ଚେନ୍ନାଇ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ପୁଣି ଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ସହିତ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳିବାକୁ ଅଭିଳାଷ ରଖିଥିବା ପ୍ରକାଶ କରିଛନ୍ତି। ଚଳିତ ଆଇପିଏଲ୍ରେ ଚମତ୍କାର ଫର୍ମରେ ଥିବା ଡି’ଭିଲିୟର୍ସ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ ପଏଣ୍ଟ୍ ଟେବୁଲ୍ ଶୀର୍ଷରେ ରଖିଛନ୍ତି। ରବିବାର ୩୭ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୩୪ ବଲ୍ରୁ ୭୬* ରନ୍ କରିବାରୁ ଦଳ ବଡ଼ ବିଜୟ ହାସଲ କରିଥିଲା।
ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ସମ୍ପର୍କରେ ସେ ତାଙ୍କ ପୂର୍ବତନ ଦଳୀୟ ସାଥୀ ତଥା ବର୍ତମାନର ଜାତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚରଙ୍କ ସହ କଥା ହେବେ ବୋଲି ସ୍ପଷ୍ଟ କରିଛନ୍ତି। ‘ମୁଁ ଏ ପର୍ଯ୍ୟନ୍ତ ବାଉଚି (ମାର୍କ ବାଉଚର୍) ସହ କଥା ହୋଇନାହିଁ, କିନ୍ତୁ ଆଇପିଏଲ୍ ଅବସରରେ ନିଶ୍ଚିତ ଆଲୋଚନା କରିବି। ଗତବର୍ଷ ସେ ମୋତେ ଅନୁରୋଧ କରିଥିଲେ, ମୁଁ ‘ନିଶ୍ଚିତ’ ବୋଲି କହିଥିଲି। ପ୍ରତିଯୋଗିତା ବେଳକୁ ମୋ ଫର୍ମ ଓ ଫିଟନେସ୍କୁ ଦେଖି ବିଚାର କରିବୁ ବୋଲି ଡି’ଭିଲିୟର୍ସ ପ୍ରକାଶ କରିଛି। ଦଳ ପାଇଁ ଭଲ ପ୍ରଦର୍ଶନ କରୁଥିବା ଅନ୍ୟ ଖେଳାଳିଙ୍କ କଥା ମଧ୍ୟ ବିଚାରକୁ ନିଆଯିବ। ମୋ ପାଇଁ ସ୍ଲଟ୍ ମିଳିଲେ ଖୁସି ହେବି। ଆଇପିଏଲ୍ ଶେଷ ଆଡକୁ ମୁଁ ଆଲୋଚନା କରିବି ବୋଲି ସେ ପ୍ରକାଶ କରିଥିଲେ।