୭ ବର୍ଷରେ ପାଦ ଦେଇଥିବେ । କିନ୍ତୁ ନିଜ ବୟସକୁ ନେଇ ସେତେଟା ଚିନ୍ତିତ ନୁହଁନ୍ତି ୱାର୍ଣ୍ଣର । କାରଣ ଆଣ୍ଡରସନଙ୍କ ଭଳି ଖେଳାଳି ମଧ୍ୟ ଏବେ କ୍ରିକେଟ ଖେଳୁଛନ୍ତି । ତେଣୁ ଆଗକୁ ଆହୁରି ରନ୍ ବର୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି ୱାର୍ଣ୍ଣର ।