ଓଡ଼ିଶାରେ ଦେବାଶିଷ ପ୍ରେରଣାର ଉତ୍ସ: ରାଜୁ

ବେଙ୍ଗାଲୁରୁ(ସୁରେଶ ସ୍ୱାଇଁ): ଆଜକୁ ଠିକ୍‌ ୨୧ ବର୍ଷ ତଳେ ଦେବାଶିଷ ମହାନ୍ତି ପ୍ରଥମ ଓଡ଼ିଆ ଭାବେ ଭାରତୀୟ କ୍ରିକେଟ୍‌ ଦଳରେ ସାମିଲ ବେଳେ ଭେଙ୍କଟପତି ରାଜୁ ଥିଲେ ତାଙ୍କ ରୁମ୍‌ମେଟ୍‌। ୧୯୯୭ ମସିହାର ଏହି ଘଟଣାକୁ ଏବେ ବି ମନେ ପକାନ୍ତି ରାଜୁ। ବାଙ୍ଗାଲୋର୍‌ରେ ହିଁ ଜାତୀୟ ଶିବିର ବେଳେ ଏହି ଖବର ମିଳିଥିଲା। ଆମେ ଗୋଟିଏ ରୁମରେ ରହୁଥିଲୁ। ଭାରି ଶାନ୍ତ ଓ ନିରବ ଚରିତ୍ରର ପିଲା ଦେବାଶିଷ। ଏବେ ଓଡ଼ିଶା କ୍ରିକେଟ୍‌ ପାଇଁ ଦେବାଶିଷ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବାମହାତୀ ସ୍ପିନର ଭେଙ୍କଟପତି ରାଜୁ। ଶିବ ସୁନ୍ଦର ଦାସ ଏବେ ଏନ୍‌ସିଏରେ ବି ବ୍ୟାଟିଂ ପ୍ରଶିକ୍ଷକ ଅଛନ୍ତି। ତାଙ୍କ ସହ ୧୬ ଏବଂ ୨୩ ବର୍ଷରୁ କମ୍‌ ଦଳକୁ ମୁଁ ବି ତାଲିମ ଦେଇଛି। ନୂଆ ନିୟମ ଆସୁଥିବାରୁ ଅଧିକ ପିଲା ଖେଳିବାର ସୁଯୋଗ ପାଇପାରିବେ। ବର୍ଷେ ଦୁଇ ବର୍ଷ ମଧ୍ୟରେ ଭଲ କ୍ରିକେଟ୍‌ ଦେଖିବାକୁ ମିଳିବ ବୋଲି କହିଛନ୍ତି ଭାରତ ପାଇଁ ୨୮ ଟେଷ୍ଟ୍‍ ଓ ୫୩ ଦିନିକିଆ ଖେଳିଥିବା ୪୯ ବର୍ଷୀୟ ରାଜୁ। ବେଙ୍ଗାଲୁରୁଠାରେ ‘ସମ୍ବାଦ’କୁ ବିଶେଷ ସାକ୍ଷାତକାର ଦେବା ଅବସରରେ ରାଜୁ ମଧ୍ୟ କହିଥିଲେ ଅନେକ କଥା।

ଇଂଲଣ୍ଡ ଗସ୍ତ: ଭାରତ ୫ ଟିକିଆ ଟେଷ୍ଟ୍‍ ପାଇଁ ଇଂଲଣ୍ଡ ଗସ୍ତରେ ଯିବାବେଳେ ଅଧିକ ଭଲଭାବେ ପ୍ରସ୍ତୁତ ହୋଇଯିବାର ଥିଲା। ଇଂଲଣ୍ଡ ପରିସ୍ଥିତିରେ ବିନା ଅଭ୍ୟାସ ମ୍ୟାଚ୍‌ରେ ଟେଷ୍ଟ୍‍ ଶୃଙ୍ଖଳା ଖେଳିବା ଭଲ କଥା ନୁହେଁ। ଇଂଲଣ୍ଡ ଗସ୍ତରେ ଭାରତ ଭଲ ପ୍ରଦର୍ଶନ କରିଛି। କେବଳ କିଛି ଦଳୀୟ ସମନ୍ଵୟ ଗଡ଼ବଡ଼ କରିଥିଲା। କେତେବେଳେ ପେସ୍‌ ବୋଲରଙ୍କ ବଦଳରେ ସ୍ପିନର୍‌ ତ କେତେବେଳେ ସ୍ପିନରଙ୍କ ବଦଳରେ ପେସ୍‌ର ଖେଳିଥିଲେ। ଲାଲ୍‌ ବଲ୍‌ରେ ଲମ୍ବା ସ୍ପେଲ୍‌ ପକାଇବାକୁ ପଡ଼ିଥାଏ। ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଖେଳାଳି ଈରାନୀ ଟ୍ରଫି ଖେଳିଥିଲେ ଭଲ ହୋଇଥାନ୍ତା। ତଥାପି ଭାରତୀୟ ସ୍ପିନର୍‌ ମାନେ ଏବେ ଭଲ କରୁଛନ୍ତି। ଟେ୍ଵଣ୍ଟି-୨୦ ଏବଂ ୫୦-୫୦ ଓଭରରେ ସେମାନଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ। ତେବେ ଲାଲ ଓ ଧଳା ବଲ୍‌ ମଧ୍ୟରେ ଫରକ ଅନେକ। ବୋଲରମାନେ ହିଁ ଏହା ଦର୍ଶାଉଛନ୍ତି।

ବାମହାତୀ ସ୍ପିନର୍‌: ଭାରତର ଶକ୍ତି ଓ ସାମର୍ଥ୍ୟ ହେଉଛି ସ୍ପିନ୍‌। ଲାଲ୍‌ ବଲ୍‌ରେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ୍‌ ଭଲ କରୁଛନ୍ତି। ବାମହାତୀ ସ୍ପିନର୍‌ଙ୍କ ମଧ୍ୟରେ କୁଲଦୀପ ଯାଦବ ଏବେ ଭଲ କରୁଛନ୍ତି। କିନ୍ତୁ ସଂଗତିପୂର୍ଣ୍ଣ ପ୍ରଦର୍ଶନ ଆବଶ୍ୟକ। ଅନିଲ କୁମ୍ବଲେ ଏବଂ ହରଭଜନ ସିଂହ ନିଜ ସମୟରେ ସ୍ଥିର ପ୍ରଦର୍ଶନ ଦେଉଥିଲେ। ନିରଂତର ଅଭ୍ୟାସରେ ରହିଲେ ଏହା ସମ୍ଭବ ହୁଏ। ଅନ୍ତର୍ଜାତୀୟ କ୍ରିକେଟ୍‌ ଏବେ ଏତେ ବ୍ୟସ୍ତବହୁଳ ହୋଇଗଲାଣି ଘରୋଇ କ୍ରିକେଟ୍‌ରେ ଖେଳିବାକୁ ସ୍ପିନରଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ।

ଓଡ଼ିଶା ସମ୍ପର୍କ: ଓଡ଼ିଶାରେ ଭଲ ପ୍ରତିଭାର ଖେଳାଳି ଅଛନ୍ତି। ଦେଶରେ ଏତେ କ୍ରିକେଟ୍‌ ବଢ଼ିଛି ଯେ ବ୍ୟକ୍ତିଗତ ଭାବେ ସେମାନଙ୍କ ଉପରେ ନଜର ରଖିବା ସମ୍ଭବ ନୁହେଁ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଜାରି ରଖିବା ସହିତ ସୁଯୋଗ ମିଳିଲେ ଭାରତ ପାଇଁ ଖେଳିବା ବଡ଼ କଥା। ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସଙ୍କ ଭଳି ଖେଳାଳି ଏହି ରାଜ୍ୟରୁ ବାହାରିଛନ୍ତି। ଉଭୟଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିଛି ଏବଂ ବଂଧୁତା ରହିଛି। ଯୁବ ଖେଳାଳିମାନେ ନିଜ ଫିଟନେସ୍‌ ସ୍ତରକୁ ରଖିପାରିଲେ ସୀମିତ ଓଭର ସହିତ ବିବିଧ ଦିବସ ମ୍ୟାଚ୍‌ରେ ଭଲ କରିପାରିବେ। ଏକଦା ମୁଁ ଗୋଟିଏ ଋତୁ (୨୦୦୭-୦୮) ପାଇଁ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷଣ ଦାୟିତ୍ୱରେ ଥିଲି। କିନ୍ତୁ ପ୍ରଶାସନିକ ହସ୍ତକ୍ଷେପ ଏବଂ ଅବ୍ୟବସ୍ଥା କାରଣରୁ କିଛି କରିନପାରିବାର ଆଶଙ୍କା କାରଣରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲି।

କୋହଲିଙ୍କ ପାଇଁ ଫଳାଫଳ ମିଳୁଛି: ବିରାଟ କୋହଲି କେବଳ ଜଣେ ଭଲ ଖେଳାଳି ନୁହଁନ୍ତି, ଆକ୍ରାମକ ଅଧିନାୟକ। ଭାରତୀୟ ଦଳ ଏଥିପାଇଁ ଏବେ ସଂଗତିପୂର୍ଣ୍ଣ ପ୍ରଦର୍ଶନ ଦେଉଛି। ଦେଶ ଭିତରେ ହେଉ କି ବାହାରେ। ଆଗ ତୁଳନାରେ ଦଳ ଭଲ କରୁଛି। ବିଦେଶରେ ଅନ୍ୟୁନ ଗୋଟିଏ ଲେଖାଏଁ ଟେଷ୍ଟ୍‍ ମ୍ୟାଚ୍‌ ମଧ୍ୟ ଜିତି ପାରୁଛି। ଆଗରୁ ଦଳ ବିଦେଶ ଗସ୍ତରେ ପ୍ରଥମ ଟେଷ୍ଟ୍‍ ହାରିଯିବା ପରେ କିଛି ଅମୀମାଂସିତ ରଖି ଫେରୁଥିଲେ। ଏବେ ସବୁ ଟେଷ୍ଟ୍‍ରୁ ଫଳାଫଳ ବାହାରିବା କୋହଲିଙ୍କ ଆକ୍ରାମକ ନେତୃତ୍ୱର ସୁଫଳ। ଏହା ଶୁଭ ସଙ୍କେତ। ଅମୀମାଂସିତ ନ ହେବା ହିଁ ସେମାନେ ସକରାତ୍ମକ କ୍ରିକେଟ୍‌ ଖେଳୁଥିବା ପ୍ରମାଣ ରଖୁଛି। ଆଗରୁ ଅମୀମାଂସିତ ଅଧିକ ଆସୁଥିଲା। ଏବେ ଫଳାଫଳ ବାହାରୁଥିବାରୁ ପ୍ରଶଂସକଙ୍କୁ ବି ଭଲ ଲାଗୁଛି। ଟେଷ୍ଟ କ୍ରିକେଟ୍‌ ବିକଳ୍ପ: ଟେଷ୍ଟ୍‍ କ୍ରିକେଟ୍‌ ଏକମାତ୍ର ବିକଳ୍ପ। ଟେ୍ଵଣ୍ଟି-୨୦ ଏବଂ ୫୦-୫୦ରେ ପ୍ରଶଂସକଙ୍କୁ ଅଧିକ ମନୋରଂଜନ ମିଳୁଥିଲେ ବି ଶନିବାର ରବିବାର ଆସିଲେ ଟେଷ୍ଟ୍‍ କି୍ରିକେଟ୍‌ ଦେଖିବାକୁ ଲୋକ ଆସୁଛନ୍ତି। ଟେଷ୍ଟ୍‍ କ୍ରିକେଟ୍‌ର ଭବିଷ୍ୟତ ଅକ୍ଷୁଣ୍ଣ ରହିଛି।

ପାରମ୍ପରିକ ସ୍ପିନ୍‌: ଧଳା ବଲ୍‌ କ୍ରିକେଟ୍‌ରେ ଲୋକମାନେ ସଟ୍‌ ଦେଖିବାକୁ ଆସନ୍ତି, ଡିଫେନ୍‌ସ ଦେଖିବାକୁ ନୁହେଁ। ଶକ୍ତିଶାଳୀ ଓ ଶାରୀରିକ ସକ୍ଷମ ଖେଳାଳିମାନେ ଟେ୍ଵଣ୍ଟି-୨୦ରେ ଭଲ କରୁଛନ୍ତି। କ୍ରିକେଟ୍‌ ବଦଳିଯାଇଛି। ଆଗରୁ ବଡ଼ ସଟ୍‌ ମାରୁଥିଲେ ପ୍ରଶିକ୍ଷକ ଗାଳି ଦେଉଥିଲେ। ଆଇପିଏଲ୍‌ରେ ପ୍ରଥମରୁ ପେସ୍‌ ବୋଲର ପକାଉଥିଲେ ମାଡ଼ ହେବାରୁ ପାରମ୍ପରିକ ସ୍ପିନ୍‌ ବ୍ୟବହୃତ ହେଉଛି। ଉଭୟରୁ ମଜା ମିଳୁଛି। ଆଇପିଏଲ୍‌ ବଡ଼ ପ୍ରଭାବ ପକାଇଛି। ଏବେ ଲେଗ୍‌ସ୍ପିନ୍‌ ପକାଇବାକୁ ପିଲା ବି ବ୍ୟାକୁଳ ହେଉଛନ୍ତି ବୋଲି କହିଥିଲେ ରାଜୁ।

ସମ୍ବନ୍ଧିତ ଖବର