ପ୍ରଥମ ଟେଷ୍ଟ: ୨୨୨ ରନ୍‌ରେ ୱେଷ୍ଟଇଣ୍ଡିଜ ଅଲ୍‌ଆଉଟ୍‌, ପ୍ରଥମ ପାଳି ଆଧାରରେ ଭାରତ ୭୫ ରନ୍‌ରେ ଆଗୁଆ

ଆଣ୍ଟିଗୁଆ: ଭାରତ ବିପକ୍ଷରେ ଖେଳୁଥିବା ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ୨୨୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଅନ୍ତର୍ଗତ ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର ଭିଭିଆନ୍‌ ରିଚାର୍ଡ ଷ୍ଟାଡିୟମରେ ଖେଳ ଜାରି ରହିଥିବା ମ୍ୟାଚ୍‌ର ତୃତୀୟ ଦିନ ଶନିବାର ୱେଷ୍ଟଇଣ୍ଡିଜ ନିଜର ପ୍ରଥମ ପାଳିରେ ୭୪.୨ ଓଭର ଖେଳି ସମସ୍ତ ଓ୍ଵିକେଟ ହରାଇଛି। ଭାରତୀୟ ବୋଲର ଈଶାନ୍ତ ଶର୍ମା, ମହମ୍ମଦ ସାମି, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ ବୁମରା ଘାତକ ବୋଲିଂ କରିଛନ୍ତି।

ଈଶାନ୍ତ ଶର୍ମା ୧୭ ଓଭର ବୋଲିଂ କରି ୫ଟି ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି ୧୭ ଓଭର ବୋଲିଂ କରି ୨ଟି ଓ୍ଵିକେଟ, ରବୀନ୍ଦ୍ର ଜାଦେଜା ୨୦.୨ ଓଭର ବୋଲିଂ କରି ୨ଟି ଓ୍ଵିକେଟ୍‌ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମାରାଙ୍କୁ ଗୋଟିଏ ଓ୍ଵିକେଟ ମିଳିଛି।

ୱେଷ୍ଟଇଣ୍ଡିଜର ଜଣେ ହେଲେ ବ୍ୟାଟସ୍‌ମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ରୋସ୍ତନ ଚେସ୍‌ ଏକମାତ୍ର ଖେଳାଳି, ଯିଏ କି ୪୮ ରନ୍‌ କରିଥିଲେ। ସେହିପରି ଅଧିନାୟକ ଜସନ୍‌ ହୋଲଡର ୩୯ ରନ, ସିମରନ୍‌ ହେଟମେୟର ୩୫ ରନ୍‌, ସାଈ ହୋପ୍‌ ୨୪ ରନ୍‌, ଜନ୍‌ କ୍ୟାମ୍ପବେଲ ୨୩ ରନ୍‌ ଯୋଡ଼ିଥିଲେ। ସେହିପରି କ୍ରିଗ୍‌ ବ୍ରାଥେଓ୍ଵଟ ୧୪ ରନ, ସମରା ବ୍ରୁକ ୧୧ ରନ୍‌, ଡେରେନ ବ୍ରାଭୋ ୧୮ ରନ୍‌ ଯୋଡ଼ିଥିଲେ।

Hindustan Times

ୱେଷ୍ଟଇଣ୍ଡିଜ ଗୁରୁବାର ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ ପାଳି ମିଳିଥିଲା। ଟିମ୍‌ ଇଣ୍ଡିଆର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ୯୬.୪ ଓଭର ଖେଳି ୨୯୭ ରନ୍‌ କରିଥିଲା। ରାହାଣେ ୧୬୩ଟି ବଲ ଖେଳି ୮୧ ରନ୍‌ କରିଥିଲେ। ସେହିପରି ରବୀନ୍ଦ୍ର ଜାଦେଜା ୧୧୨ଟି ବଲ ଖେଳି ୫୯ ରନ୍‌ କରିଥିଲେ। ଓପନର ଲୋକେଶ ରାହୁଲ ୯୭ଟି ବଲ ଖେଳି ୪୪ ରନ୍‌ ଯୋଡ଼ିଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ କେମାର ରୋଚ୍‌ ୨୫ ଓଭର ବୋଲିଂ କରି ୬୬ ରନ୍‌ ଦେଇଥିଲେ। ସେ ୪ଟି ଓ୍ଵିକେଟ ନେଇଥିଲେ। ସାନ୍‌ନ ଗାବ୍ରିଏଲ ୨୨ ଓଭର ବୋଲିଂ କରି ୩ଟି ଓ୍ଵିକେଟ ନେଇଥିବା ବେଳେ ରୋସ୍ତନ ଚେସ୍‌ ୧୬ ଓଭର ବୋଲିଂ କରି ୨ଟି ଓ୍ଵିକେଟ୍‌ ନେଇଥିଲେ। ଅଧିନାୟକ ଜସନ୍‌ ହୋଲ୍‌ଡରଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର