ଢାକା: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ବକପ୍ ସୁପର ଲିଗ୍ ଅନ୍ତର୍ଗତ ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି ୱେଷ୍ଟ୍ଇଣ୍ଡିଜ୍। ବୁଧବାର ସ୍ଥାନୀୟ ସେର୍ ବାଂଲା ନ୍ୟାସ୍ନାଲ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭ୍ରମଣକାରୀ ଇଣ୍ଡିଜ୍ ଦଳ ଲଜ୍ଜାଜନକ ଭାବେ ୬ ୱିକେଟ୍ରେ ଘରୋଇ ବାଂଲାଦେଶ ନିକଟରୁ ହାରିଯାଇଛି। ଅଲ୍ରାଉଣ୍ଡ ପ୍ରଦର୍ଶନ କରିଥିବା ସାକିବ୍ ଅଲ୍ ହାସନ୍ (୪/୮ ଓ ୧୯ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଇଣ୍ଡିଜ୍ ଦଳକୁ ଆମନ୍ତ୍ରଣ କରିଥିଲା। ହେଲେ ସାକିବ୍ (୭.୨-୨-୮-୪), ହାସନ୍ ମହମୁଦ୍ (୬-୧-୨୮-୩) ଓ ମୁସ୍ତାଫିଜୁର ରହମନ୍ (୬-୦-୨୦-୨)ଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଇଣ୍ଡିଜ୍ ଦଳ ୩୨.୨ ଓଭରରେ ୧୨୨ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। କେବଳ କାଇଲ ମେୟର୍ସ (୪୦), ରୋଭ୍ମାନ ପାୱେଲ (୨୮), ଅଧିନାୟକ ଜାସନ୍ ମହମ୍ମଦ (୧୭) ଓ ଆନ୍ଦ୍ରେ ମ୍ୟାକାର୍ଥି (୧୨) ଦୁଇ ଅଙ୍କ ଛୁଇଁଥିଲେ।
ଜବାବରେ ଅଧିନାୟକ ତମିମ ଇକ୍ବାଲ (୪୪), ଲିଟନ୍ ଦାସ (୧୪), ସାକିବ୍ (୧୯) ଓ ମୁସ୍ଫିକର ରହିମ୍ (୧୯*)ଙ୍କ ବଳରେ ବାଂଲାଦେଶ ୩୩.୫ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅକିଲ ହୋସେନ୍ (୩/୨୬) ଇଣ୍ଡିଜ୍ ପକ୍ଷରୁ ସଫଳ ବୋଲର ରହିଥିଲେ। ଏଥି ସହିତ ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ହାସଲ କରିନେଇଛି।