ଡିଭିଲିୟର୍ସ ଓ ଗେଲ୍‌ଙ୍କ ଜର୍ସିକୁ ଅବସର ଦେବ ଆର୍‌ସିବି

ବେଙ୍ଗାଲୁରୁ: ଚଳିତ ମାସ ୨୬ ତାରିଖରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଦୁଇ ପୂର୍ବତନ ତାରକା ଏବି ଡିଭିଲିୟର୍ସ ଏବଂ କ୍ରିସ୍‌ ଗେଲ୍‌। ଏହି ଦୁଇ କ୍ରିକେଟ କିଂବଦନ୍ତିଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆର୍‌ସିବି ବଡ଼ ନିଷ୍ପତ୍ତି ନେଇଛି। ଉଭୟ ଡିଭିଲିୟର୍ସ ଏବଂ ଗେଲ୍‌ ଆଇପିଏଲ୍‌ରେ ପରିଧାନ କରି ଖେଳିଥିବା ଜର୍ସିକୁ ଅବସର ଦେବ ବୋଲି ଆର୍‌ସିବି ଶନିବାର ଟ୍ବିଟ୍‌ କରିଛି। ଆର୍‌ସିବି ପକ୍ଷରୁ ଡିଭିଲିୟର୍ସ ୧୭ ଏବଂ ଗୋଲ୍‌ ୩୩୩ ନମ୍ବର ଜର୍ସି ପିନ୍ଧୁଥିଲେ। ଆର୍‌ସିବି ପାଇଁ ୧୧ (୨୦୧୧-୨୦୨୧) ଋତୁ ଧରି ଖେଳିଥିବା ଡିଭିଲିୟର୍ସ ୧୫୬ ମ୍ୟାଚ୍‌ରୁ ୪୪୯୧ ରନ୍‌ କରିଥିଲେ।

ଏହି ଦକ୍ଷିଣ ଆଫ୍ରିକୀୟ ତାରକା ୨ ଶତକ ଏବଂ ୩୭ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ୨୦୧୫ରେ ଅପରାଜିତ ୧୩୩ ତାଙ୍କର ସର୍ବୋଚ୍ଚ ସ୍କୋର୍‌ ରହିଛି। ସେ ୨୦୨୧ରେ ସମସ୍ତ ଫର୍ମାଟ୍‌ କ୍ରିକେଟ୍‌ରୁ ଅବସର ନେଇଥିବା ଡିଭିଲିୟର୍ସ ଆର୍‌ସିବି ପାଇଁ ୧୫୨ ଷ୍ଟ୍ରା‌ଇକ୍‌ ରେଟ୍‌ ଛୁଇଁଥିଲେ। ବିରାଟ କୋହଲିଙ୍କ ସହ ସେ ୫ ଥର ୧୦୦+ ଏବଂ ୨ ଥର ୨୦୦+ ଭାଗୀଦାରି ଗଢ଼ିଥିଲେ। ଏକମାତ୍ର ଯୋଡ଼ି ଭାବେ ୨ ଥର ୨୦୦+ ଭାଗୀଦାରି କରିବାରେ ବିଶ୍ବ ରେକର୍ଡ ଡିଭିଲିୟର୍ସ-କୋହଲିଙ୍କ ନାମରେ ରହିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ଓପ୍‌ନର ଗେଲ୍‌ ଆର୍‌ସିବି ପାଇଁ ୭ (୨୦୧୧-୨୦୧୭) ଋତୁ ଧରି ଖେଳିଥିଲେ। ୨୦୧୩ ଋତୁରେ ୧୬ ମ୍ୟାଚ୍‌ରୁ ୭୦୮ ରନ୍ କରିଥିଲା ବେଳେ ଅପରାଜିତ ୧୭୫ ସେଥିରେ ସାମିଲ ଥିଲା।

ସମ୍ବନ୍ଧିତ ଖବର