ଭୁବନେଶ୍ବର: ଓଡ଼ିଶାର ସର୍ବପୁରାତ୍ତନ ତଥା ନିରଂତର ପ୍ରଦାନ କରାଯାଉଥିବା ବାର୍ଷିକ କ୍ରିକେଟ୍ ପୁରସ୍କାର ‘ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ୍‌ ଇଣ୍ଡିଆ କ୍ରିକେଟର୍‌ ଅଫ ଦ ଇୟର୍‌’ ପୁରସ୍କାର ପ୍ରଦାନ ଉତ୍ସବ ରବିବାର ସମ୍ପନ୍ନ ହୋଇଛି। ୨୦୧୯-୨୦ ଋତୁରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଦେବାଶିଷ ସାମନ୍ତରାୟ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରିକେଟର୍‌ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା କ୍ରିକେଟ୍ ସଂଘ ସମ୍ପାଦକ ସଞ୍ଜୟ କୁମାର ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ମାରୁତି ଇଷ୍ଟେଟ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥ‌ିଲେ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Advertisment

ସୁଶ୍ରୀ ଓଡ଼ିଶା ଦଳ ସହ ସୁରତ ଗସ୍ତରେ ଥିବାରୁ ତାଙ୍କ ପିତାମାତା ଏହି ପୁରସ୍କାର ଗ୍ରହଣ କରିଥିଲେ। ୨୦୧୯-୨୦ କ୍ରିକେଟ୍‌ ଋତୁରେ ଦେବାଶିଷ ରଣଜୀ ଟ୍ରଫିରେ ୮ ମ୍ୟାଚ୍‌ରୁ ୫୩.୫୦ ହାରରେ ୫୩୫ ରନ୍‌ କରିଥିଲେ। ଏହା ମଧ୍ୟରେ ୨ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସାମିଲ ରହିଥିଲା। ସେହିଭଳି ପ୍ରତିଭାସମ୍ପନ୍ନ ସୁଶ୍ରୀ ଜାତୀୟ ଦିନିକିଆରେ ୮ ମ୍ୟାଚ୍‌ରୁ ୨୦୪ ରନ୍‌ ଏବଂ ୧୬ ୱିକେଟ୍ ନେବା ସହିତ ଟ୍ବେଣ୍ଟି-୨୦ରେ ୪ ମ୍ୟାଚ୍‌ରୁ ୭ ୱିକେଟ୍ ଅକ୍ତିଆର କରିଥିଲେ। ବାଂଲାଦେଶ ଗସ୍ତରେ ଇମର୍ଜିଂ ଏସିଆ କପ୍ ଏବଂ ଟ୍ବେଣ୍ଟି-୨୦ ଇମର୍ଜିଂ ଚତୁଃକୋଣୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିଲେ। ଉଭୟଙ୍କୁ ୩୧,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ପାଇଁ ଦୀର୍ଘ ୧୦ ବର୍ଷ ଧରି ଖେଳି ଆସୁଥିବାରୁ ଦେବାଶିଷ ନିଜ ପୁରସ୍କାରର ସମସ୍ତ ଶ୍ରେୟକୁ ଓଡ଼ିଶା କ୍ରିକେଟ୍ ସଂଘ ଏବଂ ନିଜ କ୍ରିକେଟ୍‌ କ୍ଲବ୍‌ ପାରାମାଉଣ୍ଟ୍ ସ୍ପୋର୍ଟିଂକୁ ପ୍ରଦାନ କରିଥିଲେ। ଦେବାଶିଷ ପ୍ରଥମ ଥର ଏହି ପୁରସ୍କାର ପାଇଥିବାବେଳେ ସୁଶ୍ରୀ ଦ୍ବିତୀୟ ଥର ଏହି ସମ୍ମାନ ଅର୍ଜନ କରିଛନ୍ତି। ଏହି ଅବସରରେ ଓସିଏ ସମ୍ପାଦକ ଶ୍ରୀ ବେହେରା ମଧ୍ୟ ପୂର୍ବତନ ‌କର୍ପୋରେଟର୍‌ ଶାଶ୍ବତୀ ମିଶ୍ରଙ୍କୁ ସମ୍ବର୍ଧିତ କରିଥିଲେ।