ପିଙ୍କ ବଲ୍‌ ଟେଷ୍ଟ: ପ୍ରଥମ ଦିନରେ ଭାରତର ରାଜୁତି, ବାଂଲାଦେଶ ୧୦୬ ରନ୍‌ରେ ଅଲଆଉଟ୍‌ ହେବା ପରେ ବିରାଟ ବାହିନୀ ୬୮ ରନ୍‌ରେ ଅଗ୍ରଣୀ

କୋଲକାତା: ଭାରତରେ ଆୟୋଜିତ ପ୍ରଥମ ପିଙ୍କ ବଲ ଟେଷ୍ଟର ପ୍ରଥମ ଦିନରେ ଶୁକ୍ରବାର ବିରାଟ କୋହଲିଙ୍କ ଟିମ୍‌ ବାଂଲାଦେଶ ବିପକ୍ଷରେ ରାଜୁତି କରିଛି। ଚଳିତ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୦୬ ରନ୍‌ରେ ଅଲ ଆଉଟ୍‌ ହୋଇଛି। କୋଲକାତାର ଇଡେନ ଗାଡେନରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ୩ଟି ଓ୍ଵିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ଭାରତ ୬୮ ରନ୍‌ରେ ଅଗ୍ରଣୀ ଲାଭ କରିଛି।

ପ୍ରଥମ ଦିନ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଅପରାଜିତ ୫୯ ରନ୍‌ ଓ ଆଜିଙ୍କ୍ୟ ରାହାଣେ ଅପରାଜିତ ୨୩ ରନ୍‌ ସଂଗ୍ରହ କରିଛନ୍ତି। ଭାରତର ମୟଙ୍କ ଅଗ୍ରଓ୍ଵାଲ ୧୪ ରନ୍‌, ରୋହିତ ଶର୍ମା ୨୧ ରନ୍‌ ଓ ଚେତେଶ୍ୱର ପୂଜାରା ୫୫ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ବାଂଲାଦେଶ ପକ୍ଷରୁ ଏବଟ ହୁସେନ ୨ଟି ଓ ଅମିନ ହୁସେନ ଗୋଟିଏ ଓ୍ଵିକେଟ ନେଇଥିଲେ।

Zee News

ଟସ୍‌ ଜିଣି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲରଙ୍କ ଆଗରେ ଜଣେ ପରେ ଜଣେ ବ୍ୟାଟସ୍‌ମ୍ୟାନ୍‌ ଆତ୍ମ ସମର୍ପଣ କରିଥିଲେ। ଈଶାନ୍ତ ଶର୍ମା ୨୨ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ। ତାଙ୍କ ବ୍ୟତୀତ ଉମେଶ ଯାଦବ ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ ନିଜ ନାମରେ କରିଥିଲେ। ଅତିଥି ଟିମ୍‌ର ୪ ଜଣ ବ୍ୟାଟସ୍‌ମ୍ୟାନ୍‌ ଖାତା ନ ଖୋଲି ପାଭଲିଅନ୍‌କୁ ଫେରିଥିଲେ। ବାଂଲାଦେଶ ୩୦.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।

ଅତିଥି ଟିମ୍‌ ତରଫରୁ ଓପନର ଶାଦମାନ ଇସ୍‌ଲାମ ୨୯ ରନ୍‌ କରିଥିବା ବେଳେ ଲିଟନ ଦାସ ୨୪ ରନ୍‌ କରିଥିଲେ। ଲିଟନ୍‌ ଦାସଙ୍କୁ ରିଟାୟର୍ଡ ହର୍ଟ ହେବାକୁ ପଡ଼ିଥିଲା। କାରଣ ମହମ୍ମଦ ସାମିଙ୍କ ଏକ ବଲ ଲିଟନ୍‌ଙ୍କ ମୁଣ୍ଡରେ ବାଜିଥିଲା। ନଇମ୍‌ ହାସନ୍‌ ୧୯ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର