ଜୈବ ବଳୟ ଜୀବନ ନେଇ କୋହଲିଙ୍କ ଚେତାବନୀ, ଚେନ୍ନାଇରେ ଆର୍‌ସିବିର ୯ ଦିନିଆ ଶିବିର ଆରମ୍ଭ

ଜୈବ ବଳୟ ପାଇଁ ଓହରିଲେ ମାର୍ସ: ଜାସନ ରୟ ସାମିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସଙ୍କଟ ପାଇଁ ଖେଳାଳିମାନେ ମାସ ମାସ ଧରି ତୀବ୍ର ଆହ୍ବାନପୂର୍ଣ୍ଣ ଜୈବ ବଳୟ ଭିତରେ ରହିବାକୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପସନ୍ଦ କରିନାହାନ୍ତି। ଜୈବ ବଳୟ ଜୀବନ ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଆଶଙ୍କା ଜାହିର କରି ଯେକୌଣସି ପ୍ରତିଯୋଗିତାର ଖେଳସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ଏକଥାକୁ ଗୁରୁତର ସହ ବିଚାରକୁ ନେବାକୁ ବିଶ୍ବର ସମସ୍ତ କ୍ରିକେଟ୍ ‌ବୋର୍ଡକୁ ଆହ୍ବାନ କରିଛନ୍ତି ସେ। ଖେଳସୂଚୀ ପ୍ରସ୍ତୁତି କଲା ବେଳେ ଖେଳାଳିଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା କରାନଗଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି କୋହଲି। ରବିବାରର ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆକୁ ରୋମାଞ୍ଚକର ଭାବେ ୭ ରନ୍‌ରେ ଜିତିବା ପରେ କୋହଲି କହିଥିଲେ ଯେ ଭବିଷ୍ୟତରେ ଖେଳସୂଚୀ ଉପରେ ଆମକୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ। କାରଣ ଜୈବ ବଳୟ ଭିତରେ ରହି ଏତେ ଲମ୍ବା ସମୟ (୨ରୁ ୩ ମାସ) ଖେଳିବା ଅତ୍ୟନ୍ତ କଷ୍ଟକର। ସମସ୍ତଙ୍କ ମାନସିକ ଦକ୍ଷତା ସମାନ ସ୍ତରର ବୋଲି ଆପଣ ଆଶା କରିପାରିବେ ନାହିଁ।

ଆପଣ ଏଭଳି ଜୀବନକୁ ନେଇ କେବେ କେବେ ବ୍ୟସ୍ତବିବ୍ରତ ହୋଇଯିବା ସ୍ବାଭାବିକ। ମୁଁ ସ୍ଥିରନିଶ୍ଚିତ ଯେ ଆସନ୍ତା ସମୟରେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଆଇପିଏଲ୍ ଭଳି ବୃହତ୍ ପ୍ରତିଯୋଗିତା ମଧ୍ୟ ନୂଆ ଆହ୍ବାନ ନେଇ ଆସିଥାଏ। ସୂଚନାଯୋଗ୍ୟ ‌ଯେ ଭାରତୀୟ ଖେଳାଳିମାନେ ଗତବର୍ଷର ଆଇପିଏଲ୍ ପରଠାରୁ କ୍ରମାଗତ ଭାବେ ଜୈବ ବଳୟରେ ରହି କ୍ରିକେଟ୍ ଖେଳି ଆସୁଛନ୍ତି। ୟୁଏଇରେ ଖେଳାଯାଇଥିବା ଆଇପିଏଲ୍-୨୦୨୦ର ମାତ୍ର କିଛି ଦିନ ପରେ ଭାରତୀୟ କ୍ରିକେଟ୍ ଦଳ ଏକ ଲମ୍ବା ଗସ୍ତରେ ଯାଇ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଖେଳିଥିଲା। ସେଠାରୁ ଫେରି ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ୍, ଟ୍ବେଣ୍ଟି-୨୦ ଓ ଦିନିକିଆକୁ ମିଶାଇ ମୋଟ ୧୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା। ଏବେ ମାତ୍ର କିଛି ଦିନର ବିଶ୍ରାମ ପରେ ପୁଣି ଥରେ ଜୈବ ବଳୟରେ ରହି ଏକ ମାସରୁ ଅଧିକ ସମୟ ଧରି ଆଇପିଏଲ୍ ଖେଳିବାକୁ ଯାଉଛନ୍ତି ଭାରତୀୟ ଖେଳାଳିମାନେ। କରୋନା ସଙ୍କଟ ପରଠାରୁ ଇଂଲଣ୍ଡ ଖେଳାଳି ଅଦଳ ବଦଳ କରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ଆସୁଥିଲା ବେଳେ ଭାରତୀୟ ଦଳ ଏଭଳି ରଣନୀତି ଅପଣାଇ ନାହିଁ। କେବଳ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେଥିପାଇଁ ମାନସିକ ସ୍ତରରେ ଖେଳାଳିମାନେ ଚିନ୍ତିତ ଅଛନ୍ତି। ଗତବର୍ଷର ଆଇପିଏଲ୍ ବେଳେ ଚେନ୍ନାଇ ସୁପରକିଙ୍ଗ୍ସର ବରିଷ୍ଠ ଖେଳାଳି ସୁରେଶ ରାଇନା ଜୈବ ବଳୟ ଅବଧି ଅଧାରୁ ସ୍ବଦେଶ ଫେରି ଆସିବା ଏହାର ଜ୍ବଳନ୍ତ ଉଦାହରଣ।

ହାଇଦ୍ରାବାଦ: ଜୈବ ବଳୟ କଟକଣା ଯୋଗୁଁ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମିଚେଲ ମାର୍ସ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ ଚତୁର୍ଦଶ ସଂସ୍କରଣରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବଦଳ ଖେଳାଳି ଭାବେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜାସନ ରୟଙ୍କୁ ଦଳରେ ସାମିଲ କରିଛି। ଜାସନଙ୍କୁ ତାଙ୍କ ମୂଳ ଦର ୨ କୋଟି‌ ଟଙ୍କା ମିଳିବ। କରୋନା ନିୟମ ଅନୁଯାୟୀ ଆଇପିଏଲ୍‌ରେ ଖେଳିବାକୁ ଥିବା ଖେଳାଳିଙ୍କୁ ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବା ସହ ୫୦ ଦିନିଆ ଏହି ପ୍ରତିଯୋଗିତା ସାରା ଜୈବ ବଳୟରେ ରହିବାକୁ ପଡ଼ିବ। ଏହି ନିୟମ ଅନୁସାରେ ନିଜକୁ ଖାପଖୁଆଇ ପାରିବେନି ଏବଂ ଓହରିବାକୁ ବାଧ୍ୟ ହେଉଛନ୍ତି ବୋଲି ମାର୍ସ କିଛି ଦିନ ତଳେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସହ ତାଙ୍କ ଫ୍ରାଞ୍ଚାଇଜ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଜଣାଇଥିଲେ। ୨୦୨୦ ନିଲାମରେ ମାର୍ସଙ୍କୁ ହାଇଦ୍ରାବାଦ ୨ କୋଟି ଟଙ୍କାରେ କିଣିଥିଲା। ଗତ ବର୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ସେ ଆଉ ଖେଳିନଥିଲେ। ତାଙ୍କ ସ୍ଥାନରେ ଜାସନ ହୋଲ୍‌ଡରଙ୍କୁ ସ୍ଥା‌ନ ମିଳିଥିଲା।

ଚେନ୍ନାଇ: ଆଗାମୀ ଆଇପିଏଲ୍‌ ପ୍ରସ୍ତୁତି ଲାଗି ଚେନ୍ନାଇରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଙ୍ଗଳବାରଠୁ ୯ ଦିନିଆ ଅଭ୍ୟାସ ଶିବିର ଆରମ୍ଭ କରିଛି। ସ୍ପିନର ୟୁଜବେନ୍ଦର ଚହଲ, ଦ୍ରୁତ ବୋଲର ନଭଦୀପ ସୈନି ଓ ମହମ୍ମଦ ସିରାଜ ଚେନ୍ନାଇସ୍ଥିତ ସେଣ୍ଟର ଫର୍‌ ସ୍ପୋର୍ଟ୍ସ ସାଇନ୍ସ (ସିଏସ୍‌ଏସ୍‌)ରେ କ୍ରିକେଟ୍‌ ପରିଚାଳନା ନିର୍ଦେଶକ ମାଇକ୍‌ ହେସନ ଓ ପ୍ରଶିକ୍ଷକ ସାଇମନ କାଟିଚଙ୍କ ତତ୍ତ୍ବାବଧାନରେ ଅଭ୍ୟାସ ଚଲାଇଛନ୍ତି। ଏହି ଶିବିରରେ ହର୍ଷଲ ପଟେଲ, ଶାହବାଜ ଅହମ୍ମଦ, ପବନ ଦେଶପାଣ୍ଡେ, ମହମ୍ମଦ ଆଝାରୁଦ୍ଦିନ, ରଜତ ପଟିଦାର, ସଚିନ ବେବି, ସୁୟାଶ ପ୍ରଭୂଦେଶାଇ ଓ କେଏସ୍‌ ଭରତ ମଧ୍ୟ ରହିଛନ୍ତି। ଆର୍‌ସିବି ଅଧିନାୟକ ବିରାଟ କୋହଲି ଗୁରୁବାର ଏଥିରେ ସାମିଲ ହେବେ। ସଂପ୍ରତି ସେ ବାଧ୍ୟତାମୂଳକ ୭ ଦିନିଆ ସଂଗରୋଧରେ ରହିଛନ୍ତି। ସଂଗରୋଧ ସରିବା ପରେ ଅନ୍ୟ ଖେଳାଳିମାନେ ଶିବିରରେ ଯୋଗଦେବେ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଏପ୍ରିଲ ୯ ତାରିଖ ଉଦ୍‌ଘାଟନୀ ମୁକାବିଲାରେ ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

ସମ୍ବନ୍ଧିତ ଖବର