ଚେନ୍ନାଇକୁ ଚକ୍‌ମା ଦେଲେ ସ’, ଧାୱନ

ରାଇନାଙ୍କ ଚମତ୍କାର ପ୍ରତ୍ୟାବର୍ତନ, ଧୋନିଙ୍କ ଚତୁର୍ଥ ଶୂନ

ମୁମ୍ବାଇ: ଆଇପିଏଲ୍‌-୨୧ର ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ୍‌ରେ ୩ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଏଥି ସହ ଗତ ଥରର ଉପବିଜେତା ଦିଲ୍ଲୀ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଋଷବ ପନ୍ତ୍‌ଙ୍କ ଦଳ ସମ୍ମୁଖରେ ୧୮୯ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପୃଥ୍ବୀ ସ’ (୭୨, ୩୮ ବଲ୍‌, ୯ ଚୌକା, ୩ ଛକା) ଏବଂ ଶିଖର ଧାୱନ (୮୫, ୫୪ ବଲ୍‌, ୧୦‌‌ ଚୌକା, ୨ ଛକା)ଙ୍କ ବଳରେ ଦିଲ୍ଲୀ ଅନାୟାସରେ ବିଜୟୀ ହୋଇଥିଲା। ଏହି ବାମ-ଡାହାଣ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୧୩.୩ ଓଭରରେ ୧୩୮ ରନ୍‌ ଯୋଡ଼ିବା ପରେ ଦିଲ୍ଲୀ ସୁଯୋଗ ଛାଡ଼ିନଥିଲା। ପୂର୍ବରୁ ପ୍ରତ୍ୟାବର୍ତନରେ ସୁରେଶ ରାଇନାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚେନ୍ନାଇ ୧୮୮ ରନ୍‌ କରିଥିଲା।
ରାଇନାଙ୍କ ଚମତ୍କାର ପ୍ରତ୍ୟାବର୍ତନ
ଗତ ଋତୁରେ ବ୍ୟକ୍ତିଗତ ଅସୁବିଧା କାରଣରୁ ୟୁଏଇରୁ ଫେରି ଆସି ଖେଳିନଥିବା ସୁରେଶ ରାଇନା ଚଳିତ ଋତୁକୁ ଚମତ୍କାର ଅର୍ଦ୍ଧଶତକରୁ ଆରମ୍ଭ କରିଛନ୍ତି। ଶନିବାର ଟସ୍ ହାରି ଚେନ୍ନାଇ ସୁପର୍‌ କିଙ୍ଗ୍ସ ‌ବ୍ୟାଟିଂ ପାଇଁ ଡାକରା ପାଇବା ପରେ ଫାପ୍ ଡୁ ପ୍ଲେସିସ୍‌ ଏବଂ ଋତୁରାଜ ଗାଏକ୍ବାଡଙ୍କୁ ସଅଳ ହରାଇଥିଲା। ତେବେ ମୋଇନ୍ ଅଲୀ (୩୬, ୨୪ ବଲ୍, ୪ ଚୌକା, ୨ ଛକା) ଏବଂ ସୁରେଶ ରାଇନା (୫୪, ୩୬ ବଲ୍‌, ୩ ଚୌକା, ୪ ଛକା) ତୃତୀୟ ୱିକେଟ୍ ପାଇଁ ୫୭ ରନ୍‌ ଯୋଡ଼ିନେବାରୁ ଚେନ୍ନାଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ଅମ୍ବାତି ରାୟୁଡୁ ୧୬ ବଲ୍‌ରୁ ୨୩, ରବୀନ୍ଦ୍ର ଜାଦେଜା ୧୭ ବଲ୍‌ରୁ ୨୬* ଏବଂ ସାମ୍ କରନ୍‌ ୧୫ ବଲ୍‌ରୁ ୩୪ ରନ୍‌ ସଂଗ୍ରହ କରିବାରୁ ଚେନ୍ନାଇ ୭ ୱିକେଟ୍ ବିନିମୟରେ ଲଢ଼ୁଆ ୧୮୮ ରନ୍‌ ସ୍କୋର୍‌ କରିଥିଲା।
ଧୋନିଙ୍କ ଚତୁର୍ଥ ଶୂନ
ଆଇପିଏଲ୍‌ ଇତିହ‌ାସର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ଲମ୍ବା ଖେଳ ଜୀବନରେ ଚତୁର୍ଥ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ଶନିବାର ମାହିଙ୍କୁ ଉଦୀୟମାନ ମଧ୍ୟପ୍ରଦେଶ ଦ୍ରୁତ ବୋଲର ଆଭେସ୍‌ ଖାନ୍‌ ବୋଲ୍ଡ କରି ଦେଇଥିଲେ। ଆଭେସଙ୍କ ବଲ୍‌କୁ ଧୋନି ଠିକଣା ଭାବେ ଟାଇମିଂ କରିନପାରିବାରୁ ପ୍ଲେଡ୍‌ ଅନ୍‌ ହୋଇଯାଇଥିଲେ। ପୂର୍ବରୁ ଧୋନି ୨୦୧୦ରେ ଚେନ୍ନାଇରେ ଦୁଇ ଥର ରାଜସ୍ଥାନ ରୟାଲ୍ସ (ପ୍ରଥମ ବଲ୍‌) ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ (ଦ୍ବିତୀୟ ବଲ୍‌) ବିପକ୍ଷରେ ଶୂନରେ ଆଉଟ୍ ହୋଇଥିଲେ। ୨୦୧୫ରେ ମୁମ୍ବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ବଲ୍‌ରେ ଏବଂ ଶନିବାର ସେହି ମୁମ୍ବାଇରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଦ୍ବିତୀୟ ବଲ୍‌ରେ ଶୂନରେ ଆଉଟ୍‌ ହୋଇଛନ୍ତି।
ଭାଇଙ୍କୁ ଛେଚିଲେ ଭାଇ
ଶୁକ୍ରବାର ଆଇପିଏଲ୍ କ୍ରିକେଟ୍‌ ପ୍ରେମୀ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଭାଇ ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଖେଳ ‌ଦେଖିଥିଲେ। ଶନିବାର ଦୁଇ ଇଂଲିସ୍‌ ଭ୍ରାତା ଟମ୍ କରନ୍‌ ଓ ସାମ କରନ୍‌ କିନ୍ତୁ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇ ସୁପର୍‌ କିଙ୍ଗ୍ସର ସାମ୍ କରନ ତାଙ୍କ ବଡ଼ ଭାଇ ଟମ୍ କରନଙ୍କୁ ନିର୍ଧୂମ ଛେଚିଥିଲେ। ୧୯ତମ ଓଭରରେ ଟମ୍‌ଙ୍କୁ ପ୍ରହାର କରି ସାମ୍‌ ୬, ୬, ୪, ୧ ରନ୍‌ ଆଦାୟ କରିଥିଲେ। ପୂର୍ବରୁ ପ୍ରଥମ ଦୁଇ ବଲ୍‌ରୁ ରୀବନ୍ଦ୍ର ଜାଦେଜା ୫ ରନ୍ (୪,୧) ଆଦାୟ କରିଥିବାରୁ ଟମ୍ ଏହି ଓଭରରେ ମୋଟ ୨୩ ରନ୍‌ ବ୍ୟୟ କରିଥିଲେ।
ରାହାଣେଙ୍କ ୧୫୦*, ଅମିତଙ୍କ ୧୦୦*
ଦିଲ୍ଲୀ କ୍ୟାପିଟାଲ୍ସର ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଶନିବାର ଆଇପିଏଲ୍‌ରେ ନିଜ ୧୫୦ତମ ମ୍ୟାଚ୍‌ ଖେଳିଛନ୍ତି। ଏହି ଅବସରରେ ତାଙ୍କ ଦଳର ଅମିତ ମିଶ୍ରା ମଧ୍ୟ ୧୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଆରସିବି ସ୍ପିନର୍‌ ୟୁଝବେନ୍ଦ୍ର ଚହଲ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୦୦ତମ ଆଇପିଏଲ୍‌ ମ୍ୟାଚ୍‌ ତଥା ମୋଟ ଉପରେ ୨୦୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର