କ୍ରିକେଟ୍‌ରେ କୋଡ଼ିଏ ବର୍ଷ ‘ଦେବା’ଙ୍କ ଯାତ୍ରା

ଭୁବନେଶ୍ୱର: ନବେ ଦଶକ ଦ୍ୱିତୀୟାର୍ଧରେ ହକିରେ ଦିଲ୍ଲୀପ ତିର୍କି ଏବଂ କ୍ରିକେଟ୍‌ରେ ଦେବାଶିଷ ମହାନ୍ତି ହିଁ ରାଜ୍ୟ କ୍ରୀଡ଼ାକୁ ନୂଆ ଦିଶା ଦେଖାଇଥିଲେ। ନୂଆ ବର୍ଷକୁ ସ୍ୱାଗତ କରିବା ବେଳେ ରାଜ୍ୟ କ୍ରୀଡ଼ାକୁ ନୂଆ ସ୍ତରକୁ ନେଇଥିବା କିମ୍ବଦନ୍ତୀ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କ କଥା ସ୍ୱତଃ ମନକୁ ଆସେ। ସଂଯୋଗ ବଶତଃ କ୍ରିକେଟ୍‌ ପଡ଼ିଆରେ ନିରବଛିନ୍ନ ୨୦ ବର୍ଷ ବିତାଇଛନ୍ତି ଦେବାଶିଷ ମହାନ୍ତି। ଚଳିତ ୨୦୧୭-୧୮ କ୍ରିକେଟ୍‌ ଋତୁ ପୂର୍ବ ପର୍ଯ୍ୟନ୍ତ ଖେଳାଳି ଓ ପ୍ରଶିକ୍ଷକ ଭାବେ ଓଡ଼ିଶା କ୍ରିକେଟ୍‌କୁ ଆଛାଦିତ ଓ ରୁଦ୍ଧିମନ୍ତ କରିଥିଲେ ଏହି ସରଳ ସୁଇଙ୍ଗ୍‌ ବୋଲର୍‌ ବ୍ୟକ୍ତିତ୍ୱ। ରାଜ୍ୟରେ ଅନେକ ‘ପ୍ରଥମ’ର ଗୌରବ ବହନ କରିଛନ୍ତି ଅନ୍ତର୍ଜାତୀୟ ତାରକା ଦେବାଶିଷ ମହାନ୍ତି। ଭାରତ ପାଇଁ ୨ ଟେଷ୍ଟ୍‍ ଏବଂ ୪୫ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିବା ୪୧ ବର୍ଷୀୟ ଦେବାଶିଷ ରାଜ୍ୟ କ୍ରିକେଟ୍‌ ଦୁନିଆର ‘ଦେବା’ ନାମରେ ବେଶ ପରିଚିତ। କ୍ରିକେଟ୍‌ ପଡ଼ିଆରେ ଦୁଇ ଦଶନ୍ଧୀ ଅତିକ୍ରାନ୍ତ ଅବସରରେ ‘ସମ୍ବାଦ’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ବଖାଣିଥିଲେ ସମୟଚକ୍ରର ଫରକ ଗାଥା।
ସେଦିନ ଏଦିନ
ସେଦିନର ଦେବାଶିଷ (ମହାନ୍ତି) ଏବଂ ଆଜିର ଦେବାଶିଷ (ମହାନ୍ତି) ମଧ୍ୟରେ ବିଶେଷ କିଛି ଫରକ ନାହିଁ। କେବଳ ପରିପକ୍ୱତା ବଢ଼ିଛି। କେତେବେଳେ କୋଡିଏ ବର୍ଷ ବିତିଯାଇଛି ଜାଣିପାରିନି। ଖୁସୀ ନିଶ୍ଚିତ ଯେଉଁଟା ଭଲ ପାଉଥିଲି, ସେଇଟାରେ ଜୀବନ ଗଢ଼ିପାରିଲି। ପ୍ରଥମେ ପ୍ରଥମେ ଭାରତୀୟ ଦଳରୁ ଖେଳିବା ଆଶା ଥିଲା। କିନ୍ତୁ କ୍ରମେ ବାସ୍ତବତା ଅନୁଭବ କରିବାରୁ ଏହା କଷ୍ଟସାଧ୍ୟ ମନେ ହୋଇଥିଲା। ତଥାପି ଯେଉଁଠି ପହଞ୍ଚିଥିଲି ସେଥିରେ ମୁଁ ବହୁତ ଖୁସୀ ଏବଂ ଭଗବାନଙ୍କ ଦୟାରୁ ସବୁ ଠିକ୍‌ ଚାଲିଛି।
ଓଡ଼ିଶା କ୍ରିକେଟ୍‌
ଓଡ଼ିଶାରେ ସେତେବେଳେ ଭିତ୍ତିଭୂମୀ ନଥିଲା। ଏବେ ସବୁଆଡ଼େ ଟର୍ଫ ଓ୍ଵିକେଟ୍‌ରେ ପିଲା ଅଭ୍ୟାସ କରୁଛନ୍ତି। ଆମ ପାଇଁ ଟର୍ଫ ଓ୍ଵିକେଟରେ ଖେଳିବା ସ୍ୱପ୍ନ ଥିଲା। ଫରକ ଏତିକି ଦେଖୁଛି ଆମ ସମୟର ଖେଳାଳି ପରିଶ୍ରମୀ ଥିଲେ ଏବଂ ସେମାନଙ୍କ ନିକଟରେ ସଙ୍କଳ୍ପବଦ୍ଧତା ଥିଲା। ଶିବ ସୁନ୍ଦର ଦାସ, ସଂଜୟ ରାଉଳ, ପ୍ରଭଞ୍ଜନ ମଲ୍ଲିକ, ରଶ୍ମିରଂଜନ ପରିଡ଼ା, ପି ଜୟଚନ୍ଦ୍ର, ସଂଜୟ ଶତପଥୀ ପ୍ରମୁଖ କଠିନ ପରିଶ୍ରମ ଜରିଆରେ କିଛି ହାସଲ କରିଥିଲେ। ଏବେ ଭିତ୍ତିଭୂମୀ ବଢ଼ିଛି, ୧୪ ବର୍ଷରୁ କମ୍‌ ପିଲା ବି ଦେଖନ୍ତୁ (ଓସ୍କାର୍‌ ପଡ଼ିଆ) ଟର୍ଫ ଓ୍ଵିକେଟ୍‌ରେ ଖେଳୁଛନ୍ତି। ତୁଳନାତ୍ମକ ଭାବେ ଦେଖିଲେ ଏବେକାର ପିଲାଙ୍କ ମଧ୍ୟରେ ସେହି ସଙ୍କଳ୍ପବଦ୍ଧତାର ଅଭାବ ଦେଖୁଛି। କିଛି ଅର୍ଜନ କରିବାକୁ ସେମାନେ ଭୋକିଲା ନୁହଁନ୍ତି।
ବଦଳିଯାଇଛି ଭାରତୀୟ ଦୃଶ୍ୟପଟ୍ଟ
ବିଗତ ୨୦ ବର୍ଷ ଭିତରେ ଭାରତୀୟ କ୍ରିକେଟ୍‌ରେ ଅନେକ ବଡ଼ ପରିବର୍ତନ ଘଟିଛି। ଆଗରୁ ଖେଳାଳିମାନେ ଏତେ ସୁରକ୍ଷିତ ନଥିଲେ। ଆର୍ଥିକ ସ୍ୱଚ୍ଛଳତା ନଥିଲା, ଖେଳାଳିଙ୍କ ପାଇଁ ଚୁକ୍ତି ବ୍ୟବସ୍ଥା ନଥିଲା, ଟି-୨୦ କ୍ରିକେଟ୍‌ ବି ଆସି ନ ଥିଲା, ଆଇପିଏଲ୍‌ର ଆଗମନ ଘଟି ନ ଥିଲା। ଭାରତୀୟ କ୍ରିକେଟ୍‌ ବହୁତ କିଛି ବଦଳିଯାଇଛି। ଯାହା ବି ହୋଇଛି କ୍ରିକେଟ୍‌ ପାଇଁ ସବୁଠୁ ଭଲ ହୋଇଛି।
ଖେଳାଳି ଓ ପ୍ରଶିକ୍ଷକ
ଖେଳାଳି ଓ ପ୍ରଶିକ୍ଷକ ଭାବେ ମୁଁ ଉଭୟ ଦାୟିତ୍ୱକୁ ଉପଭୋଗ କରିଛି। ଖେଳାଳିଭାବେ କିନ୍ତୁ ଏହା ଅଧିକ ଉପଭୋଗ୍ୟ ବୋଲି ମୁଁ ସ୍ୱୀକାର କରିବି। ବ୍ୟକ୍ତିଗତ ପ୍ରଦର୍ଶନ ଭିତରେ ଖେଳାଳି ଜୀବନକୁ ଜଗିବାକୁ ପଡ଼ିଥାଏ। କିନ୍ତୁ ପ୍ରଶିକ୍ଷକ ଦାୟିତ୍ୱରେ ଚାପ ଅଧିକ ଥାଏ ଏବଂ ଖେଳାଳିଙ୍କୁ ଯୋଜନା ଦେଇ ଅପେକ୍ଷା କରିବାକୁ ପଡ଼େ। ତଥାପି ମୋ ପାଇଁ ଉଭୟ ଉପଭୋଗ୍ୟ ଥିଲା। ଖେଳାଳି ହୋଇନଥିଲେ ମୁଁ ଆର୍ମିରେ ଯୋଗଦବାର ଅଭିଳାଷ ଥିଲା। କିନ୍ତୁ ସ୍ୱଭାଗ୍ୟତଃ ଭଲ ପାଉଥିବା ଖେଳରେ ଜୀବନ ଗଢ଼ି ପାରିଥିଲି। ଜୀବନରେ ଯାହା କିଛି ପାଇଛି ଏହି ଖେଳ ପାଇଁ।
ପୋଦ୍ଦାର ପ୍ରତ୍ୟାଶୀ
ପୁରୁଷ କ୍ରିକେଟ୍‌ରେ ଦେଢ଼ ଦଶନ୍ଧି ଧରି ଓଡ଼ିଶାରୁ ଆଉ କେହି ଜାତୀୟ ଦଳରୁ ଖେଳୁ ନଥିବାର ଅବସୋସ ରହିଛି। ମୋର ଆଶା ଓ ବିଶ୍ୱାସ ତୃଣମୂଳସ୍ତରରୁ ଆମେ କଚ୍ଚା ପ୍ରତିଭା ଚିହ୍ନଟ କରି ଗଢ଼ିଲେ ଏହା ସମ୍ଭବ ହେବ। ବର୍ତ୍ତମାନର ଖେଳାଳିଙ୍କୁ ମଧ୍ୟରୁ ଜଣଙ୍କ ନାମ କହିବାକୁ ପଡ଼ିଲେ ମୁଁ ନିଶ୍ଚିତ ଗୋବିନ୍ଦ ପୋଦ୍ଦାରଙ୍କ ନାମ ନେବି। ତାଙ୍କ ନିକଟରେ ଭୋକିଲା ପ୍ରବୃତ୍ତି ଅଛି, କେବଳ ମାନସିକ ସ୍ଥିରତା ଆବଶ୍ୟକ। ଓଡ଼ିଶା ଦଳ ଏବଂ ଖେଳାଳିମାନେ ଅଧିକ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି।
ସ୍ୱପ୍ନ ଦେଖ, ପିଛା କର
କ୍ରିକେଟ୍‌ରେ ସଫଳ ହେବାକୁ ପିଲାମାନେ ସ୍ୱପ୍ନ ଦେଖିବା ଉଚିତ୍‌। ଏହାକୁ ଅନୁସରଣ କରିବା ସହିତ କଠିନ ପରିଶ୍ରମ ଜରୁରୀ। ଈଶ୍ୱରଙ୍କ ଭରସା ରଖି ପରିଶ୍ରମ କଲେ ନିଶ୍ଚିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚିହେବ।
ବଂଧୁର ବାଟର ବିଜେତା
ଓଡ଼ିଶା କ୍ରିକେଟ୍‌ର ସଫଳତା ଯେଉଁ ସମୟରେ ସମ୍ପୂର୍ଣ୍ଣ ଅଜଣା ଅଶୁଣା ଥିଲା ସେତେବେଳେ ଏଭଳି ଅମଡ଼ା ବଂଧୁର ବାଟର ପଥିକ ସାଜିଥିଲେ ଦେବାଶିଷ ମହାନ୍ତି। ସ୍ୱଳ୍ପ ଜଣାଶୁଣା, ଅନୁନ୍ନତ ଓଡ଼ିଶା ଭଳି ରାଜ୍ୟରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବା ଏତେ ସହଜ ଯାତ୍ରା ନ ଥିଲା। ତଥାପି ଦେବାଶିଷ ମହାନ୍ତି ନିଜକୁ ନିଜ ପ୍ରତିଭା ଜରିଆରେ ହିଁ ପ୍ରମାଣିତ କରିଥିଲେ। ୧୯୯୬-୯୬ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌କୁ ଆସିବାର ଗୋଟିଏ ଋତୁ ପରେ ହିଁ ଭାରତୀୟ ଦଳରେ ସାମିଲ ହେବାର ସୌଭାଗ୍ୟ ପାଇଥିଲେ। ୧୯୯୭ ମସିହାରେ ଶ୍ରୀଲଙ୍କା ଗସ୍ତରେ କଲମ୍ବୋର ସିଂହଳିଜ୍‌ ସ୍ପୋର୍ଟସ କଂପ୍ଲେକ୍ସ ପ୍ରଥମ ଟେଷ୍ଟ୍‍ ଖେଳିବା ପରେ ମୋହଲିରେ ନିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ୍‍ ଖେଳିଥିଲେ। ୪ ବର୍ଷର ଦିନିକିଆ ଜୀବନରେ ୪୫ ମ୍ୟାଚ୍‌ ଖେଳି ନେଇଥିଲେ ୫୭ ଓ୍ଵିକେଟ୍‌। ଟରୋଣ୍ଟୋରୁ କଲମ୍ବୋ ପର୍ଯ୍ୟନ୍ତ ଲମ୍ବିଥିଲା ଏହି ଯାତ୍ରା। ରାଜ୍ୟର ପ୍ରଥମ ଅର୍ନ୍ତଜାତୀୟ କ୍ରିକେଟ୍‌ର (ଉଭୟ ଟେଷ୍ଟ୍‍ ଓ ଦିନିକିଆ), ପ୍ରଥମ ବିଶ୍ୱକପ୍‌ କ୍ରିକେଟ୍‌ର (୧୯୯୯, ଇଂଲଣ୍ଡ), ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ (୪୧୭) ହେବାର ଗୌରବ ତାଙ୍କ ନାମରେ। ୨୦୧୦ରେ ପ୍ରଥମ ଶ୍ରେଣୀ ଜୀବନ ଶେଷ ହେବା ମାତ୍ରେ ଲଗାତାର ୫ ଋତୁ ଓଡ଼ିଶାର ପ୍ରଶିକ୍ଷଣ ଦାୟିତ୍ୱରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏହି ଶାନ୍ତ, ସରଳ ସ୍ୱଭାବର ଲମ୍ବା ଚେହେରା ବୋଲର। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗୋଟିଏ ପାଳିର ସମସ୍ତ ୧୦ ଓ୍ଵିକେଟ୍‌ (ଦଲୀପ ଟ୍ରଫି, ପୂର୍ବ ବନାମ ଦକ୍ଷିଣ, ୨୦୦୦-୦୧) ଦଖଲ ତାଙ୍କ ଜୀବନର ଅନ୍ୟତମ ଚର୍ଚିତ ଅଧ୍ୟାୟ। କୋଡିଏ ଋତୁର (୧୯୯୬-୯୭ରୁ ୨୦୧୬-୧୭) କ୍ରିକେଟ୍‌ ଯାତ୍ରା ନୂଆ ବର୍ଷରେ ନୂଆ ଦିଶାର ବାଟ ଦେଖାଇବ ବୋଲି ତାଙ୍କ ପ୍ରଶଂସକଙ୍କ ଆଶା ରହିଛି।ଗ କରିଛି। ଖେଳାଳିଭାବେ କିନ୍ତୁ ଏହା ଅଧିକ ଉପଭୋଗ୍ୟ ବୋଲି ମୁଁ ସ୍ୱୀକାର କରିବି। ବ୍ୟକ୍ତିଗତ ପ୍ରଦର୍ଶନ ଭିତରେ ଖେଳାଳି ଜୀବନକୁ ଜଗିବାକୁ ପଡ଼ିଥାଏ। କିନ୍ତୁ ପ୍ରଶିକ୍ଷକ ଦାୟିତ୍ୱରେ ଚାପ ଅଧିକ ଥାଏ ଏବଂ ଖେଳାଳିଙ୍କୁ ଯୋଜନା ଦେଇ ଅପେକ୍ଷା କରିବାକୁ ପଡ଼େ। ତଥାପି ମୋ ପାଇଁ ଉଭୟ ଉପଭୋଗ୍ୟ ଥିଲା। ଖେଳାଳି ହୋଇନଥିଲେ ମୁଁ ଆର୍ମିରେ ଯୋଗଦବାର ଅଭିଳାଷ ଥିଲା। କିନ୍ତୁ ସ୍ୱଭାଗ୍ୟତଃ ଭଲ ପାଉଥିବା ଖେଳରେ ଜୀବନ ଗଢ଼ି ପାରିଥିଲି। ଜୀବନରେ ଯାହା କିଛି ପାଇଛି ଏହି ଖେଳ ପାଇଁ।
ପୋଦ୍ଦାର ପ୍ରତ୍ୟାଶୀ
ପୁରୁଷ କ୍ରିକେଟ୍‌ରେ ଦେଢ଼ ଦଶନ୍ଧି ଧରି ଓଡ଼ିଶାରୁ ଆଉ କେହି ଜାତୀୟ ଦଳରୁ ଖେଳୁ ନଥିବାର ଅବସୋସ ରହିଛି। ମୋର ଆଶା ଓ ବିଶ୍ୱାସ ତୃଣମୂଳସ୍ତରରୁ ଆମେ କଚ୍ଚା ପ୍ରତିଭା ଚିହ୍ନଟ କରି ଗଢ଼ିଲେ ଏହା ସମ୍ଭବ ହେବ। ବର୍ତ୍ତମାନର ଖେଳାଳିଙ୍କୁ ମଧ୍ୟରୁ ଜଣଙ୍କ ନାମ କହିବାକୁ ପଡ଼ିଲେ ମୁଁ ନିଶ୍ଚିତ ଗୋବିନ୍ଦ ପୋଦ୍ଦାରଙ୍କ ନାମ ନେବି। ତାଙ୍କ ନିକଟରେ ଭୋକିଲା ପ୍ରବୃତ୍ତି ଅଛି, କେବଳ ମାନସିକ ସ୍ଥିରତା ଆବଶ୍ୟକ। ଓଡ଼ିଶା ଦଳ ଏବଂ ଖେଳାଳିମାନେ ଅଧିକ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର