ଇନ୍ଦୋର ଟେଷ୍ଟ: ପ୍ରଥମ ଦିନ ବାଂଲାଦେଶକୁ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଭାରତର ସ୍କୋର ୮୬/୧

ଇନ୍ଦୋର: ଭାରତୀୟ କ୍ରିକେଟ୍‌ ଟିମ୍‌ ବାଂଲାଦେଶକୁ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ନିଜର ପ୍ରଥମ ପାଳିରେ ଗୋଟିଏ ଓ୍ଵିକେଟ୍‌ ହରାଇ ୮୬ ରନ୍‌ କରିଛି। ରୋହିତ ଶର୍ମା ୧୪ଟି ବଲ୍‌ ଖେଳି ୬ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା। ଆବୁ ଜୟେଦଙ୍କ ବଲ ଲିଟନ ଦାସଙ୍କୁ କ୍ୟାଚ୍‌ ଦେଇ ସେ ଆଉଟ୍‌ ହୋଇଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬୪ ରନ୍‌ ଅଗ୍ରଣୀ ଅଛି।

ଇନ୍ଦୋରସ୍ଥିତ ହୋଲକର୍‌ ଷ୍ଟାଡିୟମ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ମୟଙ୍କ ଅଗ୍ରଓ୍ଵାଲ ଅପରାଜିତ ୩୭ ରନ୍‌ କରିଥିଲେ। ମୟଙ୍କ ୮୧ଟି ବଲ୍‌ ଖେଳି ୩୭ ରନ୍‌ କରିଥିଲେ। ସେହିଭଳି ଚେତେଶ୍ୱର ପୂଜାରା ୬୧ଟି ବଲ୍‌ ଖେଳି ଅର୍ଦ୍ଧଶତକର ନିକଟତର ହୋଇଛନ୍ତି। ପୂଜାରାଙ୍କ ବ୍ୟାଟ୍‌ରୁ ୭ଟି ଚୌକା ମିଳିଛି।

Hindustan Times

ଦୁଇ ଟେଷ୍ଟ ମ୍ୟାଚର ପ୍ରଥମ ମୁକାବିଲାରେ ବାଂଲାଦେଶ ଆଜି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ୫୮.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୦ ରନ୍‌ କରିବାକୁ ସମର୍ଥ ହୋଇଥିଲା। ମୁସଫିକୁର ରହିମ ଦଳ ପାଇଁ ସର୍ବାଧିକ ୪୩ ରନ୍‌ କରିଥିଲେ। ମୋଇନୁଲ ମିଥୁନ ୩୭ ରନ୍‌ ଓ ଲିଟନ ଦାସ ୨୧ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା। ଭାରତ ପାଇଁ ମହମ୍ମଦ ସାମି ୩ଟି ଓ୍ଵିକେଟ ନେଇଥିବା ବେଳେ ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ୨-୨ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର