ଷ୍ଟେନ୍ ଆମ ପାୱାର ପ୍ଲେରେ ଶକ୍ତି ଭରିଛନ୍ତି

ଏବି ଡି’ଭିଲିୟର୍ସ

ଆଇପିଏଲ୍-୨୦୧୯ ଏମିତି ଏକ ଉପହାର, ଯାହା କେବଳ ଦେଇ ଚାଲିଛି। ‌ମୋ ମତରେ ଆଇପିଏଲ୍‌ ଭଳି ରୋମାଞ୍ଚକର ଏବଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା ବିଶ୍ବରେ ବିରଳ। ପ୍ରତିଦିନ ନୂଆ ନୂଆ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ ଆସୁଛି। ନୂଆ ମ୍ୟାଚ୍‌ର ନାଟକୀୟ ପରିସମାପ୍ତି ସହ ଏହାର ସ୍ମରଣୀୟ ଚିତ୍ର ମନ ଭିତରେ ସବୁଦିନ ପାଇଁ ଛାପି ହୋଇ ରହୁଛି। ବିଶ୍ବର ଶ୍ରେଷ୍ଠ ଓ ଶୀର୍ଷ ସ୍ତରୀୟ ଖେଳାଳିମାନେ ଆଠଟି ଦଳରେ ରୁଣ୍ଡ ହୋଇଛନ୍ତି। ଏକ ନିର୍ଦିଷ୍ଟ ଦିନରେ ଯେ କୌଣସି ଦଳ ଯେ କୌଣସି ଦଳକୁ ହରାଇବାର ଦମ୍ ରଖୁଛନ୍ତି। ରବିବାର ମଧ୍ୟ ଏହି ମହାମନୋରଞ୍ଜନ ଜାରି ରହିଥିଲା। ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ଥିବା ଆରସିବି ଏକ ନମ୍ବର ସ୍ଥାନରେ ଥିବା ‌ସିଏସ୍‌କେକୁ ମାତ୍ର ୧ ରନ୍‌ରେ ହରାଇ ଦେଇଥିଲା। କି ମ୍ୟାଚ୍ ଥିଲା? ପ୍ରତିଯୋଗିତାରେ ତିଷ୍ଠି ରହିବା ଲାଗି ଏବେ ଏହି ଦଳର ସବୁ ଖେଳାଳି ଏକତ୍ର ଜୋରଦାର ଲଢ଼େଇ କରୁଛନ୍ତି। ୧୬୧ ରନ୍ କରି ମହେନ୍ଦ୍ର ସିଂହ ଧୋନିଙ୍କ ନିର୍ଘାତ ପ୍ରହାରକୁ ପ୍ରତିହତ କରିବା ଆମକୁ ସବୁଠୁ ‌ବେଶି ଆତ୍ମସନ୍ତୋଷ ଦେଇଛି। ଚାରିଟି ମ୍ୟାଚ୍‌ରୁ ତିନିଟି ବିଜୟ ପରେ ମଧ୍ୟ ଆମ ଆତ୍ମବିଶ୍ବାସ ଯଥେଷ୍ଟ ବଢ଼ିଛି। ଆମ କ୍ଷେତ୍ରରକ୍ଷଣର ମାନ ଉର୍ଧ୍ବକୁ ଯାଇଛି। ଆମେ ଚାପରେ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛୁ। ରବିବାର ବିଜୟର ଶ୍ରେୟ ଆମ ବୋଲରଙ୍କୁ ମିଳିବା କଥା। ବିଶେଷ କରି ଡେଲ୍ ଷ୍ଟେନ୍ ଏବଂ ୟୁଜବେନ୍ଦ୍ର ଚହଲ ପ୍ରଶଂସାର ପାତ୍ର। ଡେଲ୍ ଆମ ପାୱାର ପ୍ଲେରେ ଶକ୍ତି ଭରି ଦେଇଛନ୍ତି। ରାଇନା ଏବଂ ୱାଟ୍‌ସନଙ୍କୁ ସେ ସଅଳ ପ୍ୟାଭିଲିୟନ ଫେରାଇବା ଆମକୁ ଉପରେ ରଖିଥିଲା। ଆମ ଅନ୍ୟ ‌ବୋଲରମାନେ ତାଙ୍କୁ ଆବଶ୍ୟକ ସମର୍ଥନ ଦେଇଥିଲେ। ୟୁଜି ଜଣେ ସ୍ବତନ୍ତ୍ର ଖେଳାଳି। ବିଶ୍ବ ଯୁବ ଚେସ୍ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ବ କରିଥିଲେ। ଏଣୁ ତାଙ୍କ ବୋଲିଂରେ ସେହି ଚତୁରତା ଦେଖିବାକୁ ମିଳିଥାଏ। ରବିବାର ତାଙ୍କ ସ୍ପେଲ୍ ଦେଖିଲା ଭଳି ଥିଲା। ବ୍ୟାଟ୍ସମ୍ୟାନଙ୍କୁ ସେ ଆଦୌ ଫ୍ଲାଇଟ୍ ଦେଇ ନଥିଲେ। ଧୋନି ତାଙ୍କ ଶେଷ ବଲ୍‌କୁ ସୀମା ରେଖା ପାର କରିବା ପୂର୍ବରୁ ୨୩ ବଲ୍‌ରୁ ସେ ମାତ୍ର ୧୮ ରନ୍ ବ୍ୟୟ କରିଥିଲେ। ବିଜୟ ପାଇଁ ସିଏସ୍‌କେକୁ ଶେଷ ଓଭରରୁ ୨୬ ରନ୍‌ ଦରକାର ଥିଲା। ପରିସଂଖ୍ୟାନବିତ କହିଥିଲେ ଚେନ୍ନାଇ ଜିତିବାର ମାତ୍ର ୧ ପ୍ରତିଶତ ସମ୍ଭାବନା ରହିଛି। ଧୋନି ଧମାକା ପରେ ଏହା ସମ୍ଭବ ହେଲା ଭଳି ମନେ ହୋଇଥିଲା। ଶେଷ ବଲ୍‌ରୁ ୨ ରନ୍‌ ଦରକାର ଥିଲା ବେଳେ ପାର୍ଥିବ ବରଫ ଭଳିଆ ଥଣ୍ଡା‌ ରହି ସାର୍ଦୁଲଙ୍କୁ ସିଧା ଥ୍ରୋରେ ରନ୍ ଆଉଟ୍ କଲେ। ଯାହା ସବୁକିଛି ବଦଳାଇ ଦେଇଥିଲା। ଏହି ସବୁ ଘଟଣା ‘ଇଷ୍ଟର’ରେ ଘଟିଥିଲା। ଯେତେବେଳେ ଶ୍ରୀଲଙ୍କାରେ ପାଖାପାଖି ୩୦୦ ଲୋକ ପ୍ରାଣ ହରାଇଥିଲେ। ଏହି ଲୋମଟାଙ୍କୁରା ଏବଂ ହୃଦୟ ବିଦାରକ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ପରିବାରବର୍ଗ ପ୍ରତି ମୋର ଗଭୀର ସମବେଦନା ରହିଛି।

ସମ୍ବନ୍ଧିତ ଖବର