ଦେବାଶିଷ ଓ ସୁଶ୍ରୀ ବର୍ଷର ଶ୍ରେଷ୍ଠ କ୍ରିକେଟର୍‌

ଭୁବନେଶ୍ବର: ସହିଦ ସ୍ପୋର୍ଟିଂ ଓ ମାରୁତି ଇଷ୍ଟେଟ୍‌ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଭଳି କ୍ରିକେଟର୍‌ ଅଫ୍‌ ଦି ଇୟର ଏବଂ ମହିଳା କ୍ରିକେଟର୍‌ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା କ୍ରୀଡ଼ା ଜଗତର ସର୍ବ ପୂରାତନ ତଥା ନିୟମିତ ପ୍ରଦାନ କରାଯାଉଥିବା ବାର୍ଷିକ କ୍ରୀଡ଼ା ପୁରସ୍କାର ନିମେନ୍ତ ଗତ ଋତୁ ପାଇଁ ଦେବାଶିଷ ସାମନ୍ତରାୟ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କୁ ମନୋନୀତ କରାଯାଇଛି। ଦେବାଶିଷ କ୍ରିକେଟର୍‌ ଅଫ୍‌ ଦି ଇୟର ଏବଂ ସୁଶ୍ରୀ ଶ୍ରେଷ୍ଠ ମହିଳା କ୍ରିକେଟର୍‌ ପୁରସ୍କାର ଗ୍ରହଣ କରିବେ। ମାରୁତି ଇଷ୍ଟେଟ୍‌ର ପରିଚାଳନା ନି‌ର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ଓ ସହିତ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକଙ୍କ ସମେତ ୧୪ ଜଣିଆ ମନୋନୟନ କମିଟି ଏହି ଦୁଇ ଜଣଙ୍କ ନାମରେ ମୋହର ମାରିଛି। ଦୁଇ ମନୋନୀତ ପ୍ରତିଭାଧାରୀଙ୍କୁ ପୁରସ୍କାର ବାବଦରେ ୩୧ ହଜାର ଟଙ୍କାର ଚେକ୍‌, ପ୍ରଶସ୍ତି ପତ୍ର ଓ ଟ୍ରଫି ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ସହିଦ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକ କହିଛନ୍ତି। ଦେବାଶିଷ ପ୍ରଥମ ଥର ଲାଗି ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯାଉଥିଲା ବେଳେ ସୁଶ୍ରୀ ଦ୍ବିତୀୟ ଥର ପାଇଁ ପୁରସ୍କାର ଗ୍ରହଣ କରିବେ। ଏହା ପୂର୍ବରୁ ସୁଶ୍ରୀ ୨୦୧୭-୧୮ ଋତୁ ପାଇଁ ଏହି ପୁରସ୍କାର ହାତେଇଥିଲେ।

ଦେବାଶିଷ ଗତ ଋତୁରେ ବେଶ୍‌ ସଫଳ ରହିଥିଲେ। ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ରାଜ୍ୟ ଦଳ ପକ୍ଷରୁ ରଣଜୀ ଟ୍ରଫିରେ ବିଶେଷ ଅବଦାନ ଛାଡ଼ିଥିଲେ। ସେ ୮ ମ୍ୟାଚ୍‌ ଖେଳି ୧୨ ପାଳିରେ ୫୩.୫୦ ହାରରେ ମୋଟ ୫୩୫ ରନ୍‌ ସଂଗ୍ରହ କରିଥିଲେ। ସେଥିରେ ୨ ଲେଖାଏଁ ଶତକ ଓ ଅର୍ଧଶତକ ସାମିଲ ଥିଲା। ଗତ ରଣଜୀ ଋତୁରେ ‌ସେ ୭୭ ଚୌକା ଓ ୨ ଛକା ମଧ୍ୟ ମାରି ନିଜ ବଳିଷ୍ଠ ବ୍ୟାଟିଂର ଉଦାହରଣ ରଖିଥିଲେ। ତାଙ୍କର ଏହି ପ୍ରଦର୍ଶନକୁ ବିଚାରକୁ ନିଆଯାଇ ୨୮ତମ କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡର ସୁଶ୍ରୀ ମଧ୍ୟ ଗତ ଋତୁରେ ଚମତ୍କାର ପ୍ରଦର୍ଶନର ଛାପ ଛାଡ଼ିଥିଲେ। ୫୦ ଓଭରିଆ ଦିନିକିଆ ଜାତୀୟ ପ୍ରତିଯୋଗିତାରେ ସେ ୨୦୪ ରନ୍‌ କରିବା ସାଙ୍ଗକୁ ୮ ମ୍ୟାଚ୍‌ରୁ ୧୬ ୱିକେଟ୍‌ ଦଖଲ କରିଥିଲେ। ବରିଷ୍ଠ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ-ବି ପକ୍ଷରୁ ଖେଳି ସେ ୪ ମ୍ୟାଚ୍‌‌ରେ ୭ ୱିକେଟ୍‌ ଅକ୍ତିଆର କରିଥିଲେ। ଏମର୍ଜିଂ ଏସିଆ କପ୍‌, ଏମର୍ଜିଂ ଇଣ୍ଡିଆ ଟିମ୍‌ ସହ ବାଂଲାଦେଶ ଗସ୍ତ ଏବଂ ଟି-୨୦ ଏମର୍ଜିଂ ଚତୁଃକୋଣୀୟ ପ୍ରତିଯୋଗିତାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର