ଲକ୍ଷ୍ନୌ : ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୦ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ଓ୍ବିକେଟରେ ହରାଇଦେଇଛି ଦିଲ୍ଲୀ କ୍ୟାପିଟାଲ । ୧୬୦ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୭.୫ ଓଭରରେ ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଭିଷେକ ପରୋଲ ୫୧ ରନ, କେଏଲ ରାହୁଲ ୫୭ ରନ ଓ ଅକ୍ଷର ପଟେଲ ୩୪ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଆଇଡେନ ମାର୍କରାମ ୨ଟି ଓ୍ବିକେଟ ନେଇଥିଲେ ।
 
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ଓ ମିଚେଲ ମାର୍ସ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୮୭ ରନ କରିଥିଲେ । ମାର୍କରାମ ୫୨ ରନ କରିଥିବାବେଳେ  ମାର୍ସ ୪୫ ରନ କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳ ବେଶ କେତୋଟି ଓ୍ବିକେଟ ଅଳ୍ପ ରନ ବ୍ୟବଧାନରେ ହରାଇଥିଲା । ଫଳରେ ରନଗତି ଧୀମେଇ ଯାଇଥିଲା । ନିକୋଲାସ ପୁରନ ୯ ରନ ଓ ଅବଦୁଲ ସମଦ ୨ ରନ କରିଥିଲେ । ଆୟୁଷ ବାଦୋନି ୩୬ରନ କରିଥିବାବେଳେ ଡେଭିଡ୍ ମିଲର ୧୪ ରନ କରିଥିଲେ ।