ଆଉ ୧୧ ଦିନ: ବ୍ରାଜିଲ୍‌କୁ ଷଷ୍ଠ ବିଶ୍ବକପ୍‌ ଟ୍ରଫି ଜିତାଇବା ଲକ୍ଷ୍ୟରେ ନେମାର

ପେଲେଙ୍କ ସମକକ୍ଷଠୁ ୨ ଗୋଲ୍‌ ଦୂରରେ

ନୂଆଦିଲ୍ଲୀ: ଗତ ବିଶ୍ବକପ୍‌ରେ କ୍ବାର୍ଟର ଫାଇନାଲ୍‌ରେ ପରାଜିତ ହୋଇଥିବା ବ୍ରାଜିଲ୍‌କୁ ଏଥର ଟ୍ରଫି ହାତେଇବା ଦାୟିତ୍ବ ନିଜ କାନ୍ଧକୁ ନେଇଛନ୍ତି ନେମାର୍‌। ଏଥିପାଇଁ ନେମାର ବହୁଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥିଲା ବେଳେ ଏବେ ତାଙ୍କର ଶ୍ରେଷ୍ଠ ଲୟରେ ମଧ୍ୟ ଅଛନ୍ତି। ହେଲେ ବଡ଼ ବଡ଼ ପ୍ରତିଯୋଗିତା ପୂର୍ବରୁ ଆହତ ସମସ୍ୟା ତାଙ୍କ ପିଛା ଛାଡୁନାହିଁ। ତେଣୁ କାତାର୍‌ରେ ସେ ଶେଷ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହେଲାଣି। ଅନ୍ୟପକ୍ଷରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ନେମାରଙ୍କ ଫୁଟବଲ୍‌ ପ୍ରତି ଦେଖାଇଥିବା ସମର୍ପିତ ଭାବକୁ ନଜରରେ ରଖିଲେ ସେ ଦଳକୁ ଷଷ୍ଠ ଟ୍ରଫି ଭେଟିଦେବା ପାଇଁ ସବୁପ୍ରକାରର ଉଦ୍ୟମ କରିବା ଭଳି ଜଣାପଡୁଛନ୍ତି। ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ (ପିଏସ୍‌ଜି) ପାଇଁ ଖେଳୁଥିବା ବେଳେ ସେ ୧୯ ମ୍ୟାଚ୍‌ରୁ ୧୫ ଗୋଲ୍‌ ଦେଇ ଚର୍ଚ୍ଚାରେ ଥିଲେ। ଏପରିକି ଲିଓନେଲ୍‌ ମେସି ଓ କିଲିଆନ୍‌ ଏମ୍‌ବାପେଙ୍କ ସହିତ ତାଙ୍କୁ ତୁଳନା କରାଯାଉଥିଲା।

ପେଲେଙ୍କ ସମକକ୍ଷଠୁ ୨ ଗୋଲ୍‌ ଦୂରରେ
ପିଏସ୍‌ଜି ପାଇଁ ଖେଳିବା ବେଳେ ନେମାର ଚମତ୍କାର ଲୟରେ ରହିଥିଲେ। ତାଙ୍କର ଗୋଲ୍‌ ସଂଖ୍ୟାକୁ ଦେଖିଲେ ବ୍ରାଜିଲ୍‌ର ଶ୍ରେଷ୍ଠ ଖେଳାଳି ମାନ୍ୟତା ବହନ କରୁଛନ୍ତି। ଏବେ ଦେଶର କିଂବଦନ୍ତି ଖେଳାଳି ପେଲେଙ୍କୁ ଟପିଯିବା ସୁଯୋଗ ରଖିଛନ୍ତି। ପେଲେ ୭୭ ଗୋଲ୍‌ ସହ ତାଙ୍କ ଦେଶର ସର୍ବାଧିକ ଗୋଲ ସ୍କୋରର ରହିଆସିଛନ୍ତି। ତେବେ କାତାର ଯିବା ପୂର୍ବରୁ ନେମାର ୭୫ ଗୋଲ୍‌ ସହ ପେଲେଙ୍କ ପଛକୁ ଅଛନ୍ତି। ଆଉ ମାତ୍ର ଦୁଇଟି ଗୋଲ୍‌ ଦେଲେ ସେ ପେଲେଙ୍କ ସମକକ୍ଷ ହୋଇଯିବେ। ବ୍ରାଜିଲ୍‌ର ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ପରେ ନେମାର ୭୫ ଗୋଲ୍‌ରେ ପହଞ୍ଚିଛନ୍ତି। ଦକ୍ଷିଣ ଆମେରିକାର ଏହି ଯୋଗ୍ୟତା ପର୍ଯ୍ୟାୟରେ ବ୍ରାଜିଲ୍‌ ୧୭ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲା। ଏଥିରୁ ନେମାର ୮ ଗୋଲ୍‌ ଦେଇଥିଲେ। ଏବେ ନେମାର ଶ୍ରେଷ୍ଠ ସମୟ ଦେଇ ଗତି କରୁଥିବାରୁ ତାଙ୍କ ନେତୃତ୍ବରେ ଦଳ ନିଶ୍ଚୟ ବିଶ୍ବକପ୍‌ ଜିତିବ ବୋଲି ବ୍ରାଜିଲର ପୂର୍ବତନ ଖେଳାଳି କାଫୁ ଓ ପ୍ରଶିକ୍ଷକ ଟାଇଟ୍‌ ପ୍ରତିକ୍ରିୟା ରଖିଛନ୍ତି। ୨୦୧୪ରେ ବ୍ରାଜିଲ୍‌ ବିଶ୍ବକପ୍‌ର ଆୟୋଜକ ହୋଇଥିଲା ବେଳେ ଘରୋଇ ଦଳ ସେମି ଫାଇନାଲ୍‌ରେ ଜର୍ମାନିଠୁ ୧-୭ ଗୋଲ୍‌ରେ ପରାଜିତ ହୋଇଥିଲା। ସେହି ବର୍ଷ କ୍ବାର୍ଟର ପର୍ଯ୍ୟାୟରେ ନେମାର ଆହତ ହେବାରୁ ବ୍ରାଜିଲ୍‌ ଦୁର୍ବଳ ହୋଇପଡ଼ିଥିଲା। ପରବର୍ତ୍ତି ସଂସ୍କରଣରେ ନେମାର ପ୍ରତ୍ୟାବର୍ତ୍ତନ କରି କୋଷ୍ଟାରିକା ଓ ମେକ୍ସିକୋ ବିପକ୍ଷରେ ଗୋଲ ଦେଇ ଦଳକୁ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟନ୍ତ ନେଇଥିଲେ। କିନ୍ତୁ ଏଠାରେ ବେଲ୍‌ଜିୟମ୍‌ଠୁ ଦଳ ୧-୨ ଗୋଲ୍‌ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲା।

ପଡ଼ିଆ ବାହାରର ବିବାଦ; କାତାରର ପ୍ରଥମ ଗୋଲ୍‌କୁ ବଲ୍‌ସୋନାରୋଙ୍କୁ ସମର୍ପିତ କରିବେ
ନେମାରଙ୍କ ନେତୃତ୍ବରେ ଦଳ ସଫଳତା ପାଉଥିଲେ ବି ତାଙ୍କର ଆହତ ସମସ୍ୟା ସବୁବେଳେ ଚିନ୍ତାଜନକ ରହିଛି। ଗୋଇଠିରେ ଆଘାତ ଯୋଗୁଁ ୨୦୧୯ କୋପା ଆମେରିକା କପ୍‌ରେ ସେ ଅଧାରୁ ଖେଳିପାରିନଥିଲେ। ତଥାପି ତାଙ୍କ ବିନା ଦଳ ବିଜେତା ହୋଇଥିଲା। ଗତବର୍ଷର କୋପା ଆମେରିକା ସଂସ୍କରଣରେ ସେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ଦଳ ଆର୍ଜେଣ୍ଟିନାଠୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ତେବେ ତାଙ୍କ ଉପସ୍ଥିତିରେ ଦଳ କେବଳ ୨୦୧୩ କନ୍‌ଫେଡେରେସନ୍‌ କପ୍‌ ଓ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ସଫଳତା ପାଇଛି। ଅନ୍ୟପକ୍ଷରେ ୨୦୧୩ରେ ସାଣ୍ଟୋସ୍‌ରୁ ବାର୍ସେଲୋନାକୁ ଦଳ ବଦଳ କରିବା ପରେ ସ୍ପେନ୍‌ରେ ତାଙ୍କ ନାମରେ ଦୁର୍ନୀତି ମାମଲା ଚାଲିଥିଲା। ତେବେ ନିକଟରେ ତାଙ୍କ ଉପରୁ ସମସ୍ତ ଦଫା ପ୍ରତ୍ୟାହାର କରିନିଆଯାଇଥିଲା। ଏପରିକି ବ୍ରାଜିଲ୍‌ ସଭାପତି ନିର୍ବାଚନରେ ଜୈର୍‌ ବଲ୍‌ସୋନାରୋଙ୍କୁ ସମର୍ଥନ କରିବାକୁ ଆଗେଇ ଆସିବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାସତ୍ତ୍ବେ ବଲ୍‌ସୋନାରୋ ନିର୍ବାଚନରେ ପରାଜିତ ହୋଇଥିଲେ। ତାଙ୍କ ସମର୍ଥନରେ କାତାରରେ ନିଜର ପ୍ରଥମ ଗୋଲ୍‌କୁ ବୋଲ୍‌ସୋନାରୋଙ୍କୁ ସମର୍ପିତ କରିବେ ବୋଲି ନେମାର୍‌ ପୂର୍ବରୁ ଘୋଷଣା କରିସାରିଛନ୍ତି।

ବାଦ୍‌ ପଡ଼ିଲେ ଫିର୍ମିନୋ
କାତାରରେ ଆୟୋଜିତ ହେବାକୁ ଯାଉଥିବା ଫିଫା ବିଶ୍ବକପ୍‌ ପାଇଁ ବ୍ରାଜିଲ୍‌ ୨୬ ଜଣିଆ ଦଳ ଘୋଷଣା କରିଛି। ଦଳରେ ଲିଭରପୁଲ୍‌ର ଫରୱାର୍ଡ ଖେଳାଳି ରବେର୍ଟୋ ଫିର୍ମିନୋଙ୍କ ସ୍ଥାନରେ ୩୯ ବର୍ଷିୟ ଡାନିଏଲ୍‌ ଆଲଭେସ୍‌ଙ୍କୁ ନିଆଯାଇଛି। ସେହିପରି ଆହତ ଯୋଗୁଁ ଅନ୍ୟତମ ଭେଟେରାନ୍‌ ଖେଳାଳି ଫିଲିପି କୌଟିନୋ ଏଥର ବିଶ୍ବକପ୍‌ ଖେଳିପାରିବେନି। ଏହି ଦଳରେ ଇଂଲିଶ ପ୍ରିମିୟର ଲିଗ୍‌‌ ଖେଳୁଥିବା ୧୨ ଜଣଙ୍କୁ ସାମିଲ କରାଯାଇଛି। ବ୍ରାଜିଲ୍‌ର ସମସ୍ତ ଖେଳାଳି ଆସନ୍ତା ୧୪ ତାରିଖରେ ତୁରିନ୍‌ସ୍ଥିତ ଜୁଭେଣ୍ଟସ୍‌ଠାରେ ୫ଦିନିଆ ଅଭ୍ୟାସ ଶିବିରରେ ଯୋଗଦେବେ। ୨୪ ତାରିଖରେ ସର୍ବିଆ ବିପକ୍ଷରୁ ବ୍ରାଜିଲ୍‌ ଗ୍ରୁପ୍‌ ଜି’ରେ ଅଭିଯାନ ଆରମ୍ଭ କରିବ।

୨୪ ଜଣିଆ ଦଳ: ଆଲିସନ୍‌, ଏଡରସନ୍‌, ୱେଭରଟନ୍‌ (ସମସ୍ତେ ଗୋଲରକ୍ଷକ), ବ୍ରେମର୍‌, ଆଲେକ୍ସ ସାନ୍ଦ୍ରୋ, ଏଡର୍‌ ମିଲିତାଓ, ମାର୍‌କ୍ୟୁନସ୍‌, ଥିଆଗୋ ସିଲ୍‌ଭା, ଡାନିଲୋ, ଡାନିଏଲ୍‌ ଆଲ୍‌ଭେସ୍‌, ଆଲେକ୍ସ ଟେଲେସ୍‌ (ସମସ୍ତେ ଡିଫେଣ୍ଡର), ବ୍ରୁନୋ ଗୁଇମାରିଆସ୍‌, କାସେମିରୋ, ଫ୍ରେଡ୍‌, ଏଭରଟନ୍‌ ରିବେଇରୋ, ଫାବିନୋ, ଲୁକାସ୍‌ ପାକ୍ବେଟା (ସମସ୍ତେ ମିଡ୍‌ଫିଲ୍ଡର), ଆଣ୍ଟୋନି, ଗାବ୍ରିଏଲ୍‌ ଜେସସ୍‌, ଗାବ୍ରିଏଲ୍‌ ମାର୍ଟିନେଲି, ନେମାର ଜୁନିଅର୍‌, ପେଡ୍ରୋ, ରାଫିନା, ରିଚାର୍ଲିସନ୍‌, ରୋଡ୍ରିଗୋ, ଭିନିସିଅସ୍‌ ଜୁନିଅର୍‌ (ସମସ୍ତେ ଫରୱାର୍ଡ)।

ସମ୍ବନ୍ଧିତ ଖବର