କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ କ୍ରୀଡ଼ା କ୍ଲବ୍‌ ଦାବି କଲେ ଦେବାଶିଷ

ଭୁବନେଶ୍ବର : ଓଡ଼ିଶା କ୍ରୀଡ଼ା ଢେର ଆଗକୁ ଯାଇଥିଲେ ମଧ୍ୟ ଉଚ୍ଚସ୍ତରର ପ୍ରଦର୍ଶନ ପାଇଁ ନିହାତି ଆବଶ୍ୟକ ପଡୁଥିବା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଅଭାବ ରାଜ୍ୟ ଖେଳାଳିଙ୍କ ଅଗ୍ରଗତିରେ ମୁଖ୍ୟ ବାଧକ ସାଜିଛି। ଖେଲୋ ଇଣ୍ଡିଆ ଯୋଜନାରେ ଏଭଳି ଏକ କେନ୍ଦ୍ର କଳିଙ୍ଗ ଷ୍ଟାଡିୟମ୍‌ରେ ଖୋଲିଥିବା କୁହାଯାଉଥିଲେ ମଧ୍ୟ ଏହା ସାଧାରଣ ତଥା ଉଦୀୟମାନ ଖେଳାଳିଙ୍କ କାମରେ ଲାଗୁନଥିବାରୁ ଏହା ଥିବା ନଥିବା ଭଳି। ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତରେ ରାଜ୍ୟରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ପାଇଁ ପ୍ରଥମ ପ୍ରୟାସ କରିଥିବା ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଦେବାଶିଷ ନାୟକ ସରକାରଙ୍କ କାଳକ୍ଷେପଣ ନୀତିକୁ ନାପସନ୍ଦ କରିବା ସହ ଏହାର ଗୁରୁତ୍ବକୁ ଉପଲବ୍‌ଧି କରିବାକୁ ଦାବି କରିଛନ୍ତି। ‘ରାଉରକେଲା, ସୁନ୍ଦରଗଡ଼ ସହିତ ଭୁବନେଶ୍ବରରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ ମେଡିକାଲ୍‌ର ଆବଶ୍ୟକତା’ ରହିଛି ବୋଲି ୨୦୦୪ରୁ ୨୦୦୮ ମସିହା ପର୍ଯ୍ୟନ୍ତ କ୍ରୀଡ଼ାମନ୍ତ୍ରୀ ଥିବା ଶ୍ରୀ ନାୟକ ମତ ଦେଇଛନ୍ତି। ଏଥି ସହିତ ଅନ୍ୟ ରାଜ୍ୟଗୁଡିକ ଭଳି ଓଡ଼ିଶାରେ ଏକ କ୍ରୀଡ଼ା କ୍ଲବ୍‌ ଗଠନର ପ୍ରସ୍ତାବ ଶୀତଳଭଣ୍ଡାରରେ ଥିବାରୁ ଶ୍ରୀ ନାୟକ ଦୁଃଖ ପ୍ରକାଶ କରିଥିଲେ। କ୍ରୀଡ଼ା କ୍ଲବ୍ ପାଇଁ ଭୁବନେଶ୍ବର କେନ୍ଦ୍ର ସ୍ଥଳରେ ଥିବା ବିଭାଗୀୟ ଯାଗା ନିରୁପଣ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଏସବୁ ‌ରହିଲେ ରାଜ୍ୟରେ କ୍ରୀଡ଼ା ପାଇଁ ସକାରାତ୍ମକ ବାତାବରଣ ରହିବ ବୋଲି ସେ କହିଥିଲେ।

ନିଜ କ୍ରୀଡ଼ାମନ୍ତ୍ରୀ କାର୍ଯ୍ୟକାଳ ସମୟରେ କରିଥିବା ପ୍ରୟାସର ଫଳ ଏବେ ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଛି ବୋଲି କହିଥିଲେ ଶ୍ରୀ ନାୟକ। ମୋ ସମୟରେ କଳିଙ୍ଗ ଷ୍ଟାଡିୟମ୍‌ ପରିତ୍ୟକ୍ତ ଅବସ୍ଥାରେ ଥିଲା। ଅର୍ଥର ଅଭାବ ସତ୍ତ୍ବେ ଏହାର ପୁନଃରୁଦ୍ଧାର ଲାଗି ଯୋଜନା କରାଯାଇଥିଲା। ସେହିଭଳି ଅନ୍ତର୍ଜାତୀୟ ସ୍ତରର ସନ୍ତରଣାଗାରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଯିବ। ବିଭିନ୍ନ ଜିଲ୍ଲା ତଥା ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ତଥା ଭିତ୍ତିଭୂମି ବିକାଶ ଲାଗି ଖସଡ଼ା ପ୍ରସ୍ତୁତ ହୋଇଥିଲା। ସନ୍ତରାଣାଗାରକୁ ମୁଖ୍ୟମନ୍ତ୍ରୀ ନିଜେ ଉଦ୍‌ଘାଟନ କରିବା ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ବରିର ଏହି ପୂର୍ବତନ ବିଧାୟକ। କ୍ରୀଡ଼ା ବିଭାଗ ଲାଗି ଆଗ୍ରହ ବଡ଼ କଥା ଥାଏ। ଅନ୍ୟମାନେ ଏହାକୁ ଗୌଣ ବିଭାଗ କହୁଥିଲେ ମଧ୍ୟ ମୁଁ ମୋ କାର୍ଯ୍ୟକାଳର ୪ ବର୍ଷକୁ ଢେର ଉପଭୋଗ କରିଥିଲି ବୋଲି ପ୍ରକାଶ କରିଥିଲେ ଶ୍ରୀ ନାୟକ।

ସମ୍ବନ୍ଧିତ ଖବର