ଆର୍‌ସିବି ବିଦାୟର କାରଣ ‘ଭୟ’, ପ୍ରଶଂସକଙ୍କୁ କ୍ଷମା ମାଗିଲେ ଡି’ଭିଲିୟର୍ସ

ପ୍ରଶଂସକଙ୍କୁ କ୍ଷମା ମାଗିଲେ ଡି’ଭିଲିୟର୍ସ

ଦୁବାଇ: ଚଳିତ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବହୁତ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ୧୦ ମ୍ୟାଚ୍‌ରୁ ୭ ବିଜୟ ସହ ଦଳ ସହଜରେ ୧୪ ପଏଣ୍ଟ୍‌ ଅର୍ଜନ କରିଥିଲା। ଏହିଠାରୁ କିନ୍ତୁ ଆର୍‌ସିବିର ଅଧୋପତନ ଆରମ୍ଭ ହୋଇଥିଲା। ଲିଗ୍ ପର୍ଯ୍ୟାୟରେ ଲଗାତାର ଚାରିଟି ମ୍ୟାଚ୍ ହାରି କୋହଲି ସେନା ପ୍ରଥମ ଦୁଇ ସ୍ଥାନରେ ରହିବା ସୁଯୋଗ ହାତଛଡ଼ା କରିବା ସହ ସୌଭାଗ୍ୟବଶତଃ ରନ୍ ରେଟ୍ ବଳରେ ପ୍ଲେ ଅଫ୍ ଯାଇଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏଲିମିନେଟରରେ ମଧ୍ୟ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ବିଦାୟ ନେଇଥିଲା। ଶେଷ ଆଡ଼କୁ କାହିଁକି ଆରସିବି ଆଶାଜନକ ପ୍ରଦର୍ଶନ କରିପାରିନଥିଲା, ତା’ର କାରଣ କହିଛନ୍ତି କୋହଲି। ଆରସିବି ଅଭିଯାନ ପଥଚ୍ୟୁତ ହେବାର ମୁଖ୍ୟ କାରଣ ଖେଳାଳିଙ୍କ ମନରେ ଥିବା ଭୟ ଓ ସଙ୍କୋଚ ବୋଲି ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି। ‘‘ ମୁଁ ଭାବୁଛି ଏହାର କିଛିଟା କାରଣ ଭୟ ଓ ସଙ୍କୋଚ ହୋଇପାରେ। ଆମକୁ ବ୍ୟାଟ୍‌ରେ ଅଧିକ ପ୍ରତିକ୍ରିୟାଶୀଳ ହେବାକୁ ପଡ଼ିବ। ଆମେ ପ୍ରତିପକ୍ଷ ବୋଲରଙ୍କ ଉପରେ ଅଧିକ ଚାପ ପକାଇ ପାରୁନଥିଲୁ।

ଶେଷ ୪-୫ ମ୍ୟାଚ୍‌ରେ ଦଳ ଆଶ୍ଚର୍ଯ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଶେଷ ୨-୩ ମ୍ୟାଚ୍‌ରେ ଆମେ ସିଧାସଳଖ କ୍ଷେତ୍ରରକ୍ଷକଙ୍କ ପାଖକୁ ସଟ୍ ଖେଳୁଥିଲୁ। ବହୁତ ଭଲ ସଟ୍ କ୍ଷେତ୍ରରକ୍ଷକଙ୍କ ହାତକୁ ଯାଉଥିଲା। ଶୁକ୍ରବାର କେନ୍ ୱିଲିୟମସନ୍ ଆମ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଆମ ପାଖରେ ବୋର୍ଡରେ ଅଧିକ ରନ୍ ନଥିଲା। ବୋଲର ଅବଶ୍ୟ ଭଲ ବୋଲିଂ କରିଥିଲେ। ହେଲେ କମ୍ ରନ୍ ଥିବାରୁ ସନରାଇଜର୍ସ ଯେତିକି ଚାପଗ୍ରସ୍ତ ହେବାର କଥା ସେତିକି ହୋଇନଥିଲା। ଯୁବ ତାରକା ଦେବଦତ୍ତ ପଡ଼ିକଲ, ମହମ୍ମଦ ସିରାଜ ଓ ଏବି ଡି’ଭିଲିୟର୍ସଙ୍କୁ କୋହଲି ଏହି ଅବସରରେ ପ୍ରଶଂସା କରିଥିଲେ। ସେପଟେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ୱାର୍ନର ନିଜ ଖେଳାଳିଙ୍କ ଏକାଗ୍ରତା, ସାହସ ଓ ଅଧ୍ୟବସାୟକୁ ଉଚ୍ଚ ପ୍ରଶଂସା କରିଥିଲେ।

ପ୍ରଶଂସକଙ୍କୁ କ୍ଷମା ମାଗିଲେ ଡି’ଭିଲିୟର୍ସ
ଚଳିତ ଆ‌ଇପିଏଲ୍‌ରୁ ବିଦାୟ ନେବା ପରେ ଆର୍‌ସିବି ଶେଷ ଥର ପାଇଁ ଏକ ଡ୍ରେସିଂ ରୁମ୍ ଭିଡିଓ ପ୍ରକାଶ କରିଛି। ଏଥିରେ ଦଳର ମେରୁଦଣ୍ଡ ଭାବେ ପରିଚିତ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ ସହଯୋଗ ଓ ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ଡି’ଭିଲିୟର୍ସ ମଧ୍ୟ ଆର୍‌ସିବି ଏଲିମିନେଟରରୁ ବିଦାୟ ନେବା ନେଇ ପ୍ରଶଂସକଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଆରସିବି ଭିଡିଓଟିକୁ ପ୍ରକାଶ କରି ଲେଖିଛି ଯେ ଏକ ସ୍ମରଣୀୟ ଅଭିଯାନ ହତାଶାରେ ଶେଷ ହେଲା। ତେବେ ଦୁବାଇ ଛାଡ଼ିବାର ଠିକ୍ ପୂର୍ବରୁ ଆରସିବି ଖେଳାଳିମାନେ ପରସ୍ପର ସହ ଅଭୁଲା ମୁହୁର୍ତ କଟାଇଲେ। ୮୦ ଦିନ ଏକାଠି ରହିବା ପରେ ଆମର ଏହା ଶେଷ ସକାଳୁଆ ଆଇପିଏଲ୍ ଭିଡିଓ। ଆରସିବିର ୧୫ ମ୍ୟାଚ୍‌ରୁ ସର୍ବାଧିକ ୪୫୩ ରନ୍ କରିଥିବା ଡି’ଭିଲିୟର୍ସ କହିଥିଲେ ଖେଳାଳିମାନେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଅନେକ ସକାରାତ୍ମକ ଅଭିଜ୍ଞତା ନେଇ ସେମାନେ ନିଜ ନିଜ ଦେଶକୁ ଫେରୁଛନ୍ତି। ସମସ୍ତ ଆରସିବି ସମର୍ଥକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି। ଆଶା କରୁଛୁ ଆସନ୍ତା ଋତୁରେ ଆପଣମାନଙ୍କ ସହ ପଡ଼ିଆ ଭିତରେ ଦେଖାହେବ। ଟ୍ରଫି ଜିତି ପାରିନଥିବାରୁ ଦୁଃଖିତ। ଆଶା କରୁଛି ଆପଣମାନେ ଆମଙ୍କୁ କ୍ଷମା କରିବେ। ଆପଣମାନେ ଆଗକୁ ମଧ୍ୟ ଆମକୁ ଏହିଭଳି ଭାବେ ସମର୍ଥନ ଜାରି ରଖିବେ ବୋଲି ଆଶା କରୁଛି। ଅଧିନାୟକ ବିରାଟ ‌କୋହଲି ମଧ୍ୟ ନିଜ ଖେଳାଳିମାନଙ୍କୁ ପ୍ରଶଂସା କରିଥିଲେ। ସମର୍ଥକ, ପ୍ରଶିକ୍ଷକ ଓ ସହକାରୀ ପ୍ରଶିକ୍ଷକ ଓ ସମର୍ଥକଙ୍କୁ ଧନ୍ୟବାଦ ଦେବା ସହ ଖେଳାଳିମାନେ ପାରୁପର୍ଯ୍ୟନ୍ତ ଲଢ଼ିଥିବାରୁ ସେମାନଙ୍କ ପାଇଁ ମୁଁ ଗର୍ବିତ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସେ ଖେଳିଥିବା ଦଳ ମଧ୍ୟରେ ଏବର୍ଷର ଆରସିବି ଶ୍ରେଷ୍ଠ ଦଳ ଥିଲା ବୋଲି ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ୍ ଫିଞ୍ଚ୍ ମତ ଦେଇଥିଲେ।

 

ସମ୍ବନ୍ଧିତ ଖବର