କ୍ରୀଡ଼ା ଛାତ୍ରାବାସରୁ ଯୁବ ପ୍ରତିଭାଙ୍କ ବହିଷ୍କାର ପ୍ରସ୍ତାବକୁ ଦେବାଶିଷଙ୍କ ବିରୋଧ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପ୍ରସ୍ତାବିତ କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧାଭାସର ସ୍ବର ଥମିବାର ନାଁ ଧରୁନାହିଁ। ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଖେଳାଳି, ସାଂସଦ, ବିଭିନ୍ନ ରାଜ୍ୟ କ୍ରୀଡ଼ା ସଂଘ, ଓକିଲ୍ ସଂଘ ବିରୋଧ କରି ଆସିଥିଲେ। ଗୁରୁବାର ଏହି ବିରୋଧ ଧାରାରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା ବିଜେଡ଼ି ନେତା ଦେବାଶିଷ ନାୟକ। ‘କ୍ରୀଡ଼ା ଛାତ୍ରାବାସରୁ ୧୮ ବର୍ଷରୁ ଊର୍ଧ୍ବ ବୟସର ପିଲାମାନଙ୍କୁ ବିତାଡ଼ିତ କରିବାର ସରକାରଙ୍କ ବିଚାରଧାରା କିଛି ମୂଲ୍ୟ ରଖୁଥିଲା ଭଳି ମନେ ହେଉନାହିଁ। କ୍ରୀଡ଼ା ଛାତ୍ରାବାସକୁ ଆସୁଥିବା ପିଲାମାନେ ବହୁ କଷ୍ଟରେ ନିଜ ଖେଳ ଓ ପଢ଼ା ଜୀବନ ବିତାଇଥା’ନ୍ତି। ମୋ ମତରେ ଏଥିପାଇଁ କୌଣସି ବୟସର ସୀମା ରହିବା କଥା ନୁହେଁ।

ଜଣେ ଗାୟକ ତଥା ମନୋରଂଜନକାରୀ ପାଇଁ ଯେଭଳି ବୟସର କିଛି ପ୍ରତିବଂଧକ ନଥାଏ ସେଭଳି ଖେଳାଳି ପାଇଁ ନରହୁ। ୧୮ କି ୨୦ ବର୍ଷ ଗୋଟିଏ ବୟସ ନୁହେଁ ଯେଉଁଠି ଜଣଙ୍କ ପ୍ରତିଭାକୁ ମାପିହେବ। ୧୮ ବ‌ର୍ଷ କେବେ ଜଣଙ୍କ ପ୍ରତିଭା ପ୍ରଦର୍ଶନର ଶେଷ ବର୍ଷ ହୋଇନପାରେ, ଏହା ପରେ ବି ସେ ଖେଳ ଜାରି ରଖିବା ଉଚିତ୍‌’ ବୋଲି ପ୍ରକାଶ କରିଥିଲେ ଶ୍ରୀ ନାୟକ। ୨୦୦୪ରୁ ୨୦୦୮ ମସିହା ପର୍ଯ୍ୟନ୍ତ କ୍ରୀଡ଼ାମନ୍ତ୍ରୀ ଥିବା ଶ୍ରୀ ନାୟକ ଗତ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦଳ ବିରୋଧରେ ଯାଇନଥିଲେ।

କ୍ରୀଡ଼ା ଛାତ୍ରାବାସ ପ୍ରସଙ୍ଗରେ ନିଜ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ନାୟକ କହିଥିଲେ ‘ସରକାରଙ୍କୁ ବିନମ୍ର ନିବେଦନ ବିଶେଷ କରି ଗରିବ ପରିବାରରୁ ଆସୁଥିବା ପିଲାଙ୍କ ପ୍ରତି ଏଭଳି ଅବିଚାର କରାନଯାଉ। ପୂର୍ବଭଳି ୨୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା ସରକାର ହାତରେ ରଖନ୍ତୁ ଏବଂ ମାନବ ସମ୍ବଳର ବଡ଼ ଉତ୍ସ ତଥା କ୍ରୀଡ଼ାବିତ୍‌ ସୃଷ୍ଟି କରୁଥିବା ଛାତ୍ରାବାସର ଆସନ ସଂଖ୍ୟା ବଢ଼ାଇବା କଥା ଚିନ୍ତା କରନ୍ତୁ’। ମଣିଷ ତିଆରି କାରଖାନା ଉପରେ ଏଭଳି କୋପଦୃଷ୍ଟି ପକାନଯାଉ ବୋଲି ସେ ପ୍ରକାଶ କରିଥିଲେ। ଆମ ଖେଳାଳି ଓଡ଼ିଆ ଜାତିର ଗୌରବ, କେବଳ ଖେଳ ଜୀବନ ନୁହେଁ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବା କଥା।

ସୁଇମିଂ ପୁଲ୍‌ର ସ୍ମୃତି
ନିଜ କ୍ରୀଡ଼ାମନ୍ତ୍ରୀ କାର୍ଯ୍ୟକାଳ ସମୟରେ କରିଥିବା ପ୍ରୟାସର ଫଳ ଏବେ ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଛି ବୋଲି କହିଥିଲେ ଶ୍ରୀ ନାୟକ। ମୋ ସମୟରେ କଳିଙ୍ଗ ଷ୍ଟାଡିୟମ୍‌ ପରିତ୍ୟକ୍ତ ଅବସ୍ଥାରେ ଥିଲା। ଅର୍ଥର ଅଭାବ ସତ୍ତ୍ବେ ଏହାର ପୁନଃରୁଦ୍ଧାର ଲାଗି ଯୋଜନା କରାଯାଇଥିଲା। ସେହିଭଳି ଅନ୍ତର୍ଜାତୀୟ ସ୍ତରର ସନ୍ତରଣାଗାରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନିମିତ କରାଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଯିବ। ବିଭିନ୍ନ ଜିଲ୍ଲା ତଥା ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ତଥା ଭିତ୍ତିଭୂମି ବିକାଶ ଲାଗି ଖସଡ଼ା ପ୍ରସ୍ତୁତ ହୋଇଥିଲା। ସନ୍ତରଣାଗାରକୁ ମୁଖ୍ୟମନ୍ତ୍ରୀ ନିଜେ ଉଦ୍‌ଘାଟନ କରିବା ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ବରିର ଏହି ପୂର୍ବତନ ବିଧାୟକ। ବାରମ୍ବାର କ୍ରୀଡ଼ାମନ୍ତ୍ରୀ ବଦଳିବା ବିଭାଗର ବିକାଶକୁ ପ୍ରଭାବିତ କରୁଥିବା ଅଭିଯୋଗ ସହ ମଧ୍ୟ ଏକମତ ହୋଇଥିଲେ ଶ୍ରୀ ନାୟକ। ‘ଠିକଣା ଲୋକକୁ ଠିକଣା ଯାଗା’ରେ ରଖିଲେ ହିଁ ସୁଫଳ ମିଳେ। ଏହି ବିଭାଗ ଲାଗି ଆଗ୍ରହ ବଡ଼ କଥା ଥାଏ। ଅନ୍ୟମାନେ ଏହାକୁ ଗୌଣ ବିଭାଗ କହୁଥିଲେ ମଧ୍ୟ ମୁଁ ମୋ କାର୍ଯ୍ୟକାଳର ୪ ବର୍ଷକୁ ଢେର ଉପଭୋଗ କରିଥିଲି ବୋଲି ପ୍ରକାଶ କରିଥିଲେ ଶ୍ରୀ ନାୟକ।

ସମ୍ବନ୍ଧିତ ଖବର