ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ୩୫ତମ ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାକୁ ୧୦ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୮ କାଂସ୍ୟ ସହ ମୋଟ୍ ୨୪ଟି ପଦକ ମିଳିଛି। ରାଜ୍ୟ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ଅତିଥି ଭାବେ ଯୋଗ ଦେଇ ସଫଳ କ୍ରୀଡ଼ାବିତ୍ମାନଙ୍କୁ ପଦକ ପ୍ରଦାନ କରିଥିଲେ।
ମଙ୍ଗଳବାର ୨୦୦ ମିଟର ଦୌଡ଼ ୧୮ ବର୍ଷରୁ କମ୍ ବାଳକରେ ପ୍ରତୀକ ମହାରଣା ସ୍ବର୍ଣ୍ଣ ଜିତିଥିଲା ବେଳେ ୨୦ ବର୍ଷରୁ କମ୍ରେ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ଆସ୍ତିକ ପ୍ରଧାନ ଓଡ଼ିଶାକୁ ୧-୨ ସଫଳତା ଦେଇଥିଲେ। ୨୦ ବର୍ଷରୁ କମ୍ ୪ଗୁଣା ୪୦୦ ମିଟର ରିଲେରେ ଆସ୍ତିକ ପ୍ରଧାନ, ପଙ୍କଜ ମଣ୍ଡଳ, ଜସ୍ମନ କୁଜୁର ଓ ବାପି ହାଁସଦାଙ୍କୁ ନେଇ ଗଠିତ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ୧୬ ବର୍ଷରୁ କମ୍ ବାଳକ ୬୦୦ ମିଟର ଦୌଡ଼ରେ ଅନୀଲ ସାଲ୍ବାମ ସ୍ବର୍ଣ୍ଣ ଏବଂ ବାଳିକାରେ ଲକ୍ଷ୍ମୀପ୍ରିୟା ନାଥ ରୌପ୍ୟ ପାଇଥିଲେ। ୧୮ ବର୍ଷରୁ କମ୍ ବାଳକ ଡିସ୍କସ୍ରେ ଓମ୍କାର ପ୍ରସାଦ ନନ୍ଦ ସ୍ବର୍ଣ୍ଣ ଓ ସୂରଜ ଗୋପେ କାଂସ୍ୟ ଜିତିଥିଲେ। ୨୦ ବର୍ଷରୁ କମ୍ରେ ପ୍ରଦ୍ୟୁମ୍ନ କୁମାର ସ୍ବର୍ଣ୍ଣ ଓ ଅଭିଷେକ ସେଠୀ କାଂସ୍ୟ ପାଇଥିଲେ। ୨୦ ବର୍ଷରୁ କମ୍ ବାଳିକା ୧୦୦୦୦ ମିଟର ରେସ୍ ୱାକ୍ରେ ତିଶା ବାରିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସେହିପରି ଭାବେ ବାଳିକା ୨୦ ବର୍ଷରୁ କମ୍ ଜାଭେଲିନ୍ରେ ପି. ଅର୍ପିତା ଅର୍ଚ୍ଚନା ଓ ଜୋତ୍ସ୍ନା ପ୍ରିୟଦର୍ଶିନୀ ଯଥାକ୍ରମେ ସ୍ବର୍ଣ୍ଣ ଜିତିଥିଲା ବେଳେ ୧୮ ବର୍ଷରୁ କମ୍ ୧୦୦୦ ମିଟର ଦୌଡ଼ରେ ସୁନିତା ସାନ୍ତା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବାଳକ ୧୮ ବର୍ଷରୁ କମ୍ ୧୦୦୦ ମିଟର ଦୌଡ଼ରେ ଦୋଳମଣି ଚିରଗୁ ରୌପ୍ୟ ପାଇଥିଲେ। ୨୦ ବର୍ଷରୁ କମ୍ ହାମର ଥ୍ରୋରେ ସ୍ବପ୍ନାଶ୍ରୀ ଜେନା କାଂସ୍ୟ ଜିତିଛନ୍ତି। ୧୮ ବର୍ଷରୁ କମ୍ ବାଳିକା ୨୦୦ ମିଟର ଦୌଡ଼ରେ ଅର୍ପିତା ପ୍ରିୟଦର୍ଶିନୀ ଓ ଅମିଶା ତିର୍କି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ୨୦ ବର୍ଷରୁ କମ୍ ବାଳକ ଲମ୍ବ ଡିଆଁ, ଉଚ୍ଚ ଡିଆଁ ଓ ସଟ୍ପୁଟ୍ରେ ରାହୁଲ ସରାଫ କାଂସ୍ୟ ଜିତି ହ୍ୟାଟ୍ରିକ୍ ସଫଳତା ପାଇଛନ୍ତି। ୩୦୦୦ ମିଟର ବାଳକ ଷ୍ଟିପଲଚେଜ୍ରେ ଶୁଭମ ବେହେରା ଏବଂ ୧୬ ବର୍ଷରୁ କମ୍ ବାଳିକା ଲମ୍ବଡିଆଁରେ ପାର୍ବତୀ ହାଁସ୍ଦା କାଂସ୍ୟ ପାଇଛନ୍ତି।