ବିଏଲ୍‌: ସ୍ବିଜରଲାଣ୍ଡ ବିପକ୍ଷ ଡେଭିସ୍‌ କପ୍‌ ବିଶ୍ବ ଗ୍ରୁପ୍‌-୧ ଯୋଗ୍ୟତା ପର୍ଯ୍ୟାୟ ଟେନିସ୍‌ ପ୍ରତିଯୋଗିତାରେ ଭାରତ ଜବରଦସ୍ତ ବିଜୟ ପାଇଛି। ସୁମିତ ନଗଲ ନିଜ ଉଭୟ ମ୍ୟାଚ୍ ଜିତି ଭାରତକୁ ୩-୧ରେ ବିଜୟ ଦେଇଛନ୍ତି। ଶୁକ୍ରବାର ଡେଭିସ୍ କପ୍ ପଦାର୍ପଣରେ  ୨୫ ବର୍ଷୀୟ ଦକ୍ଷିଣେଶ୍ବର ସୁରେଶ ଏବଂ ସୁମିତ ନଗଲ ନିଜ ନିଜ ଏକକ ମ୍ୟାଚ୍‌ ଜିତିଥିଲେ। ଶନିବାର କିନ୍ତୁ ଯୁଗଳ ମୁକାବିଲାରେ ଏନ୍ ଶ୍ରୀରାମ ବାଲାଜୀ ଓ ଋତିକ ଚୌଧୁରୀ ବୋଲିପଲିଙ୍କୁ ୭-୬, ୪-୬, ୫-୭ରେ ଜ୍ୟାକବ୍ ପଲ୍‌ ଓ ଡୋମିନିକ୍ ଷ୍ଟିକରଙ୍କଠାରୁ ହାରିଯାଇଥିଲେ।

Advertisment

ଏହା ପରେ ଅନୁଷ୍ଠିତ ପ୍ରଥମ ରିଭର୍ସ ଏକକରେ ସୁମିତ ନଗଲ ଚମତ୍କାର ପ୍ରଦର୍ଶନ କରି ଯୁବ ସୁଇସ୍ ଖେଳାଳି ହେନରି ବର୍ଣ୍ଣେଟ୍‌ଙ୍କୁ ୬-୧, ୬-୩ରେ ଏକତରଫା ଭାବେ ପରାସ୍ତ କରି ଭାରତକୁ ସ୍ମରଣୀୟ ବିଜୟ ଦେଇଥିଲେ। ଫଳରେ ପଞ୍ଚମ ତଥା ଦ୍ବିତୀୟ ରିଭର୍ସ ଏକକ ମୁକାବିଲାର ଆବଶ୍ୟକତା ପଡ଼ିନଥିଲା। ଏହି ବିଜୟ ସହ ଭାରତ ସର୍ବପ୍ରଥମ ଥର ପାଇଁ ବିଶ୍ବ ଗ୍ରୁପ୍‌ ଯୋଗ୍ୟତା ଅର୍ଜନ କରିଛି। ସେହିଭଳି  ୩୨ ବର୍ଷ ପରେ ଏକ ୟୁରୋପୀୟ‌ ଦେଶ ବିପକ୍ଷରେ ଭାରତ ବିଜୟୀ ହୋଇଛି। ଶେଷ ଥର ପାଇଁ ୧୯୯୩ରେ ଭାରତ କ୍ବାର୍ଟରଫାଇନାଲ୍ସରେ ଫ୍ରାନ୍ସକୁ ପରାସ୍ତ କରିଥିଲା।