ଜୋହାନ୍ସବର୍ଗ : କ୍ବିଣ୍ଟନ ଡି’କକ୍ ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଦଳର ନେତୃତ୍ବ ନେବେ। ଡି’କକ୍ଙ୍କୁ ୨୦୨୦-୨୧ ଋତୁ ପାଇଁ ଶୁକ୍ରବାର ଟେଷ୍ଟ୍ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗତ ଋତୁରେ ତାଙ୍କୁ ସୀମିତ ଓଭର ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ହେଲେ ସେତେବେଳେ ଟେଷ୍ଟ୍ ଦଳର ଅଧିନାୟକ ଦାୟିତ୍ବ ଦେବାକୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ନିର୍ଦେଶକ ଗ୍ରେମ୍ ସ୍ମିଥ୍ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସବୁ ଫର୍ମାଟ୍ରେ ନେତୃତ୍ବ ଭାର ତାଙ୍କ ଉପରେ ଅତ୍ୟଧିକ ବୋଝ ପାଲଟିଯିବ ବୋଲି ଭାବି ଟେଷ୍ଟ୍ ଅଧିନାୟକ ନିଯୁକ୍ତ କରିନଥିଲୁ ବୋଲି ସ୍ମିଥ୍ କହିଛନ୍ତି। ଏବେ କିନ୍ତୁ ଡି’କକ୍ ସବୁ ଫର୍ମାଟ୍ର ନେତୃତ୍ବ ଭାର ପାଇଯାଇଛନ୍ତି। ଡି’କକ୍ ଏପର୍ଯ୍ୟନ୍ତ ୮ ଦିନିକିଆ ଏବଂ ୧୧ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ଦଳର ନେତୃତ୍ବ ନେଇଥିଲା ବେଳେ ଟେଷ୍ଟ୍ ନେତୃତ୍ବ ନେଇନାହାନ୍ତି।
ଦକ୍ଷିଣ ଆଫ୍ରିକା ଚଳିତ ଋତୁରେ ତିନିଟି ଟେଷ୍ଟ୍ ଶୃଙ୍ଖଳା ଖେଳିବାର ସୂଚୀ ରହିଛି। ଡିସେମ୍ବର ୨୬ରୁ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବା ପରେ ପାକିସ୍ତାନରେ ଦୁଇଟି ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ଖେଳିବ। ତେବେ ଡି’କକ୍ଙ୍କୁ ଲମ୍ବା ଫର୍ମାଟ୍ର ଅଧିନାୟକ ନିଯୁକ୍ତ କରିବା ସାଙ୍ଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପାଇଁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୪ ଜଣ ନବାଗତଙ୍କୁ ସାମିଲ କରାଯାଇଛି। ବ୍ୟାଟ୍ସମ୍ୟାନ୍ ସାରେଲ୍ ଇର୍ୱି, କିଗାନ୍ ପିଟରସନ୍ ଓ କେଲି ଭେରିନେ ଏବଂ ଦ୍ରୁତ ବୋଲର ଗ୍ଲେଣ୍ଟନ୍ ଷ୍ଟୁର୍ମାନ୍ ନୂଆମୁହଁ ରହିଥିଲା ବେଳେ ଅଲ୍ରାଉଣ୍ଡର ୱିଆନ୍ ମୁଲ୍ଡର ଲମ୍ବା ସମୟ ଧରି ଆହତରୁ ଫେରିଛନ୍ତି।
ଦଳ: କ୍ବିଣ୍ଟନ ଡି’କକ୍ (ଅଧିନାୟକ), ଟେମ୍ବା ବଭୂମା, ଏଡେନ୍ ମର୍କରାମ, ଫାଫ୍ ଡୁ ପ୍ଲେସିସ୍, ବିଉରାନ୍ ହେଣ୍ଡ୍ରିକ୍ସ, ଡିନ୍ ଏଲ୍ଗାର, କେଶବ ମହାରାଜ, ଲୁଙ୍ଗି ଏନ୍ଗିଡ଼ି, ରାଶି ଭାନ୍ ଡେର୍ ଦୁସାନ, ସାରେଲ୍ ଇର୍ୱି, ଅନ୍ରିଚ୍ ନର୍ଖିୟା, ଗ୍ଲେଣ୍ଟନ ଷ୍ଟୁର୍ମାନ୍, ୱିଆନ୍ ମୁଲ୍ଡର, କିଗାନ ପିଟରସନ୍, କେଲି ଭେରିନେ।