ଭୁବନେଶ୍ବର: ଷ‌ାଠିଏ-ସତୁରୀ ଦଶକର ଅନ୍ୟତମ ପ୍ରମୁଖ ଦ୍ରୁତ ବୋଲର ଭାବେ ଖ୍ୟାତି ଅର୍ଜନ କରିଥିବା ପୂର୍ବତନ ରଣଜୀ କ୍ରିକେଟର୍‌ ଡାକ୍ତର ସଂଜୟ ଶତପଥୀଙ୍କର ସୋମବାର ରାତିରେ ଦେହାନ୍ତ ଘଟିଛି। କ୍ରିକେଟ୍ ପଡ଼ିଆରେ ବିଜେତା ହୋଇଥିବା ଏହି କ୍ରିକେଟର୍‌ କିନ୍ତୁ କର୍କଟ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୭୬ ବର୍ଷ ବୟସରେ ସେ ଭୁବନେଶ୍ବରଠାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଶାନ୍ତନୁ ଶତପଥୀ-ସଂଜୟ ଶତପଥୀ ଓଡ଼ିଶାର ଭାଇ-ଭାଇ ରଣଜୀ କ୍ରିକେଟର୍‌ ଭାବେ ପରିଚିତ ଥିଲେ। ବଡ଼ ଭାଇ ଶାନ୍ତନୁ ଶତପଥୀ ଓଡ଼ିଶା ସହିତ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପୂର୍ବାଞ୍ଚଳ ପକ୍ଷରୁ ଖେଳି ଏକାଧିକ ଦଳରୁ ଖେଳିବାର ଅନ୍ୟତମ କୃତିତ୍ବ ଅର୍ଜନ କରିଥିଲେ। ବାରିପଦାର ମୂଳ ଅଧିବାସୀ ସଂଜୟ ବୃତ୍ତିରେ ଡାକ୍ତର ଥିବାବେଳେ ଜଣେ ଲେଖକ ଭାବେ ମଧ୍ୟ ପରିଚିତ ଥିଲେ। ବିଶିଷ୍ଟ ଗାଳ୍ପିକ ବସନ୍ତ ଶପତଥୀଙ୍କ ପୁତ୍ର ସଂଜୟଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ରାଜ୍ୟ କ୍ରିକେଟ୍‌ ଓ ସାହିତ୍ୟ ଜଗତରେ ଶୋକର ଛାୟା ‌ଖେଳିଯାଇଛି। ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି।

Advertisment

ପ୍ରଥମ ଶ୍ରେଣୀ ଖେଳ ଜୀବନରେ ସଂଜୟ ଶତପଥୀ ୧୯୬୫ରୁ ୧୯୭୭ ମସିହା ମଧ୍ୟରେ ମୋଟ ୨୩ ମ୍ୟାଚ୍‌ ଖେଳି ୩୭ ୱିକେଟ୍‌ ଅକ୍ତିଆର କରିଥିଲେ। ୧୯୬୫ ମସିହାରେ ବାରବାଟୀ ଷ୍ଟାଡିୟମ୍‌‌ରେ ବେଙ୍ଗଲ ବିପକ୍ଷରେ ୬/୮୯ ବୋଲିଂ ଚିତ୍ର ତାଙ୍କ ଶ୍ରେଷ୍ଠ ସଫଳତା ରହିଛି। ବ୍ୟାଟିଂରେ ସର୍ବୋଚ୍ଚ ବ୍ୟକ୍ତିଗତ ୪୯ ରନ୍‌ ସହିତ ସେ ୨୬୫ ରନ୍ କରିଥିଲେ। ପୂର୍ବାଞ୍ଚଳ ପାଇଁ ମଧ୍ୟ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ଟୁର୍ ମ୍ୟାଚ୍‌ ଖେଳିଥିଲେ ଏହି ଦ୍ରୁତ ବୋଲର। ରାଉରକେଲାର ଇସ୍ପାତ ଜେନେରାଲ୍ ହସପିଟାଲ୍‌ରେ ଫିଜିସିଆନ ଭାବେ ୩୦ ବର୍ଷ କାର୍ଯ୍ୟ କରିବା ସହ ସେଲ୍‌ର ଯୁଗ୍ମ ନ‌ିର୍ଦେଶକ ଥିଲେ। ଅବସର ପରେ ଭୁବନେଶ୍ବରରେ ଅବସ୍ଥାନ କରିବା ସହ କେତେକ ଘରୋଇ ହସପିଟାଲ୍‌ର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀରେ କ୍ଷୁଦ୍ର ଗଳ୍ପ ଲେଖି ନିଜ ପାଇଁ ଅନ୍ୟତମ ପରିଚୟ ଯୋଡ଼ିଥିଲେ। ତାଙ୍କର ମୋଟ ୮ଟି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଥିଲା। ପ୍ରାରମ୍ଭିକ ଜୀବନରେ ବାରିପଦା ଏମ୍‌ପିସି ହାଇସ୍କୁଲ୍, ପାରଳାଖେମୁଣ୍ଡିର ଏମଆରକେସିଜି ସ୍କୁଲ, ବାଲେଶ୍ବର ଜିଲ୍ଲା ସ୍କୁଲ୍‌, କଟକର ଏସ୍‌ସିବି ମେଡିକାଲ୍ କଲେଜ, ବନାରସର ବିଏଚ୍‌ୟୁ ଓ ବାଙ୍ଗାଲୋର୍‌ ନିମହାସରୁ ନିଜ ଶିକ୍ଷା ଓ ଉଚ୍ଚ ଶିକ୍ଷା ଶେଷ କରିଥିଲେ।