ସଂଗରୋଧକୁ ନେଇ ପ୍ରଶ୍ନ ଉଠାଇଲେ ଫ୍ରାଞ୍ଚାଇଜ୍‌

ଆର୍‌ସିବି ସହ ଯୋଗଦେଲେ ଡି’ଭିଲିୟର୍ସ, ଷ୍ଟେନ୍‌ ଓ ମୋରିସ୍‌

ମୁମ୍ବାଇ: ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତ୍ରୟୋଦଶ ସଂସ୍କରଣ ବେଳେ କୋଭିଡ୍‌-୧୯ ସଂଗରୋଧ ନିୟମକୁ ନେଇ କେତେକ ଫ୍ରାଞ୍ଚାଇଜ୍‌ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ସବୁ ଫ୍ରାଞ୍ଚାଇଜ୍‌ର ଖେଳାଳି, ଅଧିକାରୀ ଓ ସପୋର୍ଟ ଷ୍ଟାଫ୍‌ ୟୁଏଇ ପହଞ୍ଚିବା ପରେ ସଂଗରୋଧରେ ରହିବାର ନିୟମ କରାଯାଇଛି। ପୁଣି ସେଠାରେ ମଧ୍ୟ ପ୍ରଥମ ୭ ଦିନ ମଧ୍ୟରେ ୩ ଥର (ପ୍ରଥମ, ତୃତୀୟ ଓ ଷଷ୍ଠ ଦିବସରେ) ପରୀକ୍ଷା ଦେବା ବାଧ୍ୟତାମୂଳକ ରହିଛି। ଯଦି ସେମାନଙ୍କ ସବୁ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସେ ତାହାଲେ ସଂପୃକ୍ତ ଖେଳାଳିମାନଙ୍କୁ ଜୈବ ସୁରକ୍ଷା ବଳୟ ଭିତରକୁ ଅଭ୍ୟାସ ନିମନ୍ତେ ପ୍ରବେଶ ଅନୁମତି ମିଳିବ ବୋଲି କଡ଼ା ନିୟମ ରହିଛି। ପୁଣି ପ୍ରତିଯୋଗିତା ଅବସରରେ ପ୍ରତ୍ୟେକ ଖେଳାଳି ଓ ଅଧିକାରୀମାନେ ପ୍ରତି ୫ ଦିନରେ କରୋନା ପରୀକ୍ଷା ଦେବେ ବୋଲି ନିୟମ ଜାରି କରାଯାଇଛି। ଏତେସବୁ ନିୟମ ସତ୍ତ୍ବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ସେମାନଙ୍କ ସୀମିତ ଓଭର ଶୃଙ୍ଖଳା ପରେ ୟୁଏଇ ପହଞ୍ଚି ସିଧାସଳଖ ଆଇପିଏଲ୍‌ ମ୍ୟାଚ୍‌ ଖେଳିପାରିବେ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧ୍ୟକ୍ଷ ସଂଜୀବ ଚୁରିୱାଲା କହିଥିଲେ। ସେହି ଖେଳାଳିମାନେ ଜୈବ ସୁରକ୍ଷିତ ବଳୟ ମଧ୍ୟରେ ଶୃଙ୍ଖଳା ଖେଳି ଆସୁଥିବାରୁ ସେମାନଙ୍କ ପାଇଁ ସଂଗରୋଧର ଆବଶ୍ୟକତା ପଡ଼ିବନି ବୋଲି ଚୁରିୱାଲା ଯୁକ୍ତି କରିଥିଲେ।

ହେଲେ ଏହାର ୨୪ ଘଣ୍ଟା ନପୁରୁଣୁ ପ୍ରତିବାଦର ସ୍ବର ଉଠାଇଛନ୍ତି ଅନ୍ୟ କେତେକ ଫ୍ରାଞ୍ଚାଇଜ୍‌। ସେମାନଙ୍କ ମତରେ ସମସ୍ତଙ୍କ ପାଇଁ ଗୋଟିଏ ସପ୍ତାହର ସଂଗରୋଧ ସମୟ ବାଧ୍ୟତାମୂଳକ ଥିଲା ବେଳେ ଇଂଲଣ୍ଡରେ ସୀମିତ ଓଭର ଶୃଙ୍ଖଳା ଖେଳି ୟୁଏଇ ଫେରିବାକୁ ଥିବା ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ଏହି ନିୟମ କାହିଁକି ଲାଗୁ ହେବ ନାହିଁ? ପ୍ରତ୍ୟେକଙ୍କ ପାଇଁ ନିୟମ ସମାନ ରହିବା ଉଚିତ ବୋଲି ଦୁଇଟି ଫ୍ରାଞ୍ଚାଇଜ୍‌ ଦାବି କରିଛନ୍ତି। ୟୁଏଇ ପହଞ୍ଚିବା ପରେ ଏହି ଦୁଇ ଦେଶର ଖେଳାଳିମାନେ ମଧ୍ୟ ଅନ୍ୟ ଖେଳାଳିଙ୍କ ଭଳି ସଙ୍ଗେ ସଙ୍ଗେ ମ୍ୟାଚ୍‌ ନଖେଳି ୭ ଦିନିଆ ବାଧ୍ୟତାମୂଳକ ସଂଗରୋଧରେ ରହିବା ଉଚିତ। ସଂଗରୋଧ ସମୟରେ ମଧ୍ୟ ନିୟମ ଅନୁଯାୟୀ ପରୀକ୍ଷା ଦେବେ ଏବଂ ନେଗେଟିଭ୍‌ ଆସିଲେ ହିଁ ଆଇପିଏଲ୍‌କୁ ଯିବାର ଅନୁମତି ଦିଆଯିବା ଉଚିତ ବୋଲି ସେମାନେ କହିଛନ୍ତି। ଯଦି ତୁ‌ମେ ଫ୍ରାଞ୍ଚାଇଜ୍‌ ଜୈବ ବଳୟ ମଧ୍ୟରେ ଏକାଠି ରହୁଚ ଏବଂ ଷ୍ଟାଡିୟମ୍‌ରେ ଅନ୍ୟ କାହାରି ସହ କଥାବାର୍ତା କରିବା କିମ୍ବା ସଂସ୍ପର୍ଶରେ ଆସିନଥିବ ତାହାଲେ ଭିନ୍ନ କଥା। ତଥାପି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ସମସ୍ତ ୮ଟିଯାକ ଫ୍ରାଞ୍ଚାଇଜ୍‌କୁ ପଠାଇଥିବା ଆଇପିଏଲ୍‌ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ସମ୍ବଳିତ କୋଭିଡ୍‌-୧୯ ନିୟମାବଳୀକୁ ପ୍ରତ୍ୟେକ କଡ଼ାକଡ଼ି ଭାବେ ପାଳନ କରିବା ବାଧ୍ୟତାମୂଳକ ବୋଲି କେତେକ ହିତାଧିକାରୀ ଜୋର୍‌ ଦେଇ କହିଛନ୍ତି। ଅନ୍ୟପକ୍ଷରେ ଆର୍‌ସିବି ଅଧ୍ୟକ୍ଷଙ୍କ ମତ ବିଷୟରେ ଅବଗତ ନଥିବା କିମ୍ବା ଏଥିନେଇ କୌଣସି ଆଲୋଚନା ହୋଇ ନଥିବା ବିସିସିଆଇ କହିଛି।

ତିନି ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏବି ଡି’ଭିଲିୟର୍ସ, ଡେଲ୍‌ ଷ୍ଟେନ୍‌ ଏବଂ କ୍ରିସ୍‌ ମୋରିସ୍‌ ଆଇପିଏଲ୍‌ ଖେଳିବା ପାଇଁ ଶନିବାର ଦୁବାଇ ପହଞ୍ଚି ସେମାନଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ସହ ଯୋଗଦେଇଛନ୍ତି। ଆର୍‌ସିବି ସେମାନଙ୍କ ପହଞ୍ଚିବାର ଭିଡିଓ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲ୍‌ରେ ସେୟାର କରିଛି। ନିଜର ସମସ୍ତ ଖେଳାଳି ଏବଂ ଅନ୍ୟ ଅଧିକାରୀମାନଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦେଇ ଆର୍‌ସିବି ଏକ ବିଳାଶପୂର୍ଣ୍ଣ ହୋଟେଲକୁ ପୂରା ବୁକ୍‌ କରିଛି। ଯେଉଁଥିରେ ୧୫୦ ରୁମ୍‌ ରହିଛି। ତେଣୁ ଖେଳାଳିଙ୍କୁ ୬ ଦିନିଆ ସଂଗରୋଧ ସମୟରେ ସେମାନଙ୍କ ହୋଟେଲ ରୁମ୍‌ ବାହାରକୁ ବାହାରିବାର ଅନୁମତି ଦିଆଯିବନି ବୋଲି ଆର୍‌ସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର