ଡିଭିଲିୟର୍ସଙ୍କ ଇଗଲ୍‌ ଦଳ ଜିତିଲା ପ୍ରଥମ ସଲିଡାରିଟି କପ୍‌

ସେଞ୍ଚୁରିଅନ୍‌;: କୋଭିଡ୍‌-୧୯ ମହାମାରୀ ପରବର୍ତୀ ସମୟରେ ଆନ୍ତର୍ଜାତିକ କ୍ରିକେଟ୍‌ ପୂରା ଦମ୍‌ରେ ଫେରିନଥିଲା ବେଳେ ଦକ୍ଷିଣ ଆଫ୍ରିକା ପରୀକ୍ଷାମୂଳକ ଭାବେ ଏବଂ କରୋନା ପୀଡ଼ିତଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତିନି ଦଳକୁ ନେଇ ଆୟୋଜନ କରିଥିଲା ସଲିଡାରିଟି କପ୍‌। ପ୍ରତି ଦଳରେ ୮ ଜଣ ଲେଖାଏଁ ଖେଳାଳି ରହିଥିଲା ବେଳେ ମ୍ୟାଚ୍‌ଗୁଡ଼ିକ ୧୨ ଓଭର ବିଶିଷ୍ଟ ରହିଥିଲା। ଗୋଟିଏ ଦଳ ପ୍ରତିପକ୍ଷ ଦୁଇ ଦଳ ସହ ୬ ଓଭର ଲେଖାଏଁ ଖେଳିଥିଲେ। ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣକୁ ଏବି ଡିଭଲିୟର୍ସଙ୍କ ନେତୃତ୍ବାଧୀନ ଇଗଲ୍‌ସ ଦଳ ଜିତି ନେଇଛି। ସେଞ୍ଚରିଅନ୍‌ ପାର୍କରେ ଶନିବାର ଇଗଲ୍‌ ଦଳ ଦୁଇଟି ପର୍ଯ୍ୟାୟରେ ୧୨ ଓଭର ଖେଳି ୪ ୱିକେଟ୍‌ ବିନିମୟରେ ୧୬୦ ରନ୍‌ କରିଥିଲା।

ଡିଭିଲିୟର୍ସ (୨୪ ବଲ୍‌ରୁ ୬୧) ଏବଂ ଏଡେନ୍‌ ମର୍କରାମ (୩୩ ବଲ୍‌ରୁ ୭୦) ବିସ୍ଫୋରକ ଅର୍ଧଶତକୀୟ ପାଳି ଖେଳିଥିଲେ। ଜବାବରେ ସମାନ ୧୨ ଓଭର ଲେଖାଏଁ ଖେଳିଥିବା ଅନ୍ୟ ଦୁଇ ଦଳ କାଇଟସ୍‌ (୧୩୮/୩) ଏବଂ କିଙ୍ଗ୍‌ଫିସର (୧୧୩/୫) କରିଥିଲେ। ପାଳିରେ ସର୍ବାଧିକ ସ୍କୋର୍‌ କରିଥିବା ଭିତ୍ତି‌ରେ ଇଗଲ୍‌ସ ବିଜେତା ହୋଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ଅନ୍ୟପକ୍ଷରେ ଇଗଲ୍‌ସ ଦଳର ସ୍କୋର୍‌ଠାରୁ ୨୨ ରନ୍‌ ପଛରେ ରହିଥିବା କାଇଟସ୍‌କୁ ରୌପ୍ୟ ଏବଂ ୪୭ ରନ୍‌ ପଛରେ ଥିବା କିଙ୍ଗ୍‌ଫିସରକୁ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ ବେଳେ ପ୍ରତି ଖେଳାଳି ଆଣ୍ଠେଇ ବସି ‘‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର୍ସ’’ ଆନ୍ଦୋଳକୁ ସମର୍ଥନ ଜଣାଇଥିଲେ। ସବୁ ଖେଳାଳି ଏହି ଅବସରରେ ହାତରେ କଳା ପଟି ବାନ୍ଧିଥିଲେ।

ସମ୍ବନ୍ଧିତ ଖବର